ଓଡିଶା

odisha

ETV Bharat / politics

'100' ସିଟକୁ ନେଇ ଅଟକିଛି କି ମେଣ୍ଟ ! କାହିଁକି ଏମିତି କହିଲେ ରାଜନୀତି ସମୀକ୍ଷକ ? - BJP BJD Alliance

BJP BJD Alliance: ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା ଏବେ ବି ଚାଲିଛି । ଯଦି ବିଧାନସଭାରେ ବିଜେଡିକୁ 100 ଆସନ ମିଳେ ତେବେ ଦୁଇ ଦଳ ମଧ୍ୟରେ ମେଣ୍ଟ ସମ୍ଭବ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ରବି ଦାସ । ଅଧିକ ପଢନ୍ତୁ,

Political Expert Rabi Das
Political Expert Rabi Das

By ETV Bharat Odisha Team

Published : Mar 19, 2024, 4:31 PM IST

Updated : Mar 19, 2024, 4:38 PM IST

ବିଧାନସଭାରେ ବିଜେଡିକୁ 100 ଆସନ ଦେଲେ ମେଣ୍ଟ ସମ୍ଭବ: ରବି ଦାସ

ଭୁବନେଶ୍ବର: କେବେ ହେବ ମେଣ୍ଟ ? କେଉଁଠି ରହିଛି ଅସୁବିଧା ? ଆସନ ଭାଗବଣ୍ଟା ଛିଡୁନି କି ବିଜେଡି ଓ ବିଜେପି ମଧ୍ୟରେ ? ଏମିତି ଅନେକ ପ୍ରଶ୍ନ ମଧ୍ୟରେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜନୀତି ସମୀକ୍ଷକ ରବି ଦାସ । ତାଙ୍କ କହିବା କଥା ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ନେଇ ଏବେ ବି କଥାବାର୍ତ୍ତା ଚାଲିଛି । ହେଲେ ଉଭୟ ଦଳ ପ୍ରଥମେ 147-147 ଆସନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଯଦି ବିଧାନସଭାରେ ବିଜେଡିକୁ 100 ଆସନ ମିଳେ ତେବେ ମେଣ୍ଟ ସମ୍ଭବ ବୋଲି କହିଛନ୍ତି ରବି ଦାସ ।

ମେଣ୍ଟ ଚର୍ଚ୍ଚା ମଧ୍ୟରେ ଗୋଟିଏ ପଟେ ନବୀନ ନିବାସରେ ଟିକେଟ ପାଇଁ ବିଭିନ୍ନ ବିଧାନସଭା ମଣ୍ଡଳୀରୁ ନେତାଙ୍କ ସୁଅ ଛୁଟୁଛି । ସେପଟେ ଦିଲ୍ଲୀରେ ଡେରା ପକାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମନମୋହନଙ୍କ ହାତରେ ରହିଛି ତାଲିକା । ଏହି ତାଲିକାକୁ ନେଇ ଦିଲ୍ଲୀ ଦରବାରରେ ଉପସ୍ଥାପନ କରିବେ ମନମୋହନ । ତା' ପରେ ଜଣାପଡିବ ବିଜେପିର କେଉଁ କେଉଁ ନେତାଙ୍କ ଉପରେ ବିଜେପିର ଶୀର୍ଷ ନେତୃତ୍ବ ମୋହର ମାରୁଛନ୍ତି । ଏହି ଅପେକ୍ଷା ଭିତରେ ମେଣ୍ଟର ଭବିଷ୍ୟତ କଣ ହେବ ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ତେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଗତାକାଲି ମେଣ୍ଟ ନେଇ ଦ୍ବନ୍ଦ୍ବ ନାହିଁ ବୋଲି କହିବା ପରେ ଏବଂ ସବୁ କିଛି ଶୀର୍ଷ ନେତୃତ୍ବଙ୍କ ଉପରେ ଛାଡ଼ିବା ପରେ ମେଣ୍ଟ ରାଜନୀତି ସରଗରମ ହୋଇଛି ।

ଏହା ବି ପଢନ୍ତୁ- ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ବଡ଼ ବୟାନ, 'ମେଣ୍ଟ ନେଇ ଦ୍ବନ୍ଦ୍ବ ନାହିଁ '

ଏ ନେଇ ବରିଷ୍ଠ ସାମ୍ବାଦିକ ତଥା ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, "ମେଣ୍ଟ କଥାବାର୍ତ୍ତା ଏବେ ବି ଚାଲିଛି । ସମ୍ପୂର୍ଣ୍ଣ ସଫଳ ହେବା ନେଇ ମଧ୍ୟ ଆଶା କରାଯାଉଛି । ଏହି ମେଣ୍ଟ ନେଇ ଲୋକେ ଭାବୁଥିବେ ହୁଏତ ବିଜେଡି ଭୟ ବି କରୁଥାଇପାରେ, କିନ୍ତୁ ବାସ୍ତବରେ ବିଜେପି ଭୟଭୀତ ଅଛି । ଲୋକସଭାରେ ଯେଉଁ ସଂଖ୍ୟାରେ ଲକ୍ଷ୍ୟ ରଖିଛନ୍ତି, ସେହି ସଂଖ୍ୟା ହାସଲ କରିବାକୁ ହେଲେ ଓଡିଶା ଗୋଟିଏ ରାଜ୍ୟ ଯେଉଁଠି ବିଜେପି ସଭ୍ୟ ସଂଖ୍ୟା ବଢାଇପାରିବ । ବାକି ଆସନ ମଧ୍ୟ ସେମାନଙ୍କ ସହିତ ରହିବେ । 21ରୁ 21 ଆସନ ବିଜେପି ସମର୍ଥନରେ ଯିବ । ଯାହାକି ମୋଦି ଓ ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ କରାୟତ କରି ରଖିଛି । ରାଜ୍ୟ ବିଜେପି ନେତା ଯେତେ ଯାହା କହିଲେ ମଧ୍ୟ ସେମାନେ ପ୍ରଭାବିତ ହେଉନାହାନ୍ତି । "

