ଓଡିଶା

odisha

By ETV Bharat Odisha Team

Published : Jun 7, 2024, 10:19 PM IST

ETV Bharat / politics

ସନା ମହାକୁଡ଼ ସବୁଠୁ ଧନୀ, ୮୫ ଜଣଙ୍କ ନାଁରେ ଅପରାଧିକ ମାମଲା - ADR Analysis Of All Elected MLAs

ADR Analysis Of All Elected MLAs: ଚଳିତ ନିର୍ବାଚନ ଜିତିଥିବା ୧୪୭ ବିଧାୟକଙ୍କ ସତ୍ୟପାଠର ବିଶ୍ଳେଷଣକୁ ନେଇ ପ୍ରକାଶ ପାଇଛି ଏଡିଆର ରିପୋର୍ଟ । ଚଳିତଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକଙ୍କ ମଧ୍ୟରୁ ସବୁଠୁ ଧନୀ କିଏ ? କେତେ ଜଣ ରହିଛନ୍ତି ଅପରାଧୀ ? ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣନ୍ତୁ,

ADR Analysis Of All Elected MLAs
ADR Analysis Of All Elected MLAs (ETV Bharat Odisha)

ଭୁବନେଶ୍ବର: ଶେଷ ହୋଇଛି ସାଧାରଣ ନିର୍ବାଚନ । ଫଳାଫଳ ମଧ୍ୟ ଘୋଷଣା ହୋଇଛି । ରାଜ୍ୟରେ ୧୪୭ ବିଧାନସଭା ଆସନରୁ ୭୮ ଆସନ ଜିତି ପ୍ରଥମ ଥର ସଂଖ୍ୟାଗରିଷ୍ଠତା ହାସଲ କରିଛି ଭାରତୀୟ ଜନତା ପାର୍ଟି । ୫୧ ଆସନ ବିଜେଡି ଖାତାକୁ ଯାଇଥିବାବେଳେ ୯ରୁ ୧୪ ଆସନରେ ପହଞ୍ଚିଛି କଂଗ୍ରେସ । ସିପିଆଇ(ଏମ୍‌) ଗୋଟିଏ ଓ ୩ ସ୍ବାଧୀନ ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଏଭଳି ୧୪୭ ବିଧାୟକଙ୍କ ସତ୍ୟପାଠର ବିଶ୍ଳେଷଣକୁ ନେଇ ପ୍ରକାଶ ପାଇଛି ଏଡିଆର ରିପୋର୍ଟ । ନଜର ପକାନ୍ତୁ ଆମ ରାଜ୍ୟ ବିଧାନସଭାକୁ ଏଥର ନିର୍ବାଚିତ ହୋଇଥିବା ବିଧାୟକଙ୍କ ମଧ୍ୟରେ କେତେଜଣ ବିଧାୟକ କୋଟିପତି ଓ କେତେଜଣ ନିଜ ନାମରେ ଅପରାଧିକ ମାମଲା ରହିଥିବା ସତ୍ୟପାଠରେ ଦର୍ଶାଇଛନ୍ତି..

ADR Analysis Of All Elected MLAs (ETV Bharat Odisha)

ଅପରାଧିକ ମାମଲା: ଏଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ୧୪୭ ବିଧାୟକଙ୍କ ମଧ୍ୟରୁ ୮୫ ଜଣଙ୍କ ନାମରେ ରହିଛି ଅପରାଧିକ ମାମଲା । ଅର୍ଥାତ ମୋଟ ବିଧାୟକଙ୍କ ମଧ୍ୟରୁ ୫୮ ପ୍ରତିଶତ ସେମାନଙ୍କ ନାମରେ ଅପରାଧିକ ମାମଲା ରହିଥିବା ସତ୍ୟପାଠରେ ଦର୍ଶାଇଛନ୍ତି । ସେହିଭଳି ୬୭(୪୬%) ବିଧାୟକଙ୍କ ନାମରେ ରହିଛି ଗୁରୁତର ଅପରାଧ ମାମଲା । ୨୦୧୯ରେ ୧୪୬ ବିଧାୟକଙ୍କ ରିପୋର୍ଟ ପ୍ରକାଶ ପାଇଥିବାବେଳେ ସେମାନଙ୍କ ମଧ୍ୟରେ ୬୭(୪୬%) ବିଧାୟକଙ୍କ ନାମରେ ଅପରାଧିକ ମାମଲା ରହିଥିଲା । ସେମାନଙ୍କ ମଧ୍ୟରୁ ୪୯(୩୪%) ବିଧାୟକ ସେମାନଙ୍କ ନାଁରେ ଗୁରୁତର ଅପରାଧିକ ମାମଲା ଥିବା ଦର୍ଶାଇଥିଲେ ।

