ଓଡିଶା

odisha

ETV Bharat / politics

ବୌଦ୍ଧରେ ତ୍ରିମୁଖୀ ଲଢେଇ, ବିଜେଡିକୁ ଚେକମେଟ୍ ଦେବାକୁ ବିରୋଧୀଙ୍କ ସ୍ବତନ୍ତ୍ର ରଣନୀତି - Odisha Assembly Election 2024

Odisha Assembly Election 2024: ବୌଦ୍ଧରେ ଜମୁଛି ନିର୍ବାଚନୀ ପ୍ରଚାର । ଶାସକ ବିଜେଡ଼ି ଦଳକୁ ଚେକମେଟ ଦେବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛନ୍ତି ବିରୋଧୀ । ରୋଡ ସୋ', ରାଲିରେ କମ୍ପୁଛି ଜିଲ୍ଲା । ଅଧିକ ପଢନ୍ତୁ

By ETV Bharat Odisha Team

Published : May 3, 2024, 11:04 AM IST

Updated : May 3, 2024, 12:29 PM IST

Etv Bharat
Etv Bharat (Etv Bharat)

ବୌଦ୍ଧରେ ତ୍ରିମୁଖୀ ଲଢେଇ, ବିଜେଡିକୁ ଚେକମେଟ୍ ଦେବାକୁ ବିରୋଧୀଙ୍କ ସ୍ବତନ୍ତ୍ର ରଣନୀତି (Etv Bharat)

ବୌଦ୍ଧ:ରୋଡ ସୋ', ରାଲିରେ କମ୍ପୁଛି ବୌଦ୍ଧ । ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀର ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବା ପରେ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । କିଏ ଘର ଘର ବୁଲି ଭୋଟ ମାଗିଲାଣି ତ ଆଉ କିଏ ଶୋଭାଯାତ୍ରାରେ ଯାଇ ଭୋଟରଙ୍କ ନିକଟତର ହେବାକୁ ଚେଷ୍ଟା ଚଳାଇଛି । ଚଳିତ ନିର୍ବାଚନରେ ବୌଦ୍ଧର ଦୁଇଟି ଯାକ ଆସନରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ । ତେବେ ମୋଦି ଗ୍ୟାରେଣ୍ଟିକୁ ନେଇ ବିଜେପି ଶାସକ ବିଜେଡ଼ି ଦଳ ଉପରେ ଭାରି ପଡୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡ଼ି ଦଳ ପକ୍ଷରୁ ପାଞ୍ଚ ଥରର ବିଧାୟକ ପ୍ରଦୀପ କୁମାର ଅମାତଙ୍କୁ ଷଷ୍ଠ ଥର ପାଇଁ ପ୍ରାର୍ଥୀ କରିଥିବା ବେଳେ ସେ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି । ସେହିପରି ବିଜେପି ପକ୍ଷରୁ ଯୁବ ପ୍ରାର୍ଥୀ ତଥା ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ ଏବଂ କଂଗ୍ରେସରୁ ବରିଷ୍ଠ ନେତା ନବ କୁମାର ମିଶ୍ର ନାମାଙ୍କନ ଭରିଛନ୍ତି । ନିର୍ବାଚନକୁ ଦିନ କେଇଟା ଥିବାବେଳେ ଏବେ ତିନୋଟି ଯାକ ଦଳର ପ୍ରାର୍ଥୀ ଭୋଟରଙ୍କ ମନ ଜିଣିବା ପ୍ରୟାସରେ ଲାଗି ପଡିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସାରସକଣାରେ ବିଜେଡିର ଶକ୍ତି ପ୍ରଦର୍ଶନ, ଯୋଡି ଶଙ୍ଖରେ ଭୋଟ ଦେବାକୁ ଅପିଲ - Odisha Lok Sabha Election 2024

ବିଜେଡି ପ୍ରାର୍ଥୀ ପ୍ରଦୀପ କୁମାର ଅମାତ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଭାବମୂର୍ତ୍ତି ଓ ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ନେଇ ଭୋଟରଙ୍କ ନିକଟରେ ପହଞ୍ଚିୁଛନ୍ତି । ସେପଟେ ବିଜେପି ଦଳର ପ୍ରାର୍ଥୀ ସରୋଜ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ତଥା ମୋଦି ଗ୍ୟାରେଣ୍ଟିକୁ ମୁଦ୍ଦା କରି ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ଭୋଟ ଭିକ୍ଷା କରୁଛନ୍ତି । ଆଉ ଏଭଳି ସ୍ଥିତିରେ କଂଗ୍ରେସ ମଧ୍ୟ ପଛରେ ପଡିନାହିଁ । କଂଗ୍ରେସ ପ୍ରାର୍ଥୀ ନବ କୁମାର ମିଶ୍ର ନାମାଙ୍କନ ପତ୍ର ଦାଖଲ ପରେ ଦଳୀୟ ନେତା ଓ କର୍ମୀଙ୍କୁ ଏକତ୍ରିତ କରି ଘର ଘର ବୁଲି ଭୋଟ ମାଗୁଛନ୍ତି ।

ନିର୍ବାଚନ ପାଖେଇବା ସହ ବୌଦ୍ଧରେ ବେଶ୍ ଉଷ୍ମ ହେବାର ଲାଗିଛି ରାଜନୀତି ପାଣିପାଗ । ଖରା ତାତିଠୁ ବଳି ଯାଇଛି ନିର୍ବାଚନୀ ତାତି । ତେବେ ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ପ୍ରଚଣ୍ଡ ରୌଦ୍ରତାପରେ ହାଇଭୋଲଟେଜ ପ୍ରଚାର ସହ ନାମାଙ୍କନ ପାଇଁ ଯାଇଥିବା ଦେଖିବାକୁ ମିଳିଥିଲା । ଏହି ତିନି ପ୍ରମୁଖ ରାଜନୈତିକ ଦଳ ସହିତ ଆହୁରି କେତେକ ସ୍ବାଧୀନ ତଥା ଅନ୍ୟାନ୍ୟ ଦଳର ପ୍ରାର୍ଥୀ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଚଳିତ ସାଧାରଣ ନିର୍ବାଚନରେ ଶାସକ ବିଜେଡ଼ି ଦଳକୁ କଡା ଟକ୍କର ଦେବାକୁ ବିଜେପି ଓ କଂଗ୍ରେସ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛନ୍ତି ।

ଇଟିଭି ଭାରତ, ବୌଦ୍ଧ

Last Updated : May 3, 2024, 12:29 PM IST

ABOUT THE AUTHOR

...view details