ଅପରପକ୍ଷରେ ବିଜେଡି 24 ବର୍ଷ ଶାସନ କ୍ଷମତାରେ ଅଛି । ନବୀନଙ୍କ ନେତୃତ୍ବ ଅଛି, ତେଣୁ ବିଜେପି ସାରା ଦେଶରେ ଯେଉଁଭଳି ଶାଖା ପ୍ରଶାଖା ମେଲାଇଛି ତାହା ମଧ୍ୟ ଗୁରୁତ୍ବ ରଖୁଛି । ଗତ 5 ବର୍ଷରେ ବିଜେପି ସହିତ ଶତ୍ରୁତା କରିନାହିଁ ବିଜେପି । ଯଦି ଏବେ ଶତ୍ରୁତା କରେ ତେବେ କେନ୍ଦ୍ରୀୟ ଏଜେନ୍ସିଗୁଡିକ ମାଡି ଆସିବେ ଓଡିଶା । ଯାହାକି ନବୀନ ଚାହୁଁନାହାନ୍ତି । କିନ୍ତୁ ଅନ୍ୟ ସବୁ କଥାରେ ବିଜେଡିର ପ୍ରାଧାନ୍ୟ ଯେଉଁ ବଳବତ୍ତର ରହିଛି ତାକୁ ସେ କାଏମ ରଖିବାକୁ ଯାଉଛନ୍ତି । ବିଧାନସଭାରେ ତାଙ୍କର ପ୍ରଭୁତ୍ବ କମାଇବାକୁ ଚାହୁଁନାହାନ୍ତି । ତେଣୁ ବିଜେଡି 100 ଆସନ ଲଢିବାରେ ଯଦି ବିଜେପି ରାଜି ହୋଇଯାଏ ତେବେ ମେଣ୍ଟ ହୋଇଯିବ । ସବୁ ପ୍ରସ୍ତୁତ ହୋଇ ରହିଛି ବୋଲି କହିଛନ୍ତି ରବି ଦାସ ।

ଏହା ବି ପଢନ୍ତୁ- ମେଣ୍ଟ ହେଲେ କାହାକୁ ଲାଭ ! 'ଲୋକସଭାରେ ବିଜେପିକୁ ମିଳିପାରେ ଅଧିକ ସିଟ୍, ବିଧାନସଭାରେ ବେଶୀ ଆସନ ଛାଡ଼ିବନି ବିଜେଡି'

ଏହା ଭିତରେ ବଡ଼ ପ୍ରଶ୍ନଟି ହେଲା କଣ ବିଜେପି ବିଜେଡିକୁ 100 ଆସନରେ ଲଢିବା ପାଇଁ ରାଜି ହେବ ? କାରଣ ବିଜେପି ପାଖରେ ଆଉ କିଛି ଚାରା ନାହିଁ । ବିଧାନସଭାରେ ନବୀନ ନିଜର କ୍ଷମତା ବଜାୟ ରଖିବାକୁ ଚାହୁଁଛନ୍ତି । ଲୋକସଭାରେ ବିଜେପି ଯେତେ ଚାହିଁବ ସେତେ ଦେବାରେ କୌଣସି ଅସୁବିଧା ନାହିଁ କିନ୍ତୁ ବିଧାନସଭାରେ ବିଜେଡିର ଗଣିତକୁ ଗ୍ରହଣ କରିବା ବିଜେପି ପାଇଁ କଷ୍ଟସାଧ୍ୟ ହୋଇପଡିଛି । ତେବେ ଜୁଏଲ ଓରାମଙ୍କ ମତରେ ସବୁ କିଛି ନିର୍ଭର କରୁଛି କେନ୍ଦ୍ରୀୟ ନେତୃତ୍ବ ଉପରେ । ମେଣ୍ଟ ନେଇ କୌଣସି ଦ୍ବନ୍ଦ୍ବ ନାହିଁ । ଶୀର୍ଷ ନେତୃତ୍ବ ଖୁବଶୀଘ୍ର ନିଷ୍ପତ୍ତି ନେବେ । ତେବେ ଦେଖିବାକୁ ବାକି ରହିଲା କଣ ହେଉଛି ବିଜେପି ବିଜେଡି ମେଣ୍ଟର ଭବିଷ୍ୟତ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 19, 2024, 4:38 PM IST

ABOUT THE AUTHOR

...view details