ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଦୁର୍ବଳ ହେଉଛି କଂଗ୍ରେସ । ଖାଲି ହେଉଛି ହାତ ମୁଠା । କଂଗ୍ରେସର ହାତ ଛାଡ଼ି ରାଜ୍ୟର ଏକାଧିକ ନେତା ଅଲଗା ଦଳରେ ସାମିଲ ହୋଇସାରିଲେଣି । ଏଭଳି ସ୍ଥିତିରେ ତୃଣମୂଳସ୍ତରରେ ଦଳ ନିଜର ଅସ୍ତିତ୍ବ ସୁଦୃଢ଼ କରିବାକୁ କଂଗ୍ରେସ ଭବନରେ ମାନସ ମନ୍ଥନ ଚଳାଇଛି । ସମସ୍ତ 32 ସାଙ୍ଗଠନିକ ଜିଲ୍ଲାର ସଭାପତି ମାନଙ୍କୁ ଏକାଠି କରି 2024 ସାଧାରଣ ନିର୍ବାଚନ ନେଇ ଖସଡ଼ା ପ୍ରସ୍ତୁତ କରୁଛି କଂଗ୍ରେସ । ନିର୍ବାଚନ ପୂର୍ବରୁ ଜିଲ୍ଲା ସଭାପତିମାନଙ୍କୁ ନେଇ କଂଗ୍ରେସ ଭବନରେ ଆଜି ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା ।
ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ଏହି ବୈଠକ ବସିଥିଲା । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଜନତାଙ୍କ ପାଖକୁ ଯିବାକୁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଛି କଂଗ୍ରେସ । ନିର୍ବାଚନ ପୂର୍ବରୁ ଜିଲ୍ଲାସ୍ତରରେ ସଂଗଠନ ସଜାଡୁଛି କଂଗ୍ରେସ । ୱାର୍ ରୁମ୍ ଗଠନ ହେବା ସହ ପ୍ରତିଦିନ ଆଞ୍ଚଳିକ ସମସ୍ୟାକୁ ନେଇ ସାମ୍ବାଦିକ ସମ୍ମିଳନୀ ଏବଂ କଂଗ୍ରେସର ଉନ୍ନତି ପାଇଁ ବୈଠକରେ ଆଲୋଚନା ହୋଇଛି । ସଙ୍ଗଠନକୁ ସୁଦୃଢ କରୁଥିବା ଜିଲ୍ଲା ସଭାପତିମାନଙ୍କ ସହ ଆଲୋଚନ ହୋଇଛି । କଣ ସବୁ ସମସ୍ୟା ହେଉଛି ଆଉ ତାର ସମାଧାନ ସମ୍ପର୍କରେ ଆଲୋଚନା ହୋଇଛି । ନିୟମିତ ଭାବେ ତୃଣମୂଳସ୍ତରରେ ସମୀକ୍ଷା କରାଯିବ ବୋଲି କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ କହିଛନ୍ତି ।