ADR Analysis Of All Elected MLAs (ADR)

ବିଭିନ୍ନ ଦଳରେ ଅପରାଧିକ ମାମଲା ଥିବା ବିଧାୟକ: ବିଜେପିରୁ ଜିତିଥିବା ୭୮ ବିଧାୟକଙ୍କ ମଧ୍ୟରୁ ୫୫(୭୧%) ବିଧାୟକଙ୍କ ନାଁରେ ଅପରାଧିକ ମାମଲା ରହିଥିବାବେଳେ ୪୬(୫୯%) ବିଧାୟକଙ୍କ ନାଁରେ ରହିଛି ଗୁରୁତର ଅପରାଧିକ ମାମଲା । ସେହିଭଳି ବିଜେଡିରୁ ଜିତିଥିବା ୫୧ ବିଧାୟକଙ୍କ ମଧ୍ୟରୁ ୧୫(୨୯%) ବିଧାୟକଙ୍କ ନାଁରେ ରହିଛି ଅପରାଧିକ ମାମଲା । ସେମାନଙ୍କ ମଧ୍ୟରୁ ୧୨(୨୪%) ବିଧାୟକ ନିଜ ନାମରେ ଗୁରୁତର ଅପରାଧିକ ମାମଲା ଥିବା ନିଜ ସତ୍ୟପାଠରେ ଦର୍ଶାଇଛନ୍ତି । କଂଗ୍ରେସର ୧୪ ବିଧାୟକଙ୍କ ମଧ୍ୟରୁ ୧୧ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଥିବାବେଳେ ୫(୩୬%) ବିଧାୟକଙ୍କ ନାଁରେ ରହିଛି ଗୁରୁତର ଅପରାଧିକ ମାମଲା । ସିପିଆଇ(ଏମ୍‌)ରୁ ଜିତିଥିବା ଜଣେ ବିଧାୟକ ଓ ସମସ୍ତ ୩ ସ୍ବାଧୀନ ବିଧାୟକ ନିଜ ନିଜ ନାଁରେ ଗୁରୁତର ଅପରାଧିକ ମାମଲା ରହିଥିବା ସତ୍ୟପାଠରେ ପ୍ରକାଶ କରିଛନ୍ତି ।

ADR Analysis Of All Elected MLAs (ETV Bharat Odisha)

କୋଟିପତି ବିଧାୟକ: ଏଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ୧୪୭ ବିଧାୟକଙ୍କ ମଧ୍ୟରୁ ୭୩ ପ୍ରତିଶତ, ଅର୍ଥାତ ୧୦୭ ଜଣ ବିଧାୟକ ହେଉଛନ୍ତି କୋଟିପତି । ସେମାନେ ନିର୍ବାଚନ ପୂର୍ବରୁ ଦାଖଲ କରିଥିବା ପ୍ରାର୍ଥୀପତ୍ରରେ ନିଜ ସତ୍ୟପାଠରେ ଦର୍ଶାଇଥିବା ସମ୍ପତ୍ତି ତାଲିକା ଏହି ଏଡିଆର୍‌ ରିପୋର୍ଟରେ ପ୍ରକାଶ ପାଇଛି । ୨୦୧୯ ନିର୍ବାଚନରେ ୧୪୬ ଜଣ ବିଧାୟକଙ୍କ ରିପୋର୍ଟ ପ୍ରକାଶ ପାଇଥିବାବେଳେ ସେମାନଙ୍କ ମଧ୍ୟରୁ ୯୫(୬୫%) ବିଧାୟକ କୋଟିପତି ରହିଥିଲେ ।

ADR Analysis Of All Elected MLAs (ADR)

