ରାଉରକେଲା: ଓଡ଼ିଶାରେ ଜାରି ରହିଛି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା । ଆଜି (ବୁଧବାର) ରାଉରକେଲାରେ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତାମାନେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଜାତୀୟ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶଙ୍କ ସହ NSUI ପ୍ରଭାରୀ କହ୍ନେୟା କୁମାର ଏବଂ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାର ରାଜ୍ୟର ନବୀନ ଓ କେନ୍ଦ୍ରର ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି । ଏଥର ଶିକ୍ଷାକ୍ଷେତ୍ର ବଜେଟ ମଧ୍ୟ କମ କରିଛନ୍ତି ସରକାର । ଫଳରେ ବିଜେପି ସରକାର ସମ୍ପୂର୍ଣ୍ଣ ଶିକ୍ଷା ନୀତିକୁ ଏକ ପ୍ରକାର ଚୁରମାର କରିଦେଇଛି ବୋଲି କହ୍ନେୟା କୁମାର କହିଛନ୍ତି ।
NSUI ପ୍ରଭାରୀ କହ୍ନେୟା କୁମାର କହିଛନ୍ତି, "ଦେଶରେ ଏକ ଭ୍ରଷ୍ଟାଚାର ସରକାର ଚାଲିଛି । ପୂର୍ବରୁ କଂଗ୍ରେସ ସମୟରେ ଯେଉଁ ଶିକ୍ଷାନୀତି ଚାଲିଥିଲା, ତାହାକୁ ଧୂଳିସାତ କରିବାରେ ଲାଗିଛି ବିଜେପି ସରକାର । ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥା ଉପରେ ବଜେଟ ମଧ୍ୟ କମ କରିଛନ୍ତି ସରକାର । ଶିକ୍ଷା ବ୍ୟବସ୍ଥାରେ ପୂର୍ବରୁ ଯେଉଁ ଟଙ୍କା ଖର୍ଚ୍ଚ ହେଉଥିଲା, ବର୍ତ୍ତମାନ ସେହି ଟଙ୍କାର କେବଳ ୪୦ ପ୍ରତିଶତ ସରକାର ଶିକ୍ଷା ବ୍ୟବସ୍ଥାକୁ ନେଇ ବଜେଟ ଆଣିଛନ୍ତି । ଯାହା ସମ୍ପୂର୍ଣ୍ଣ ଶିକ୍ଷା ନୀତିକୁ ଚୁରମାର କରିଦେବ । ଶିକ୍ଷା ବ୍ୟବସ୍ଥା ଉପରେ ବଜେଟ ଖର୍ଚ୍ଚ ନକରି କେବଳ ପ୍ରଚାର ପ୍ରସାରରେ ଟଙ୍କା ଖର୍ଚ୍ଚ କରୁଛି ବିଜେପି । ବେଟି ବଚାଓ ଏବଂ ବେଟି ପଢ଼ାଓ ନାରା ଦେଇ କେନ୍ଦ୍ର ସରକାର ବହୁ ପ୍ରଚାର ପ୍ରସାର କରିଛନ୍ତି । କିନ୍ତୁ ଗୋଟିଏ ହେଲେ ସ୍କୁଲ ନିର୍ମାଣ କରିନାହାନ୍ତି । ଯାହା ଏହି ସରକାରର ଅସଲ ଚିତ୍ର ଦେଖାଇଛି । କେନ୍ଦ୍ର ସରକାର ବର୍ତ୍ତମାନ ଯେଉଁଭଳି ଭାବରେ ସରକାରୀ ସ୍କୁଲକୁ ବନ୍ଦ କରୁଛନ୍ତି, ଏହାପରେ ସରକାର ଏହି ସ୍କୁଲ ଜମିକୁ ଜମି ମାଫିଆକୁ ଟେକିଦେବାକୁ ଯୋଜନା କରୁଛନ୍ତି ।"