ପୁରୀ: ଆସନ୍ତା ୨୦ ତାରିଖରେ ପୁରୀ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଶେଷ କରି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବଡଦାଣ୍ଡର ଉଭୟ ପାର୍ଶ୍ଵରେ ଲୁହା ବ୍ୟାରିକେଡ଼ ବ୍ୟବସ୍ଥା ହୋଇଛି । ଲୋକ ମାନେ ଯେଭଳି ବ୍ୟାରିକେଡ଼ରେ ରହି ପ୍ରଧାନମନ୍ତ୍ରୀଙ୍କ ରୋଡ଼ ସୋ ଦେଖି ପାରିବେ ସେ ନେଇ ସବୁ ବ୍ୟବସ୍ଥା ହୋଇଛି । ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ବଡଦାଣ୍ଡରେ ଏକ ରୋଡ ସୋରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଲୋକଙ୍କୁ ଅନୁରୋଧ କରିବେ ।
ଆସନ୍ତା 20 ତାରିଖ ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏହା ପରେ ସକାଳ 7 ଟାରେ ଶ୍ରୀମନ୍ଦିର ସିଂହ ଦ୍ବାରରୁ ବଡଦାଣ୍ଡର ମେଡ଼ିକାଲ ଛକ ଯାଏଁ ରୋଡ ସୋ ଯୋଗଦେବେ । ତେବେ ପ୍ରଧାନମନ୍ତ୍ରୀଙ୍କ ଆଗମନକୁ ନେଇ ତାଙ୍କର କୌଳିକ ପଣ୍ଡା ବେଶ୍ ଖୁସି ଓ ଉତ୍ସାହିତ ଅଛନ୍ତି । ପ୍ରଧାନମନ୍ତ୍ରୀଙ୍କ କୌଳିକ ପଣ୍ଡା ରଘୁନାଥ ଗୋଛିକାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଵାଗତ ପାଇଁ ସେ ସମ୍ପୂର୍ଣ ପ୍ରସ୍ତୁତ । ଶ୍ରୀମନ୍ଦିର ସିଂହ ଦ୍ଵାର ନିକଟରେ ମହାପ୍ରଭୁଙ୍କ ଶ୍ରୀ ଅଙ୍ଗ ଲାଗି ଖଣ୍ଡୁଆ ଦେଇ ସେ ପ୍ରଧାନମନ୍ତ୍ରୀଙ୍କୁ ସ୍ଵାଗତ କରି ଶ୍ରୀ ମନ୍ଦିର ଭିତରକୁ ସେ ପାଛୋଟି ନେବେ । ଶ୍ରୀମନ୍ଦିର ଭିତରେ ରତ୍ନ ସିଂହାସନରେ ପ୍ରଥମେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବେ ।
ଏହା ମଧ୍ୟ ପଢନ୍ତୁ ....ପ୍ରଚାରରେ କମ୍ପିବ ବଡଦାଣ୍ଡ, ମୋଦିଙ୍କ ରୋଡ ସୋକୁ କାଉଣ୍ଟର କରିବ ପାଣ୍ଡିଆନଙ୍କ ଶକ୍ତି ପ୍ରଦର୍ଶନ - VK PANDIAN ROAD SHOW