ଓଡିଶା

odisha

By ETV Bharat Odisha Team

Published : Jan 25, 2024, 7:15 AM IST

ETV Bharat / politics

କର୍ପୁରୀ ଠାକୁରଙ୍କୁ ଭାରତରତ୍ନ: ଭାବୁକ ହେଲେ ନୀତିଶ, ରାହୁଲ ସ୍ବାଗତ କଲେ ଜାତିଗତ ଗଣନା ପ୍ରସଙ୍ଗ ଉଠାଇଲେ

Bharat Ratna To Karpoori Thakur: ୨୦୨୪ ସାଧାରଣ ନିର୍ବାଚନୀ ପୂର୍ବରୁ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ଭାରତରତ୍ନ । ନୀତିଶ ଓ ତେଜସ୍ବୀ କହିଲେ ଦୀର୍ଘବର୍ଷର ଦାବି । ରାହୁଲ କହିଲେ ଜାତିଗତ ଜନଗଣନା କାର୍ଯ୍ୟକାରୀ କର । ଅଧିକ ପଢନ୍ତୁ

କର୍ପୁରୀ ଠାକୁରଙ୍କୁ ଭାରତରତ୍ନ: ମାଇଲେଜ ନେବା ପାଇଁ ସମସ୍ତେ ପ୍ରସ୍ତୁତ, ରାହୁଲ ଉଠାଇଲେ ଜାତିଗତ ଜନଗଣନା ପ୍ରସଙ୍ଗ
କର୍ପୁରୀ ଠାକୁରଙ୍କୁ ଭାରତରତ୍ନ: ମାଇଲେଜ ନେବା ପାଇଁ ସମସ୍ତେ ପ୍ରସ୍ତୁତ, ରାହୁଲ ଉଠାଇଲେ ଜାତିଗତ ଜନଗଣନା ପ୍ରସଙ୍ଗ

ପାଟନା: ଗତକାଲି ଥିଲା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କ ଜନ୍ମ ଶତବାର୍ଷିକୀ । ଜନ୍ମ ଶତବାର୍ଷିକୀର ମାତ୍ର ଗୋଟିଏ ଦିନ ପୂର୍ବରୁ ଭାରତ ସରକାର ଦେଶର ସର୍ବୋଚ୍ଚ ସମ୍ମାନ 'ଭାରତରତ୍ନ' ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି । ଯାହାକୁ ନେଇ ବିହାର ରାଜନୀତି ଉଷ୍ମ ହେବାରେ ଲାଗିଛି । ଦୀର୍ଘବର୍ଷ ହେବ ଠାକୁରଙ୍କୁ ଭାରତରତ୍ନ ପ୍ରଦାନ କରିବା ପାଇଁ ଦାବି ହୋଇଆସୁଥିଲା ବେଳେ ସାଧାରଣ ନିର୍ବାଚନର ମାତ୍ର ଦୁଇମାସ ପୂର୍ବରୁ କେନ୍ଦ୍ରର ଏହି ଘୋଷଣାନାମାରେ ବିରୋଧୀ ରାଜନୈତିକ ଗନ୍ଧ ବାରିଛନ୍ତି । କର୍ପୁରୀଙ୍କୁ ଭାରତରତ୍ନ ପ୍ରଦାନ ନେଇ ରାଜ୍ୟର ସମସ୍ତ ରାଜନୈତିକ ଦଳ ମାଇଲେଜ ନେବା ପାଇଁ ଚାହୁଁଛନ୍ତି । କର୍ପୂରୀ ଠାକୁର ବିହାର ରାଜନୀତିରେ ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ବ ରହିଥିଲେ । ତାଙ୍କର ସମାଜବାଦୀ ଚିନ୍ତାଧାରା ଓ ଦଳିତଙ୍କ ସାମାଜିକ ଉତ୍ଥାନ ପାଇଁ ବରିଷ୍ଠ ଅବଦାନ ରହିଛି ।

