ଓଡିଶା

odisha

ETV Bharat / politics

ଅତନୁଙ୍କ ସରକାର ଗଠନ ଫର୍ମୁଲାକୁ ନେଇ ତେଜିଲା ରାଜନୀତି

ଅତନୁ ସବ୍ୟସାଚୀ ନାୟକଙ୍କ ମନ୍ତବ୍ୟକୁ ନେଇ ରାଜନୈତିକ ଉଷ୍ମତା । ବିଜେଡି କଂଗ୍ରେସ ମେଣ୍ଟ ଚର୍ଚ୍ଚା ଉପରେ ଜବାବ ରଖିଲା ବିଜେପି ।

Atanu's Explosive Statement
Atanu's Explosive Statement (ETV Bharat Odisha)

By ETV Bharat Odisha Team

Published : Nov 11, 2024, 6:13 PM IST

ଭୁବନେଶ୍ୱର: ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକଙ୍କ ମନ୍ତବ୍ୟକୁ ନେଇ ଦେଖାଦେଇଛି ରାଜନୈତିକ ଉଷ୍ମତା । ବିଜେପିକୁ ଭାଙ୍ଗି କଂଗ୍ରେସ ସହ ମେଣ୍ଟ କରି ସରକାର ଗଢିବାକୁ ମନ୍ତବ୍ୟ ଦେଇଛନ୍ତି ବିଜେଡିର ଏହି ବରିଷ୍ଠ ନେତା । ଏହା ଦିବା ସ୍ୱପ୍ନ ବୋଲି ବିଜେପି ବିଧାୟକ କହିଥିବାବେଳେ ହାଇକମାଣ୍ଡଙ୍କ ସହ ଆଲୋଚନା କରିବାକୁ କଂଗ୍ରେସ ବିଧାୟକ କହିଛନ୍ତି । ଅନ୍ୟପଟେ ରାଜନୀତିରେ ସବୁ କିଛି ସମ୍ଭବ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ପ୍ରଭୁକଲ୍ୟାଣ ମହାପାତ୍ର ।

ସଂଗଠନ ବଞ୍ଚାଇବା ଯୋଜନା:

Atanu's Explosive Statement (ETV Bharat Odisha)
ଦେବାଶିଷ ସାମନ୍ତରାୟ, ଅମର ପଟ୍ଟନାୟକ ଓ ମୁନା ଖାଁଙ୍କ ପରେ ବିଜେଡି ସରକାର ଗଠନ ନେଇ ଆଉ ଜଣେ ବରିଷ୍ଠ ନେତାଙ୍କ ଦମ୍ଭୋକ୍ତି । କେନ୍ଦ୍ରାପଡାରେ ଦଳ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସରକାର ଗଠନ ନେଇ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଓଡ଼ିଶା ଲୋକ ପ୍ରସ୍ତୁତ ହୋଇସାରିଲେଣି । ବିଜେଡିର 51, କଂଗ୍ରେସର 14 ଓ ସ୍ୱାଧୀନ 3 ମିଶେଇ 67 । ଆଉ କେତେ ବାକି ରହିଲା 7 ସଦସ୍ୟ ।"

'ଭବିଷ୍ୟତରେ ଆମ ପାଇଁ ଅଛି ସୁଯୋଗ'

ସେପଟେ ଅତନୁଙ୍କ ମନ୍ତବ୍ୟକୁ ସମର୍ଥନ କରିଛନ୍ତି ବିଜେଡି ବିଧାୟକ ରମାକାନ୍ତ ଭୋଇ । ରମାକାନ୍ତ କହିଛନ୍ତି, "ଅତନୁ ସବ୍ୟସାଚୀ ନାୟକ ଜଣେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ । ଅତନୁ ବାବୁଙ୍କ ବକ୍ତବ୍ୟରେ ନିଶ୍ଚୟ ସତ୍ୟତା ରହିଛି । ନିଶ୍ଚୟ ଭାବେ ସୂଚନା ସଂଗ୍ରହ କରି ସେ ଏହି ମନ୍ତବ୍ୟ ଦେଇଥିବେ । କିଛି ଅସମ୍ଭବ ନୁହେଁ, ଏମିତି ହୋଇପାରେ । ସମୟ ଅନୁସାରେ କିଛି ପରିବର୍ତ୍ତନ ହୋଇପାରେ । ଏକ ତୃତୀୟାଂଶ ସଦସ୍ୟ ଫ୍ୟାକ୍ଟର ଅଛି । ଆଜି କହିବା ଠିକ ନୁହେଁ । ବର୍ତ୍ତମାନ ନହେଲେ ଭବିଷ୍ୟତରେ ଘଟିପାରେ । କିନ୍ତୁ ଆମ ପାଇଁ ସୁଯୋଗ ମଧ୍ୟ ରହିଛି । ଉପର ସ୍ତରରେ କଥା ହୋଇ ସେ ନିଶ୍ଚୟ ଏହା କହିଥିବେ ।"

