ନୂଆପଡା:ସାଧାରଣ ନିର୍ବାଚନର ତାରିଖ ନ ଘୋଷଣା ନ ହେଉଣୁ ସରଗରମ ହୋଇଛି ରାଜନୀତି । ପଶ୍ଚିମ ଓଡିଶାର ନୂଆପଡା ନିର୍ବାଚନ ମଣ୍ଡଳୀରେ ଦଳୀୟ ଟିକେଟ ପାଇଁ ଏବେଠୁ ରାଜନୀତି ସରଗରମ ହେବାରେ ଲାଗିଛି । ବିଜେଡି, ବିଜେପି ଓ କଂଗ୍ରେସ ସବୁଠି ନେତାଙ୍କ ଚାଲିଛି ଟିକଟ ପାଇଁ ଲବି । ଏଥି ପାଇଁ କିଏ ଭୁବନେଶ୍ବରରେ ଡେରା ପକାଇଛି ତ କିଏ ଗାଁ ଗାଁ ବୁଲି ଜନ ସମର୍ଥନ ଯୋଗାଡିବାରେ ଲାଗିଛନ୍ତି । ତେବେ ବିଗତ ନିର୍ବାଚନର ଟ୍ରେଣ୍ଡକୁ ଦେଖିଲେ ଜଣା ପଡେ ଯେ ନୂଆପଡାବାସୀ ପ୍ରତିଥର ନିଜର ବିଧାୟକଙ୍କୁ ପରିବର୍ତ୍ତନ କରିଛନ୍ତି ।
କେବେ ବିଜେଡି ତ କେବେ ବିଜେପି । ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆ ଏହିଠାରୁ ୩ ଥର ନିର୍ବାଚିତ ହୋଇ ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀ ମଧ୍ୟ ହୋଇଛନ୍ତି । ଏହାରି ମଧ୍ୟରେ ବିଧାୟକ ପ୍ରାର୍ଥୀ ରୂପେ ନିଜକୁ ପ୍ରସ୍ତୁତ କରି ଟିକେଟ ଲବିରେ ତିନି ପ୍ରମୁଖ ବିଜେପି,କଂଗ୍ରେସ, ବିଜେଡି ଦଳୀୟ ନେତା ଲାଗିପଡିଛନ୍ତି । ଗତ 2019 ନିର୍ବାଚନରେ ବିଜେପି ବିଧାୟକ ପ୍ରାର୍ଥୀ ହୋମସିଂ ମାଝୀଙ୍କ ଗତିବିଧି ଜଣାପଡୁନଥିବା ବେଳେ,ଶ୍ରମିକ ନେତା ଯଦୁମଣି ପାଣିଗ୍ରାହୀ, ବରିଷ୍ଠ ଆଇନଜୀବୀ ପ୍ରସନ୍ନ କୁମାର ପାଢୀ, ଖରିଆର ରୋଡ଼ ଏନଏସି ଚେୟାରମ୍ୟାନ ଶୋନିଆ ଜୈନ ଦଳୀୟ ଟିକେଟ ପାଇଁ ଲବି କରୁଥିବା ଜଣାପଡିଛି ।
କଣ କହୁଛନ୍ତି ଯଦୁମଣି ଓ ପ୍ରସନ୍ନ:- ଜିଲ୍ଲାରେ ଶ୍ରମିକ ନେତା ଭାବେ ପରିଚିତ ଯଦୁମଣି ପାଣିଗ୍ରାହୀ କହିଛନ୍ତି, "ଟିକେଟ ପାଇଁ ସେ ସମ୍ପୂର୍ଣ୍ଣ ଆଶାବାଦୀ ଅଛନ୍ତି । ଛାତ୍ର ଜୀବନରୁ ବିଜେପି ସହିତ ଜଡିତ ରହିଛି । ପ୍ରତିଟି ସମସ୍ୟା ଏବଂ ପ୍ରସଙ୍ଗକୁ ନେଇ ୨୦-୩୦ ବର୍ଷ ଧରି ନିରନ୍ତର ଲଢେଇ ଚାଲିଛି । ନୂଆପଡା ନିର୍ବାଚନ ମଣ୍ଡଳୀ ଏକ ନୂଆ ନେତୃତ୍ବ ଖୋଜୁଛି, ତେଣୁ ତାହା କେବଳ ବିଜେପି ହିଁ ପୂରଣ କରିପାରିବ ।"