ବିଭିନ୍ନ ଦଳରେ ଥିବା କୋଟିପତି ବିଧାୟକ: ବିଜେପିରୁ ବିଜୟୀ ୭୮ ବିଧାୟକଙ୍କ ମଧ୍ୟରୁ ୬୭ ପ୍ରତିଶତ, ଅର୍ଥାତ ୫୨ ଜଣ ବିଧାୟକ ଦାଖଲ କରିଥିବା ସତ୍ୟପାଠରେ ନିଜ ସମ୍ପତ୍ତି ୧ କୋଟି ବା ତା'ଠାରୁ ଅଧିକା ବୋଲି ଦର୍ଶାଇଛନ୍ତି । ସେହିଭଳି ବିଜେଡିର ସମୁଦାୟ ୫୧ରୁ ୪୩(୮୪%) ବିଧାୟକଙ୍କ ସମ୍ପତ୍ତି କୋଟିଏରୁ ଅଧିକା । କଂଗ୍ରେସର ୯(୬୪%) ବିଧାୟକ କୋଟିପତି ହୋଇଥିବାବେଳେ ଜଣେ ସିପିଆଇଏମ୍‌ ଓ ୨ ଜଣ ସ୍ବାଧୀନ ବିଧାୟକ ନିଜକୁ କୋଟିପତି ବୋଲି ସତ୍ୟାପାଠରେ ଦର୍ଶାଇଛନ୍ତି ।

ADR Analysis Of All Elected MLAs (ADR)

ବିଧାୟକ ପ୍ରତି ହାରାହାରି ସମ୍ପତ୍ତି: ଏଥର ଓଡ଼ିଶା ବିଧାନସଭା ନିର୍ବାଚନରେ ଅନେକ କୋଟିପତି ବିଧାୟକ ନିର୍ବାଚିତ ହୋଇଛନ୍ତି । ତେଣୁ ୧୪୭ ବିଧାୟକଙ୍କ ମଧ୍ୟରେ ବିଧାୟକ ପ୍ରତି ହାରାହାରି ସମ୍ପତ୍ତିର ମୂଲ୍ୟ ହେଉଛି ୭.୩୭ କୋଟି । ୨୦୧୯ରେ ଏହି ମୂଲ୍ୟ ୪.୪୧ କୋଟି ରହିଥିଲା । ଅର୍ଥାତ ୨୦୧୯ ଅପେକ୍ଷା ଚଳିତ ଥର କୋଟିପତି ବିଧାୟକଙ୍କ ସଂଖ୍ୟା ବଢ଼ିଛି ।

ADR Analysis Of All Elected MLAs (ADR)

ସବୁଠାରୁ ଧନୀ ବିଧାୟକ: ଏଡିଆର୍‌ ରିପୋର୍ଟ ଅନୁଯାୟୀ ଚଳିତ ନିର୍ବାଚନରେ ବିଧାନସଭାକୁ ନିର୍ବାଚିତ ହୋଇଥିବା ୧୪୭ ବିଧାୟକଙ୍କ ମଧ୍ୟରେ ସବୁଠାରୁ ଧନୀ ହେଉଛନ୍ତି ଚମ୍ପୁଆରୁ ବିଜୟୀ ହୋଇଥିବା ବିଜେଡି ବିଧାୟକ ସନାତନ ମହାକୁଡ଼ । ସନାତନ ନିଜ ସତ୍ୟପାଠରେ ଦାଖଲ କରିଥିବା ସମ୍ପତ୍ତି ହେଉଛି ୨୨୭ କୋଟିରୁ ଅଧିକା । ତାଙ୍କ ତଳକୁ ରହିଛନ୍ତି ବାଲେଶ୍ବର ବସ୍ତାରୁ ନିର୍ବାଚିତ ବିଜେଡି ବିଧାୟିକା ସୁବାସିନୀ ଜେନା । ସୁବାସିନୀଙ୍କ ନାଁରେ ୧୩୫ କୋଟିରୁ ଅଧିକା ସମ୍ପତ୍ତି ଥିବା ତାଙ୍କ ସତ୍ୟପାଠରୁ ଜଣାପଡ଼ିଛି । ସେହିଭଳି ବଲାଙ୍ଗୀର ବିଧାୟକ ଭାବେ ଜିତିଥିବା ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓଙ୍କ ନାମରେ ରହିଛି ୭୩ କୋଟିରୁ ଅଧିକା ସମ୍ପତ୍ତି ।

ADR Analysis Of All Elected MLAs (ADR)

