ବଲାଙ୍ଗୀର:ମାଳ ମାଳ ସମସ୍ୟା ଦେଇ ଗତି ଗତି କରୁଛି ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ନିର୍ବାଚନ ମଣ୍ଡଳୀ । ପ୍ରତାରଣା ପାଲଟିଛି ପ୍ରତିଶ୍ରୁତି । ନିର୍ବାଚନ ଆସେ ଆଉ ଯାଏ । ମାଳ ମାଳ ପ୍ରତିଶ୍ରୁତି ବର୍ଷା କରନ୍ତି ନେତା । ହେଲେ ସମସ୍ୟାରୁ ମୁକୁଳି ପାରନ୍ତିନି ଭୋଟର । ଅନେକ ନାମୀଦାମୀ ନେତାଙ୍କ ଏନ୍ତୁଡିଶାଳ ହେଉଛି ଲୋଇସିଂହା ନିର୍ବାଚନ ମଣ୍ଡଳୀ । ହେଲେ ବିକାଶ କଥା ଯଦି କହିବା ତାହାଲେ ବିଗ୍ ଜିରୋ । ଶିକ୍ଷା, ସ୍ବାସ୍ଥ୍ୟ,ଗମନାଗମନ, କୃଷି ଏବଂ ଦାଦନ ସମସ୍ୟାରେ ଯୁଝି ହେଉଛନ୍ତି ଜନତା । ଏଠାରୁ ସ୍ବର୍ଗତ ବିଧାୟକ ରାମ ପ୍ରସାଦ ମିଶ୍ର ,ନିତ୍ୟାନନ୍ଦ ମିଶ୍ର ,ଅନଙ୍ଗ ଉଦୟ ସିଂଦେଓ ଓ ନରସିଂହ ମିଶ୍ର ଭଳି ଟାଣୁଆ ନେତା ପରିଚୟ ପାଇଥିବା ବେଳେ ଯେତିକି ବିକାଶ ହେବା କଥା ସେତିକି ହୋଇନଥିବା ଲୋକେ ଅଭିଯୋଗ କରିଛନ୍ତି ।
ଲୋଇସିଂହା ନିର୍ବାଚନ ମଣ୍ଡଳୀ ଲୋକ ସବୁ ବେଳେ ନୂଆ ନେତାଙ୍କୁ ବାଛିଥାନ୍ତି । ହେଲେ ନେତା ତିଆରି କରୁଥିବା ଏହି କ୍ଷେତ୍ରର ବିକାଶକୁ ନେଇ ଏବେ ଉଠିଛି ପ୍ରଶ୍ନ । ନେତା ଏଠୁ ନିଜ ପ୍ରାରମ୍ଭିକ ରାଜନୀତି ଆରମ୍ଭ କରି ଆଜି ବେଶ ସଫଳ । ହେଲେ ଏ ଅଞ୍ଚଳର ଲୋକ କ'ଣ ପାଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଲୋଇସିଂହା ବିଧାନସଭା ଆସନ 1957ରେ ଗଠିତ ହୋଇଥିଲା । ନେତା ତିଆରି କରୁଥିବା ଏହି ମାଟି ଆଜି ବି ବିକାଶ ଠାରୁ ଦୂରରେ ଅଛି । ଏଠି ଆଜି ବି ବେରୋଜଗାରୀ, ଜଳସେଚନ, ଦାଦନ ସମସ୍ୟା ଭଳି ଅନେକ ସମସ୍ୟା ମଧ୍ୟରେ ଏ ଅଞ୍ଚଳ ଯୁଝୁଛି ।
ତେବେ 1957ରୁ ସ୍ବର୍ଗତ ବିଧାୟକ ରାମ ପ୍ରସାଦ ମିଶ୍ର ଓ ନିତ୍ୟାନନ୍ଦ ମିଶ୍ର ଦୁଇ ଦୁଇ ଥର ନିର୍ବାଚିତ ହୋଇଥିଲେ । ସେହିପରି ପରବର୍ତ୍ତୀ ସମୟରେ ଆଜିର ବିଜେଡିର ଅନଙ୍ଗ ଉଦୟ ସିଂହଦେଓ ମଧ୍ୟ ଏଠୁ 1974ରୁ ପ୍ରଥମ କରି ବିଜୟୀ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ବଲାଙ୍ଗୀର ବିଧାନସଭାରୁ ଆସନରୁ ପାଞ୍ଚ ଥର ବିଜୟୀ ହୋଇ ମନ୍ତ୍ରୀ ମଧ୍ୟ ଥିଲେ । ସେହିପରି 1980ରେ ଏଠିକାର ଲୋକେ ପୁଣି ନୂଆ ନେତା ବାଳ ଗୋପାଳ ମିଶ୍ରଙ୍କୁ ବିଧାନସଭା ପଠାଇଥିଲେ । ସେ ଚାରି ଥର ବିଜୟୀ ହୋଇ ରାଜନୀତିରେ ବେଶ ସଫଳ ହୋଇଥିଲେ । ସେହିପରି 1990ରେ ନେତା ନରସିଂହ ମିଶ୍ରଙ୍କୁ ବାଛି ଥିଲେ ଲୋକେ । ନରସିଂହ ପରବର୍ତ୍ତୀ ସମୟରେ ମନ୍ତ୍ରୀ ମଧ୍ୟ ହୋଇଥିଲେ ।
ପରେ ଲୋକେ 2014ରେ ଯୋଗେନ୍ଦ୍ର ବେହେରାଙ୍କୁ ନିର୍ବାଚିତ କରିଥିଲେ । ଯୋଗେନ୍ଦ୍ର ମଧ୍ୟ ଜିତିବା ପରେ ମନ୍ତ୍ରୀ ପଦ ପାଇଥିଲେ । ସେହିପରି 2019ରେ ବିଜେପିର ଜଣେ ଉଚ୍ଚ ଶିକ୍ଷିତ ବୈଜ୍ଞାନିକ ମୁକେଶ ମହାଲିଙ୍ଗଙ୍କୁ ବହୁମତ ଦେଇ ବିଧାନସଭା ପଠାଇ ଥିଲେ ଜନତା । ଏସବୁ ନେତା ନୂଆ ଭାବରେ ତାଙ୍କର ରାଜନୀତି କ୍ୟାରିୟର ଏଇଠୁ ହିଁ ଆରମ୍ଭ କରି ବେଶ୍ ସଫଳ ହୋଇଛନ୍ତି । ହେଲେ ଆଜି ବି ବିକାଶ ଅତି ମନ୍ଥର ଗତିରେ ରହିଛି ।