ଏହି ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ପ୍ରଂଶସା କରିଥିଲେ । ଏହାପରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ନୀତିଶ କହିଛନ୍ତି, ‘‘ଆମର ସରକାର ଗଠନ ହେବା ଦିନ ଠାରୁ ଅର୍ଥାତ 2007ରୁ ୨୦୨୩ ଯାଏଁ ପ୍ରତ୍ୟେକ ବର୍ଷ ଜନନାୟକ କର୍ପୂରୀ ଠାକୁରଙ୍କୁ ଭାରତରତ୍ନ ପ୍ରଦାନ କରିବା ପାଇଁ ଦାବି କରିଆସିଛୁ, ଯାହା ଆଜି ସଫଳ ହୋଇଛି । ଏଥିପାଇଁ ମୁଁ ସରାକାରଙ୍କୁ ଧନ୍ୟବାଦ ଦେବା ପାଇଁ ଚାହୁଁଛି ,ଏହା ଆନନ୍ଦର ବିଷୟ । ସେ ଗରିବ ଏବଂ ପଛୁଆ ବର୍ଗ ଲୋକଙ୍କ ପାଇଁ ବହୁ କାମ କରିଛନ୍ତି । ରାଜ୍ୟର ଶିକ୍ଷା ସହ ଅନ୍ୟାନ୍ୟ କ୍ଷେତ୍ରରେ ତାଙ୍କ ଅତୁଳନୀୟ ଅବଦାନ ରହିଛି । କେନ୍ଦ୍ର ସରକାର ବର୍ତ୍ତମାନ ବୁଝି ପାରିଲେ ଜନନାୟକ କର୍ପୂରୀ ଠାକୁରଜୀଙ୍କୁ ସମ୍ମାନ ଦେଲେ କିଛି ମିଳିପାରିବ । ସେ ଯାହା ହେଉ ଯେଉଁ କାରଣରୁ ମଧ୍ୟ ହେଉ ଏହାକୁ ମୁଁ ସ୍ବାଗତ କରୁଛି ।

ଏହା ମଧ୍ୟ ପଢନ୍ତୁ .....ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମରଣୋତ୍ତର ଭାରତରତ୍ନ

ବିହାର ଉପମୁଖ୍ୟନ୍ତ୍ରୀ ତେଜସ୍ବୀ ଯାଦବ କହିଛନ୍ତି ,"ଏହା ଆମର ଦୀର୍ଘବର୍ଷର ଦାବି ଥିଲା । ପ୍ରଧାନମନ୍ତ୍ରୀ ମୋଦି ଯେତେବେଳେ ପ୍ରଥମେ ବିଧାନସଭାକୁ ଆସିଥିଲେ ସେତେବେଳେ ମଧ୍ୟ ତାଙ୍କ ସାମ୍ନାରେ ଦାବି ଉପସ୍ଥାପନା କରିଥିଲୁ । ଯଦି ଏହାର ପ୍ରଭାବ ରାଜନୈତିକ କୋଣରୁ ଦେଖାଯଏ, ତାହାଲେ ସାଧାରଣ ନିର୍ବାଚନ ପୂର୍ବରୁ ରାଜନୈତିକ ଗନ୍ଧ ବାରି ହେଉଛି । ସେ ଯାହା ହେଉ ଏହାକୁ ମୁଁ ସ୍ବାଗତ କରୁଛି ।"

ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଟ୍ବିଟ କରି ନିଷ୍ପତ୍ତିକୁ ସ୍ବାଗତ ଜଣାଇଛନ୍ତି । ରାହୁଲ କହିଛନ୍ତି,"ମୁଁ କର୍ପୁରୀଜୀଙ୍କ ଜନ୍ମ ଶତବାର୍ଷିକୀରେ ସାମାଜିକ ନ୍ୟାୟର ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ସେ ନିଶ୍ଚିତ ଭାବରେ ଭାରତର ଏକ ମୂଲ୍ୟବାନ ରତ୍ନ ଏବଂ ତାଙ୍କୁ ଭାରତରତ୍ନ ପୁରସ୍କାର ଦେବାର ନିଷ୍ପତ୍ତି ସ୍ବାଗତଯୋଗ୍ୟ । ହେଲେ ଦେଶରେ ବର୍ତ୍ତମାନ ‘ସାଙ୍କେତିକ ରାଜନୀତି’ ନୁହେଁ ‘ପ୍ରକୃତ ନ୍ୟାୟ’ର ଆବଶ୍ୟକ ରହିଛି ।

