ସମ୍ବଲପୁର:ବଦଳିଲେ ସମ୍ବଲପୁର ଓ ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ । ସମ୍ବଲପୁର ବିଧାନସଭା ଆସନ ପାଇଁ ରୋହିତ ପୂଜାରୀ ଓ ରେଢ଼ାଖୋଲ ପାଇଁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରାଯାଇଛି । ଗତ ଏପ୍ରିଲ 11 ତାରିଖରେ ସମ୍ବଲପୁର ବିଧାନସଭା ଆସନ ପାଇଁ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରାଯାଇଥିଲା । ସେହିପରି ରେଢ଼ାଖୋଲ ବିଧାନସଭା ଆସନ ପାଇଁ ଇଂ ରୋହିତ ପୂଜାରୀଙ୍କୁ ବିଜେଡି ଟିକେଟ ଦେଇଥିଲା । ହେଲେ ଆଜି ବିଜେଡି଼ ପକ୍ଷରୁ ଉଭୟ ସମ୍ବଲପୁର ଓ ରେଢାଖୋଲ ଆସନର ପ୍ରାର୍ଥୀ ଅଦଳ ବଦଳ କରାଯାଇଛି । ପୂର୍ବରୁ ପ୍ରସନ୍ନ ଆଚାର୍ଯ୍ୟ ସମ୍ବଲପୁରକୁ ଆସୁନଥିବାବେଳେ ଏନେଇ ସମ୍ବଲପୁରରେ ରାଜନୈତିକ ଛକାପଞ୍ଝା ଜାରି ରହିଥିଲା । ସମ୍ବଲପୁର ବିଜେଡିର କିଛି ପ୍ରମୁଖ ନେତାଙ୍କ ସମର୍ଥକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରାର୍ଥୀତ୍ବ ନେଇ ଅସନ୍ତୋଷ ଜାହିର କରିଥିଲେ । ଏଭଳି ସ୍ଥିତିରେ ପ୍ରସନ୍ନ ସମ୍ବଲପୁରର ଟିକେଟ ନେଇ ଅସନ୍ତୋଷ ଥିବା ସହ ଭୁବନେଶ୍ୱରରେ ରହି ରେଢ଼ାଖୋଲ ସିଟ୍ ପାଇଁ ଲବି କରୁଥିଲେ ବୋଲି ଚର୍ଚ୍ଚା ହେଉଥିଲା ।
ଆଜି ଦଳ ସବୁ କଳ୍ପନା ଜଳ୍ପନାର ଅନ୍ତ କରି ରେଢ଼ାଖୋଲ ପାଇଁ ପ୍ରସନ୍ନ ଆଚାର୍ଯ୍ୟ ଓ ସମ୍ବଲପୁର ପାଇଁ ରୋହିତ ପୂଜାରୀଙ୍କ ପ୍ରାର୍ଥୀତ୍ବ ଘୋଷଣା କରିଛି । ଏନେଇ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ତଥା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ନିଜର ପତିକ୍ରିୟା ରଖି କହିଛନ୍ତି " ମୁଁ ନବୀନ ପଟ୍ଟନାୟକଙ୍କ ଜଣେ ସୈନିକ ଅଟେ । ବିଗତ ଦିନରେ ମୋତେ ଯାହା ଦାୟିତ୍ୱ ଦିଆଯାଇଛି ତାକୁ ନିଷ୍ଠାର ସମ୍ପନ୍ନ କରିଆସିଛି । ପୂର୍ବରୁ ମତେ ରେଢ଼ାଖୋଲ ଦାୟିତ୍ୱ ଦିଆଯାଇଥିଲା, ବର୍ତ୍ତମାନ ସମ୍ବଲପୁର ଦାୟିତ୍ୱ ଦିଆଯାଇଛି । ତାକୁ ନେଇ ମୁଁ ପ୍ରସ୍ତୁତ ରହିଛି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନକୁ ବଜାୟ ରଖିବି ବୋଲି ମୋର ଦୃଢ ବିଶ୍ୱାସ ରହିଛି । ମୁଁ ସମ୍ବଲପୁର ଆସନକୁ ଜିତି ଆମର ଲୋକସଭା ପ୍ରାର୍ଥୀ ହୋଇଥିବା ପ୍ରଣବ ପ୍ରକାଶ ଦାସକୁ ମଧ୍ୟ ବିଜୟୀ କରିବାରେ ସହାୟକ ହେବି ।"