'ବିଜେଡିର ଦିବା ସ୍ୱପ୍ନ ହେବନାହିଁ ସତ'

ଅତନୁଙ୍କ ମନ୍ତବ୍ୟର କଡା ଜବାବ ରଖିଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ । ସରୋଜ କହିଛନ୍ତି, "ଏହି ସଂଖ୍ୟା ବିଜେପି ସଦସ୍ୟଙ୍କର ଏକ ତୃତୀୟାଂଶ ହେଉଛି କି ? ଏକ ତୃତୀୟାଂଶ ନହେଲେ ସେମାନଙ୍କ ସଭ୍ୟ ପଦ ରଦ୍ଦ ହୋଇଯିବ । ଆଉ କାହାକୁ ନେଇ ସରକାର କରିବେ । ଗଣିତ ଭଲସେ ଜାଣିଛନ୍ତି ନା ନାହିଁ । ଅତନୁ ସବ୍ୟସାଚୀ ନାୟକ ବରିଷ୍ଠ ବିଧାୟକ । ଅନେକ ଥର ବିଧାୟକ ହେଲେଣି, ମନ୍ତ୍ରୀ ଥିଲେ । ସେ ଭଲ ଭାବେ ଗଣିତ ଜାଣିଥିବେ । ବିଜେଡିର ଏକ ତୃତୀୟାଂଶ ବିଜେପିକୁ ଆସିବାକୁ ପ୍ରସ୍ତୁତ ହୋଇ ଅଛନ୍ତି । ଅତନୁ ଭୂଆଁ ବୁଲାଉଛନ୍ତି ଓ ବାହାସ୍ପଟ ମାରୁଛନ୍ତି । ନିୟମ ନଥାଇ ବେନିୟମ କଥା କହିଲେ କେମିତି ହେବ । ବିଜେଡି ଛାଡି ସମସ୍ତେ ଡେଇଁବାରେ ବ୍ୟସ୍ତ । ସାଂସଦ ଆସିଲେଣି । ବିଧାୟକ ଆସିବେ । ହାରିଥିବା ନେତା ବି ଆସିବେ । ବିଜେଡି ଦିବା ସ୍ୱପ୍ନ ଦେଖୁଛି ଯାହା କେବେ ସତ ହେବନାହିଁ । ଆଉ କିଛି ଦିନରେ ବିଜେଡି 5 ଭାଗ ହୋଇଯିବ ।"

କଂଗ୍ରେସର ମତ:
ଅତନୁଙ୍କ ମନ୍ତବ୍ୟ ଓ ବିଜେଡି ସହ ମେଣ୍ଟ ନେଇ ମୁହଁ ଖୋଲିଛନ୍ତି କଂଗ୍ରେସ ବିଧାୟକ ମଙ୍ଗୁ ଖିଲ । ମଙ୍ଗୁ କହିଛନ୍ତି, "ବର୍ତ୍ତମାନର ସରକାର ଅସ୍ଥିର ସରକାର । ଫମ୍ପା ଭାଷଣ ମାରି ବିଜେପି ସରକାରକୁ ଆସିଛି । ବାସ୍ତବିକରେ ସେଭଳି କାର୍ଯ୍ୟ ହେଉନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ବିଜେଡି କଂଗ୍ରେସ ସହିତ ମିଶିନାହିଁ । ମେଣ୍ଟ କଥା ମୁଁ କହିଦେଲେ ହେବନାହିଁ । ସେମାନଙ୍କୁ ଆମ ହାଇକମାଣ୍ଡଙ୍କ ସହ ଆଲୋଚନା କରିବାକୁ ପଡିବ । କେତେବେଳେ କ'ଣ ହେବ ବିଜେପି ସରକାର ଡରୁଛନ୍ତି । ଯେକୌଣସି ମୁହୂର୍ତ୍ତରେ କିଛି ବି ହୋଇପାରେ । ତାହା ସମୟ କହିବ ।"

