ଭୁବନେଶ୍ବର: ନବୀନ ନିବାସରେ ଜାରି ରହିଛି ଟିକେଟ କସରତ । ଗତକାଲି (ବୁଧବାର) ସନ୍ଧ୍ୟାରେ ନବୀନ ନିବାସରେ ନବରଙ୍ଗପୁର ସଂସଦୀୟ କ୍ଷେତ୍ରକୁ ନେଇ ସମୀକ୍ଷା ହେଉଛି । ଏଥିପାଇଁ ନବୀନ ନିବାସରେ ପହଞ୍ଚିଥିଲେ ନବରଙ୍ଗପୁର ସଂସଦୀୟ କ୍ଷେତ୍ରର ଜଣଙ୍କ ପରେ ଜଣେ ନେତା । ସବୁ ନିର୍ବାଚନ ମଣ୍ଡଳୀରେ ଦଳ କିପରି ଜିତିବ ସେ ନେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସୁପ୍ରିମୋ ।
ନବୀନ ନିବାସରେ ଗତକାଲି(ବୁଧବାର) ଅନୁଷ୍ଠିତ ହୋଇଛି ନବରଙ୍ଗପୁର ସଂସଦୀୟ କ୍ଷେତ୍ରର ବୈଠକ । ନବରଙ୍ଗପୁର ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଡାକରା ପାଇ ନବୀନ ନିବାସରେ ପହଞ୍ଚିଥିଲେ ଜଣେ ପରେ ଜଣେ ନେତା । ପର୍ଯ୍ୟବେକ୍ଷକଙ୍କ ସହ ବର୍ତ୍ତମାନ ଓ ପୂର୍ବତନ ସାଂସଦ ଓ ବିଧାୟକ ହୋଇଥିଲେ ବୈଠକରେ ସାମିଲ ।
ନବରଙ୍ଗପୁର ଜିଲ୍ଲାର ବିଜେଡି ପର୍ଯ୍ୟବେକ୍ଷକ ଇଶ୍ବର ପାଣିଗ୍ରାହୀ, ମାଲକାନଗିରିର ବିଜେଡି ପର୍ଯ୍ୟବେକ୍ଷକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ନବରଙ୍ଗପୁର ସାଂସଦ ରମେଶ ମାଝୀ, ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ପ୍ରଦୀପ ମାଝୀ, ଝରିଗାଁ ବିଧାୟକ ପ୍ରକାଶ ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ, ଉମରକୋଟର ପୂର୍ବତନ ବିଧାୟକ ସୁବାସ ଗଣ୍ଡ, ବିଜେଡି ନେତା ମାନସ ମାଡକାମି, ଚନ୍ଦ୍ର ଶେଖର ମାଝି ପ୍ରମୁଖ ନବୀନ ନିବାସରେ ପହଞ୍ଚିଲେ ।