Villagers Boycott Assembly Election (ETV Bharat Odisha) ବରଗଡ଼: ଦିନକ ପରେ ହେବାକୁ ଯାଉଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ମାତ୍ର ବରଗଡ଼ ଜିଲ୍ଲାରେ ଭୋଟ ବର୍ଜନର ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ । ବୁଥ ନାହିଁ ତ ଭୋଟ ନାହିଁ ଦାବି କରି ସାମୂହିକ ଭୋଟ ବର୍ଜନ ନେଇ ନିଷ୍ପତ୍ତି ନେଲେ ଗ୍ରାମବାସୀ । ଏପରି ଘଟଣା ଘଟିଛି ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ସସ୍ତୁପାଲି ଗ୍ରାମରେ । ବରଗଡ଼ ବ୍ଲକ ଅନ୍ତର୍ଗତ ଚକରକେନ୍ଦ ଗ୍ରାମପଞ୍ଚାୟତ ସସ୍ତୁପାଲି ଗ୍ରାମରେ ଲୋକେ ସାମୁହିକ ଭାବେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁସାରେ ସସ୍ତୁପାଲି ଗ୍ରାମରେ ୨ ଗୋଟି ୱାର୍ଡ ରହିଛି । ଏହି ୨ ଗୋଟି ୱାର୍ଡ ବିଶିଷ୍ଟ ସସ୍ତୁପାଲି ଗ୍ରାମରେ ହାରାହାରି ୯୦୦ ଭୋଟର ରହିଥିବା ବେଳେ ପୁରୁଷ ଭୋଟର ସଂଖ୍ୟା ୫୦୦ ଏବଂ ମହିଳା ଭୋଟର ସଂଖ୍ୟା ୪୦୦ ରହିଛନ୍ତି l ସେମାନଙ୍କ ମଧ୍ୟରୁ ଅନେକ ବୃଦ୍ଧବୃଦ୍ଧା ମଧ୍ୟ ରହିଛନ୍ତି । ତେବେ ଗ୍ରାମବାସୀଙ୍କ କ୍ଷୋଭର କାରଣ ହେଉଛି ଗ୍ରାମ ଠାରୁ ୫ କିଲୋମିଟର ଦୂର ଚକରକେନ୍ଦକୁ ଭୋଟ ଦେବା ପାଇଁ ବୁଥର ବ୍ୟବସ୍ଥା କରାଯାଇଛି ।
ଏହା ମଧ୍ୟ ପଢନ୍ତୁ ...ଭୁବନେଶ୍ବର ଭୋଟରଙ୍କୁ ମତଦାନ ପାଇଁ ଆକୃଷ୍ଟ କରିବ 'ମୋ ବୁଥ' - Mo Booth Mobile App Launched
ମତଦାନ କରିବା ସମସ୍ତଙ୍କର ମୌଳିକ ଅଧିକାର ରହିଥିବାବେଳେ ସରକାର କିପରି ଶତ ପ୍ରତିଶତ ମତଦାନ ହୋଇପାରିବ ସେଥିପ୍ରତି ଅଧିକ ଗୁରୁତ୍ଵ ଦେଉଥିବାବେଳେ କିନ୍ତୁ ସସ୍ତୁପାଲି ଗ୍ରାମବାସୀଙ୍କ ପାଇଁ ସହଜରେ କିପରି ଲୋକେ ମତଦାନ କରିପାରିବେ ସେନେଇ କୌଣସି ବ୍ୟବସ୍ଥା କରାଯାଇନାହିଁ ଯାହା ଫଳରେ ଏଠାକାର ଅଧିକାଂଶ ମତଦାତା ଭୋଟ ଦେବାରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଏ ସମସ୍ୟା ଏବେର ନୁହେଁ ବରଂ ୨୩-୨୪ ବର୍ଷଧରି ସମସ୍ୟା ଭୋଗୁଛନ୍ତି ସସ୍ତୁପାଲି ଗ୍ରାମବାସୀ ।
ସସ୍ତୁପାଲି ଗ୍ରାମରେ ବୃଦ୍ଧବୃଦ୍ଧା ଭୋଟରଙ୍କ ସଂଖ୍ୟା ୫୦ ରୁ ୬୦ ରହିଥିବାବେଳେ ୫ କିଲୋମିଟର ଦୂର ଚକରକେନ୍ଦ ଠାରେ ହୋଇଥିବା ବୁଥକୁ ଅତି ଖରାପ ରାସ୍ତା ଦେଇ ଲୋକଙ୍କୁ ଯିବା ଆସିବାରେ ବହୁ ଅସୁବିଧା ହେଉଛି । ଗ୍ରାମର ବୃଦ୍ଧବୃଦ୍ଧା ଭୋଟର ମାନଙ୍କୁ ମତଦାନ ପାଇଁ ନେବା ଆଣିବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ତେବେ ଏହି ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ପୂର୍ବରୁ ଏକ ଦାବିପତ୍ର ପ୍ରଦାନ କରି ଗ୍ରାମରେ ବୁଥର ବ୍ୟବସ୍ଥା ପାଇଁ ଦାବି କରିଥିଲେ ଗ୍ରାମବାସୀ । ହେଲେ ଗ୍ରାମରେ ବୁଥର ବ୍ୟବସ୍ଥା ନ ହେବାରୁ ଆଜି ସାମୂହିକ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ । ନିର୍ବାଚନରେ ମତଦାନ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଗୋଟେ ଗ୍ରାମର ୯୦୦ ଭୋଟରଙ୍କ ପାଇଁ କୌଣସି ସୁବିଧା କରିପାରିନଥିବାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ଏପରି ନିଷ୍ପତ୍ତି ନେଇଥିବା ଗ୍ରାମବାସୀ ଜଣାଇଛନ୍ତି ।
ଇଟିଭି ଭାରତ, ବରଗଡ଼