ସେପଟେ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ କହିଛନ୍ତି, "ଏହା ଆଦୌ ସମ୍ଭବ ନୁହେଁ, ବିଜେଡି ସହ କଂଗ୍ରେସ ମେଣ୍ଟ କରିବ ନାହିଁ । କଂଗ୍ରେସ କାହା ସହ ସାଲିସ କରିବ ନାହିଁ କି କାହା ସହ ଯିବନାହିଁ ବରଂ ନିଜ ବଳରେ ବଳିଆନ ହେବ ।"

ଏହା ବି ପଢନ୍ତୁ...ବିଜେଡି ନେତା ସୁଶାନ୍ତଙ୍କ ବିସ୍ଫୋରକ ବୟାନ: 'ପରାଜୟର କାରଣ ନବୀନଙ୍କ ଅଣଦେଖା ଓ ପରିଚାଳନା ତ୍ରୁଟି'

ଏହା ବି ପଢନ୍ତୁ...ବିଜେପି ବିଧାୟକଙ୍କ ବିସ୍ଫୋରକ ବୟାନ,'ଦଳରେ ମିଶିବେ ବିଜେଡିର ୨୭ ବିଧାୟକ'

ରାଜନୀତି ସମୀକ୍ଷକଙ୍କ ମତ:
ରାଜନୀତି ସମୀକ୍ଷକ ପ୍ରଭୁକଲ୍ୟାଣ ମହାପାତ୍ରକହିଛନ୍ତି, "ଆଗକୁ ରହିଛି ମହାରାଷ୍ଟ୍ର ଓ ଝାଡଖଣ୍ଡ ନିର୍ବାଚନ । ଏହି ଦୁଇ ରାଜ୍ୟର ନିର୍ବାଚନ ଫଳାଫଳ କଂଗ୍ରେସର ସ୍ଥିତି ସ୍ପଷ୍ଟ କରିବ ଯେ କେତେ ସୁଦୃଢ ହେଉଛି । ସେହି ଅନୁସାରେ ଜାତୀୟ ଓ ରାଜ୍ୟ ସ୍ତରର ସମୀକରଣ ପରିବର୍ତ୍ତନ ଘଟିବ । କଂଗ୍ରେସ ଏକାକୀ ହେଉ ଅବା ମେଣ୍ଟ କରି ସରକାରକୁ ଆସିବାକୁ ଚାହିଁବ । ଓଡିଶା ଅନ୍ୟତମ । ଯଦି ବି ବିଜେଡି ଓ କଂଗ୍ରେସ ମେଣ୍ଟ କରନ୍ତି, ଆହୁରି ସଂଖ୍ୟା ଅଭାବ ରହିବ । ତେଣୁ ବିଜେପିରୁ ବିଧାୟକ ନେବାକୁ ପଡିବ । ତାହା କେତେ ସମ୍ଭବ ଆଗକୁ ଜଣାପଡିବ । ରାଜନୀତି ଜଟିଳ, କେତେବେଳେ କଣ ହେବ କୁହାଯାଇନପାରେ । କ୍ଷମତା ପାଇଁ ରାଜନୀତିରେ ସବୁ କିଛି ହୋଇପାରିବ । ବିଜେଡିକୁ ଭାଙ୍ଗି ବିଜେପି ରାଜ୍ୟସଭାରେ ସ୍ଥିତି ସୁଦୃଢ କରୁଛି । ସେଥିରୁ ଦୃଷ୍ଟି ଫେରାଇବା ଓ କର୍ମୀଙ୍କ ମନୋବଳ ବୃଦ୍ଧି କରିବାକୁ ବିଜେଡି ଯୋଜନା କରିଛି । ସେଥିପାଇଁ ବିଜେଡି ନେତା ଏମିତି ବୟାନବାଜି କରୁଛନ୍ତି।"

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details