ସେହିଭଳି ବରିଷ୍ଠ ଆଇନଜୀବୀ ପ୍ରସନ୍ନ କୁମାର ପାଢୀ କହିଛନ୍ତି, "ଦୀର୍ଘ ୪୦ ବର୍ଷ ଧରି ଲୋକଙ୍କ ସହିତ ରହିଛି ଆଉ କାମ ମଧ୍ୟ କରିଛି । ଏହା ସହିତ ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ମଧ୍ୟ ରହିଛି । ଆଗାମୀ ଦିନରେ ମୁଁ ନିଶ୍ଚୟ ଜିତିବି ଓ ମୋ ବିରୁଦ୍ଧରେ ଥିବା ପ୍ରାର୍ଥୀମାନେ ହାରର ସ୍ବାଦ ଚାଖିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ପ୍ରସନ୍ନ ।"
କଣ କହୁଛନ୍ତି କଂଗ୍ରେସ ନେତା ଘାସିରାମ :- ଗତଥର ଦ୍ବିତୀୟ ସ୍ଥାନରେ ଥିବା ଘାସିରାମ କହିଛନ୍ତି, "ଟିକେଟ ପାଇଁ ମୁଁ ୧୦୦ ପ୍ରତିଶତ ଆଶାବାଦୀ ରହିଛି । କାରଣ ରାଜ୍ୟ ପ୍ରଭାରୀ ଏବଂ ଅନ୍ୟ ଶୀର୍ଷ ନେତୃତ୍ବ ମାନେ କହିଛନ୍ତି ଯେ ଯାହାର ଜିତିବା ପ୍ରତିଶତ ଅଧିକା ରହିଛି ଓ ଗତ ନିର୍ବାଚନରେ ଭଲ ପ୍ରଦର୍ଶନ ରହିଛି ସେମାନଙ୍କୁ ଟିକଟ ଦିଆଯିବ । ତେଣୁ ମୋତେ ନିଶ୍ଚିନ୍ତ ଟିକେଟ ମିଳିବ । ବିଗତ ଦିନମାନଙ୍କରେ ବିଜେଡି ଓ ବିଜେପି ଉଭୟଙ୍କୁ ଲୋକ ସୁଯୋଗ ଦେଇଛନ୍ତି । ଏଥର ମୋତେ ସେ ସୁଯୋଗ ମିଳିବ ବୋଲି ଆଶାବାଦୀ ରହିଛି କାରଣ ଲୋକ ପରିବର୍ତ୍ତନ ଚାହୁଁଛନ୍ତି ।"
କଣ କହୁଛନ୍ତି ହରିଶ୍ଚନ୍ଦ୍ର:- ଜିଲ୍ଲା ବିଜେଡି ଯୁବ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା କହିଛନ୍ତି ଯେ ରାଜ୍ୟ ରେ ତଥା ଜିଲ୍ଲାରେ ୫ଟି ଉପକ୍ରମରେ ଅନେକ ବିକାଶ ହୋଇଛି । ଜିଲ୍ଲାରେ ୫ଟି ସ୍କୁଲ, ନୂଆ ବସଷ୍ଟାଣ୍ଡ, କଲେଜ ଭଳି ଅନେକ ବିକାଶର ଦୃଷ୍ଟାନ୍ତ ରହିଛି । କେବଳ କାଗଜ କଲମରେ ସୀମିତ ନରହି ରାଜ୍ୟ ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରିଛି । ବିଜେଡିର ନେତୃମଣ୍ଡଳୀ ଲୋକଙ୍କ ସହ ଆରମ୍ଭରୁ ଜଡିତ ରହିଛି , ତେଣୁ ଏଥର ବି ବିଜେଡି ନିଶ୍ଚୟ ଜିତିବ ।
ଏହା ମଧ୍ୟ ପଢନ୍ତୁ...ନିମାପଡ଼ା ବିଧାନସଭା କ୍ଷେତ୍ରରେ ରାଜନୈତିକ ତାତି, ପୁଣି ସମୀର ନା ହେବ ପରିବର୍ତ୍ତନ ?