ଫୁଲବାଣୀ:ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ସବୁ ଦଳ ପାଇଁ ଚିନ୍ତା ବଢାଉଛନ୍ତି ଆଶାୟୀ । ଟିକଟ କଟିବା ପରେ ଆଶାୟୀ ପ୍ରାର୍ଥୀଙ୍କ ବିଦ୍ରୋହ ଦଳଗୁଡିକୁ ଅଡୁଆରେ ପକାଇଛି । ଏବେ ସମାନ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ । କଂଗ୍ରେସ ଏଠି ସୁରଦା ପ୍ରଧାନଙ୍କୁ ଟିକଟ ଦେବା ପରେ ବର୍ତ୍ତମାନ ଦଳୀୟ ଅସନ୍ତୋଷ ବଢିବାରେ ଲାଗିଛି । କଂଗ୍ରେସ ଯେଉଁ ପ୍ରାର୍ଥୀ ଚୟନ କରିଛି, ତାଙ୍କୁ ଦଳର ଅନ୍ୟ ଆଶାୟୀମାନେ ତୀବ୍ର ବିରୋଧ କରୁଛନ୍ତି । ଏମିତିକି ତୁରନ୍ତ ପ୍ରାର୍ଥୀ ବଦଳାଅ, ନଚେତ୍ ବାଲିଗୁଡାରେ କଂଗ୍ରେସ ହାରିବ ବୋଲି ଚେତାବନୀ ଦେଇଛନ୍ତି ଆଶାୟୀଙ୍କ ସମର୍ଥକ । ଯାହାକୁ ନେଇ ମଙ୍ଗଳବାର ବାଲିଗୁଡା କଂଗ୍ରେସ ଭବନରେ ସୁରଦା ପ୍ରଧାନଙ୍କ ସମର୍ଥକ ଓ ଅନ୍ୟ ଗୋଷ୍ଠୀର କଂଗ୍ରେସ ନେତାଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ଦେଖିବାକୁ ମିଳିଥିଲା ।
କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀକୁ ଦଳର ଅନ୍ୟ ଅଶାୟୀମାନେ ଖୋଲାଖୋଲି ବିରୋଧ କରିବା ପରେ ଏବେ ବାଲିଗୁଡା କଂଗ୍ରେସରେ ଫାଟ ଦେଖିବାକୁ ମିଳିଛି । କାହିଁକି ଓ କେଉଁ କାରଣରୁ ଦଳର ଅନ୍ୟ ଏକ ଗୋଷ୍ଠୀ ସୁରଦା ପ୍ରଧାନଙ୍କୁ ବିରୋଧ କରୁଛନ୍ତି, ତା'ର କାରଣ ଜାଣିବା ଲାଗି ମଙ୍ଗଳବାର ଦିନ ବାଲିଗୁଡାରେ ପହଞ୍ଚିଥିଲେ ଅଲ ଇଣ୍ଡିଆ କଂଗ୍ରେସ କମିଟିର ପର୍ଯ୍ୟବେକ୍ଷକ କୁନାଲ ବାନାର୍ଜୀ । ସେ କଂଗ୍ରେସର ସ୍ଥାନୀୟ ନେତା ଓ କର୍ମୀଙ୍କ ମତାମତ ସଂଗ୍ରହ କରିବା ସମୟରେ ସୁରଦା ପ୍ରଧାନଙ୍କ ସମର୍ଥକ ଓ ଅନ୍ୟ ଅଶାୟୀ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ଓ ହୋହଲ୍ଲା ଦେଖିବାକୁ ମିଳିଥିଲା । ଦୀର୍ଘ ସମୟ ଧରି ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ପର୍ଯ୍ୟବେକ୍ଷକ କୁନାଲ ବାନାର୍ଜୀ ବୈଠକ ଅଧାରୁ ଉଠି ପଳାଇଥିଲେ ।