ରାହୁଲ କେନ୍ଦ୍ରର ଏହି ନିଷ୍ପତ୍ତିକୁ ସ୍ବାଗତ କରିଥିଲେ ସୁଦ୍ଧା ଜାତିଗତ ଜନଗଣନା ପ୍ରସଙ୍ଗ ଉଠାଇ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି । ୨୦୧୧ରେ ହୋଇଥିବା ଜାତୀୟ ଜନଗଣନାର ତଥ୍ୟ ଭାଜପା ସରକାର ଦ୍ବାରା ଲୁଚାଯାଇଛି । କେନ୍ଦ୍ର ସରକାର ଜାତୀୟ ଜନଗଣନା ପ୍ରତି ଉଦାସୀନତା ମଧ୍ୟ ଦେଖାଉଛି । ଜାତିଗତ ଜନଗଣନା କାର୍ଯ୍ୟକାରୀ କରାଯାଇ ପାରିଲେ କର୍ପରୀ ଠାକୁରଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ରାହୁଲ କହିଛନ୍ତି ।

ଗତ ମଙ୍ଗଳବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦି ଏହି ପ୍ରସଙ୍ଗରେ ଟ୍ବିଟ କରି ଖୁସିବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ,"ମୁଁ ଖୁସି ଯେ ଭାରତ ସରକାର ମହାନ ସାମାଜିକ ନ୍ୟାୟର ପ୍ରତୀକ କର୍ପୂରୀ ଠାକୁରଜୀଙ୍କୁ ‘ଭାରତରତ୍ନ’ ସମ୍ମାନ ସହ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତାଙ୍କ ଜନ୍ମ ଶତବାର୍ଷିକୀ ପାଳନ କରିବା ଅବସରରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବା ଆନନ୍ଦର ବିଷୟ । ଦଳିତଙ୍କ ଉନ୍ନତି ପାଇଁ ତାଙ୍କର ଅଦମ୍ୟ ପ୍ରତିବଦ୍ଧତା ଓ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ବ ଭାରତର ସାମାଜିକ-ରାଜନୈତିକ ଦୃଶ୍ୟପଟରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଛି । ଏହି ସମ୍ମାନ କେବଳ ତାଙ୍କର ଉଲ୍ଲେଖନୀୟ ଅବଦାନକୁ ସମ୍ମାନ ନୁହେଁ ବରଂ ଏକ ନ୍ୟାୟପୂର୍ଣ୍ଣ ତଥା ସମତା-ସମାଜ ଗଠନ କରିବାର ମିଶନ ଜାରି ରଖିବା ପାଇଁ ଆମକୁ ପ୍ରେରଣା ଯୋଗାଇବ ।’’

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଶେଷ ହୋଇଥିବା ଏକାଧିକ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ସମେତ ଏକାଧିକ ରାଜନୈତିକ ଦଳ ଜାତିଗତ ଜନଗଣନା ପ୍ରସଙ୍ଗକୁ ନିର୍ବାଚନୀ ମୁଦ୍ଦା କରିଥିଲେ । କେନ୍ଦ୍ର ସରକାର ଓବିସି ବିରୋଧୀ ବୋଲି କଂଗ୍ରେସ କହିଥିଲା । ଏପିରିକି ବିହାର ପ୍ରଥମ ରାଜ୍ୟ ଭାବେ ଜାତିଭିତ୍ତିକ ଜନଗଣନା ଶେଷ କରିବା ସହ ରିପୋର୍ଟ ମଧ୍ୟ ସାର୍ବଜନୀନ କରିଥିଲା । ବିଜେପି ପ୍ରଥମରୁ ଏହି ଜାତିଭିତ୍ତିକ ଜନଗଣନା ବିରୋଧରେ ରହିଆସିଛି । ସାଧାରଣ ନିର୍ବାଚନର ମାତ୍ର ୨ ମାସ ପୂର୍ବରୁ ଅଣବିଜେପିଶାସିତ ରାଜ୍ୟ ବିହାରର ଜଣେ ଓବିସି କର୍ଣ୍ଣଧାରଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିବାର ନିଷ୍ପତ୍ତି ବିରୋଧୀଙ୍କ ଓବିସି ରାଜନୀତିକୁ ମାତ ଦେବା ପାଇଁ ବିଜେପିର ଏକ ନିର୍ବାଚନୀ ରଣନୀତି ବୋଲି ଚର୍ଚ୍ଚା ହେଉଛି ।

ABOUT THE AUTHOR

...view details