ଓଡିଶା

odisha

ETV Bharat / politics

BJD ର ନୂଆ ମୁଖିଆ କି’ଏ ? ଏମିତି କହିଲେ ବରିଷ୍ଠ ନେତା - BJD ORGANISATIONAL ELECTION

ପ୍ରତାପ ଦେବ ବିଜେଡିର ନିର୍ବାଚନୀ ଅଧିକାରୀ ନିଯୁକ୍ତ । କିଏ ହେବେ ଦଳର ନୂଆ ମୁଖିଆ ? ନବୀନଙ୍କ ବିକଳ୍ପ ନାହିଁ କହିଲେ ବରିଷ୍ଠ ନେତା ।

BJD organisational election
BJD organisational election (ETV Bharat Odisha)

By ETV Bharat Odisha Team

Published : Jan 22, 2025, 5:51 PM IST

ଭୁବନେଶ୍ବର:ପ୍ରାୟ ଅଢେଇ ଦଶନ୍ଧି ଧରି କ୍ରମାଗତ କ୍ଷମତାରେ ରହିବା ପରେ ଗତ ନିର୍ବାଚନରେ ଶାସନ କ୍ଷମତାରୁ ବିଦା ହୋଇଛି ‘ବିଜେଡି’ । ଅନ୍ୟପଟେ ଏବେ ଦଳକୁ ଘାରିଛି ସଂଗଠନ ସଜାଡିବା ଚିନ୍ତା । କାରଣ ନିର୍ବାଚନୀ ବିପର୍ଯ୍ୟୟ ପରେ ଜଣେ ପରେ ଜଣେ ନେତା ଦଳ ଛାଡି ବିଜେପିରେ ସାମିଲ ହେବାରେ ଲାଗିଛନ୍ତି । ଅନ୍ୟ କିଛି ଦଳୀୟ ନେତା ମଧ୍ୟ ନିର୍ଦ୍ଦିଷ୍ଟ ଜାତୀୟ ଦଳ ସହ ଯୋଗାଯୋଗରେ ଥିବା ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ସାଙ୍ଗଠନିକ ନବକଳେବର କରିବାକୁ ଯାଉଛି ବିଜେଡି । ସେପଟେ ନବୀନ ପଟ୍ଟନାୟକଙ୍କ ସମକକ୍ଷ ନେତୃତ୍ୱ ଏପର୍ଯ୍ୟନ୍ତ ‘ବିଜେଡି’ରେ କେହି ନାହାନ୍ତି ବୋଲି କହିଛନ୍ତି ଦଳୀୟ ନେତା ।

  • 'ନବୀନଙ୍କ ସମକକ୍ଷ କେହି ନାହାନ୍ତି'

ବିଜୁ ଜନତା ଦଳର ସଂଗଠନ ସଜଡ଼ା ପ୍ରକ୍ରିୟା ନେଇ ତତ୍ପରତା ପ୍ରକାଶ ପାଇଛି । ବରିଷ୍ଠ ବିଜେଡି ନେତା ତଥା ବିଧାୟକ ପ୍ରତାପ ଦେବଙ୍କୁ ବିଜେଡିର ନିର୍ବାଚନୀ ଅଧିକାରୀ ନିଯୁକ୍ତି ପ୍ରଦାନ କରିଛନ୍ତି ନବୀନ । ତେବେ ଆଗକୁ ଦଳର ସାଂଗଠନିକ ନିର୍ବାଚନ ହେଲେ କିଏ ହେବ ପରବର୍ତ୍ତୀ ସଭାପତି ତାକୁ ନେଇ ଉଠିଛି ପ୍ରଶ୍ନ । ନବମ ଥର ପାଇଁ ନବୀନ ହେବେ କି ସୁପ୍ରିମୋ ନା ଆଉ କାହାକୁ ଦାୟିତ୍ୱ ଦେବେ ନବୀନ ? ଅନ୍ୟପଟେ ନବୀନଙ୍କର କୌଣସି ବିକଳ୍ପ ନଥିବା କହିଛନ୍ତି ଦଳର ଅଧିକାଂଶ ନେତା ।

BJD organisational election (ETV Bharat Odisha)
  • ପ୍ରଫୁଲ୍ଲଙ୍କ ଖୋଲା ସଙ୍କେତ, ପୁଣି ନବୀନ

ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲକହିଛନ୍ତି,"ନବୀନ ପଟ୍ଟନାୟକଙ୍କ ସମକକ୍ଷ ନେତୃତ୍ୱ ଏପର୍ଯ୍ୟନ୍ତ ବିଜେଡିରେ ସୃଷ୍ଟି ହୋଇନାହାନ୍ତି । ଲୋକଙ୍କ ଦାବି ରହିଛି, ଯେପର୍ଯ୍ୟନ୍ତ ସେଭଳି ନେତୃତ୍ୱ ସୃଷ୍ଟି ହୋଇନାହାନ୍ତି ସେପର୍ଯ୍ୟନ୍ତ ନବୀନ ବାବୁ ଦଳର ନେତୃତ୍ୱ ନିଅନ୍ତୁ । ଶାସନର ନେତୃତ୍ୱ ନିଅନ୍ତୁ । ନବୀନ ବାବୁଙ୍କ ବହୁ ଅଭିଜ୍ଞତା ରହିଛି । ସେ ସୁଚାରୁ ରୂପେ ନିର୍ବାଚନ ପରିଚାଳନା କରିବେ ବୋଲି ମୋର ବିଶ୍ୱାସ ।"

  • 'ନବୀନଙ୍କ ପଦକ୍ଷେପ ସ୍ବାଗତଯୋଗ୍ୟ'

ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି, "ଦଳର ସମ୍ବିଧାନ ଅନୁଯାୟୀ ପ୍ରତି ଦୁଇ ବର୍ଷରେ ଥରେ ସାଂଗଠନିକ ନିର୍ବାଚନ ଅନୁଷ୍ଠିତ ହେବା କଥା। ହେଲେ ଶେଷଥର ପାଇଁ ୨୦୨୦ ରେ ଦଳୀୟ ନିର୍ବାଚନ ହୋଇଥିଲା । କୋଭିଡ ପାଇଁ ୨୦୨୨ରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ବିଜେଡି ସାଂଗଠନିକ ନିର୍ବାଚନ ପାଇଁ ପୂର୍ବରୁ ପ୍ରତାପ ଦେବ ଦୁଇ ଦୁଇ ଥର ଦାୟିତ୍ୱ ତୁଲାଇଛନ୍ତି । ନବୀନ ହେଉଛନ୍ତି ବିଜୁ ଜନତା ଦଳର ସର୍ବୋଚ୍ଚ କର୍ତ୍ତା । ବିଜୁ ପଟ୍ଟନାୟକଙ୍କ ପରେ ଗୋଟିଏ ବ୍ରାଣ୍ଡ ହେଉଛନ୍ତି ନବୀନ ପଟ୍ଟନାୟକ । ନବୀନ ଯାହା ନିଷ୍ପତ୍ତି ନେବେ ତାକୁ ସମସ୍ତେ ମାନିବେ । ପ୍ରତାପ ଦେବଙ୍କ ଉପରେ ଅସ୍ଥାପ୍ରାକଟ କରିଛନ୍ତି ନବୀନ ବାବୁ। ନବୀନଙ୍କ ପଦକ୍ଷେପକୁ ମୁଁ ସ୍ୱାଗତ କରୁଛି ।"

ଏହା ବି ପଢନ୍ତୁ...BJDର ହେବ ନବକଳେବର ! ପ୍ରତାପ ଦେବ ହେଲେ ନିର୍ବାଚନ ଅଧିକାରୀ

ଏହା ବି ପଢନ୍ତୁ...ହଟିଲା ନିଲମ୍ବନ, ବିଜେଡିକୁ ଫେରିଲେ ସୁଧାଂଶୁ ପରିଡା

  • ପ୍ରତାପ ଦେବଙ୍କୁ ଗୁରୁଦାୟିତ୍ବ :

୨୦୨୪ରେ ସାଧାରଣ ନିର୍ବାଚନ ଥିବାରୁ ସାଂଗଠନିକ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କଠାରୁ ଅଧିକ ବର୍ଷେ ସମୟ ମଗାଯାଇଥିଲା । ତାକୁ ଆଧାର କରି ଏବେ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଦଳର ମୁଖିଆ ବିଶ୍ୱାସ ପ୍ରକଟ କରିଥିବାରୁ ଧନ୍ୟବାଦ ଜଣାଇବା ସହ ଏ ଗୁରୁଦାୟିତ୍ୱକୁ ସଠିକ ଢଙ୍ଗରେ ନିର୍ବାହ କରିବି ବୋଲି କହିଛନ୍ତି ପ୍ରତାପ ଦେବ
ସେ କହିଛନ୍ତି, "ମୁଁ ଏହି ଗୁରୁଦାୟିତ୍ୱ ମୁଁ ନିର୍ବାହ କରିବି । ପ୍ରଥମ ପର୍ଯ୍ୟାୟରେ ଦଳର ନିର୍ବାଚନ ପରିଚାଳନା ଅଧିକାରୀ ନିଯୁକ୍ତ କରାଯିବ । ତୃଣମୂଳ ସ୍ତରରୁ ସର୍ବୋଚ୍ଚ ସ୍ତର ପର୍ଯ୍ୟନ୍ତ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୁଏ । ଅଢେଇରୁ ତିନି ମାସ ଧରି ଚାଲିବ ବିଜେଡିର ସଂଗଠନ ପ୍ରକ୍ରିୟା। ପ୍ରଥମେ ମୁଁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବି ସେ ମୋ ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି । ଅତୀତରେ ମୁଁ ଦୁଇଥର ସାଙ୍ଗଠନିକ ନିର୍ବାଚନ ଦାୟିତ୍ୱ ନିର୍ବାହ କରିଥିଲି । ଏହା ଏକ ଗୁରୁଦାୟିତ୍ୱ, ପାର୍ଟିର ଆଭ୍ୟନ୍ତରୀଣ ନିର୍ବାଚନ ।"

  • ଜୁଲାଇରେ କମିଟି ଭଙ୍ଗ ହୋଇଥିଲା :

ସୂଚନା ଥାଉ କି, 24 ବର୍ଷର ବିଜେଡି ସରକାର କ୍ଷମତାରୁ ହଟିବା ପରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଜୁଲାଇ ମାସରେ ସମସ୍ତ କମିଟିକୁ ଭଙ୍ଗ କରିଥିଲେ । ଆଗକୁ କିଏ କେଉଁ ପଦ ପାଉଛି, କିଏ ହେଉଛି ପରବର୍ତ୍ତୀ ମୁଖିଆ ଏବଂ ଦଳ କାହାକୁ ଗୁରୁଦାୟିତ୍ବ ଦେଉଛି ତାହା ଉପରେ ରହିଛି ସମସ୍ତଙ୍କ ନଜର । ପୂର୍ବରୁ ଦଳରେ ବଡ ସାଙ୍ଗଠନିକ ଦାୟିତ୍ବରେ ଥିବା ନେତା ପୁଣି ଦାୟିତ୍ବ ପାଉଛନ୍ତି, ନା ନୂଆ ମୁହଁକୁ ଗୁରୁତ୍ବ ମିଳୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details