ସବୁଠାରୁ ଗରିବ ବିଧାୟକ: ଏଥର ନିର୍ବାଚିତ ହୋଇଥିବା ୧୪୭ ବିଧାୟକଙ୍କ ମଧ୍ୟରେ ସବୁଠାରୁ ଗରିବ ହେଉଛନ୍ତି ସଞ୍ଜଳୀ ମୁର୍ମୁ । ବିଜେପି ଟିକଟରେ ମୟୂରଭଞ୍ଜର ବାଙ୍ଗିରିପୋଷିରୁ ନିର୍ବାଚିତ ହୋଇଛନ୍ତି ସଞ୍ଜଳୀ । କାରଣ ସେ ନିଜ ସତ୍ୟପାଠରେ ଦର୍ଶାଇଥିବା ତଥ୍ୟ ଅନୁସାରେ ତାଙ୍କ ସମ୍ପତ୍ତି କେବଳ ୩୫ ହଜାରରୁ ଅଧିକା । ଏହି ତାଲିକାରେ ଦ୍ବିତୀୟରେ ରହିଛନ୍ତି ମାଲକାନଗିରି ଚିତ୍ରକୋଣ୍ଡାରୁ ଜିତିଥିବା କଂଗ୍ରେସ ବିଧାୟକ ମଙ୍ଗୁ ଖିଲ୍ଲ । ସେ ତାଙ୍କ ସମ୍ପତ୍ତି ୧ ଲକ୍ଷରୁ ଅଧିକା ବୋଲି ଦର୍ଶାଇଛନ୍ତି । ସେହିଭଳି ତାଲିକାର ତୃତୀୟରେ ରହିଥିବା କଂଗ୍ରେସ ବିଧାୟକ ପବିତ୍ର ସାଉନ୍ତଙ୍କ ସମ୍ପତ୍ତି ରହିଛି ୨ ଲକ୍ଷରୁ ଅଧିକା । ସେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରୁ ନିର୍ବାଚିତ ହୋଇଛନ୍ତି ।

ADR Analysis Of All Elected MLAs (ADR)

ଶିକ୍ଷାଗତ ଯୋଗ୍ୟତା: ସେହିପରି ଚଳିତ ଥର ନିର୍ବାଚନ ଜିତିଥିବା ୪୩(୨୯%) ବିଧାୟକ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ପଞ୍ଚମରୁ ଦ୍ବାଦଶ ପାସ୍‌ ବୋଲି ଦର୍ଶାଇଛନ୍ତି । ୧୪୭ ବିଧାୟକଙ୍କ ମଧ୍ୟରୁ ୯୭ ଜଣ, ଅର୍ଥାତ ୬୬ ପ୍ରତିଶତ ବିଧାୟକ ସ୍ନାତକ ବା ଏହାଠାରୁ ଅଧିକ ଶିକ୍ଷିତ ହୋଇଥିବାବେଳେ ୭ ବିଧାୟକ ଡିପ୍ଲୋମା କରିଥିବା ନିଜ ନିଜର ସତ୍ୟପାଠରେ ଦର୍ଶାଇଛନ୍ତି ।

ADR Analysis Of All Elected MLAs (ADR)

ଏହା ମଧ୍ୟ ପଢ଼ନ୍ତୁ...ନବୀନ ତୁଲାଇବେନି ବିରୋଧୀ ଦଳ ନେତା ଦାୟିତ୍ବ ! - Naveen Patnaik

ବୟସ ଅନୁଯାୟୀ ବିଧାୟକ: ଏଥର ବିଧାନସଭାକୁ ଅନେକ ଯୁବ ବିଧାୟକ ମଧ୍ୟ ଯାଇଛନ୍ତି । ଚଳିତ ନିର୍ବାଚନ ଜିତିଥିବା ୧୪୭ ବିଧାୟକଙ୍କ ମଧ୍ୟରୁ ୬୮ (୪୬ ପ୍ରତିଶତ)ଙ୍କ ବୟସ ୨୫ରୁ ୫୦ ବର୍ଷ ମଧ୍ୟରେ ରହିଛି । ସେହିଭଳି ଅନ୍ୟ ୭୯ (୫୪ ପ୍ରତିଶତ) ବିଧାୟକଙ୍କ ବୟସ ୫୧ରୁ ୮୦ ବର୍ଷ ମଧ୍ୟରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details