ବଲାଙ୍ଗୀର: ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି ଅଙ୍କକଷା । ଜନତାଙ୍କ ଆସ୍ଥାଭାଜନ ଲାଗି କସରତ କଲେଣି ନେତା । ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ବି ରାଜନୈତିକ ହଲଚଲ ଆରମ୍ଭ ହୋଇଯାଇଛି । ଟିକେଟ୍ ପାଇଁ ଏବେଠୁ ଦେଖିବାକୁ ମିଳୁଛି ଧାଁ ଦୌଡ । ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ହେବାକୁ ଅନେକ ଆଶାୟୀ ସାମ୍ନାକୁ ଆସୁଛନ୍ତି । ଏଥିପାଇଁ ନିଜର ଦକ୍ଷତା ପ୍ରମାଣ କରିବାକୁ ସେମାନେ କସରତ ଆରମ୍ଭ କରିଦେଇଛନ୍ତି । ତେବେ ଟିଟିଲାଗଡ଼ବାସୀ ନୂଆ ନେତାଙ୍କୁ ବିଶ୍ବାସ କରି ଅନେକ ଥର ବିଜୟର ମୁକୁଟ ପିନ୍ଧାଇ ଥିବାର ଉଦାହରଣ ଅଛି । ତେଣୁ ଏଥର ଅନେକ ନୂଆ ନେତା ଏହି ଆଶା ନେଇ ରାଜନୈତିକ ମୈଦାନକୁ ଓହ୍ଲାଇବାକୁ ସ୍ଥିର କରିଛନ୍ତି । ନୂଆ ନେତାମାନେ ପୁରୁଖା ନେତାଙ୍କୁ ଚ୍ୟାଲେଞ୍ଜ ଦେବାକୁ ପ୍ରସ୍ତୁତ ହୋଇଛନ୍ତି ।
ବଲାଙ୍ଗୀର ଜିଲ୍ଲାର ଅନ୍ୟତମ ଓ ଗୁରୁତ୍ବପୂର୍ଣ୍ଣ ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି ଟିଟିଲାଗଡ଼ । ଏଠି ଏବେ 2 ଲକ୍ଷ 25 ହଜାରରୁ ଊର୍ଦ୍ଧ୍ବ ଭୋଟର ରହିଛନ୍ତି । ତେବେ ଟିଟିଲାଗଡ଼ ଜିଲ୍ଲା ତଥା ଓଡ଼ିଶାର ଅନ୍ୟତମ ପଛୁଆ ଅଞ୍ଚଳ ଭାବରେ ପରିଗଣିତ ହୋଇଆସିଛି । ଏଠାରେ ଅନେକ ନେତା ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରି ସଫଳ ହୋଇଛନ୍ତି । ଇତିହାସ ପୃଷ୍ଠାକୁ ନଜର ପକାଇଲେ ଏଠାରେ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ଚାରି ଥର ବିଧାୟକ ଭାବରେ ଜିତିଥିଲେ । ପ୍ରଥମ ଦୁଇ ଥର ସେ ଜନତା ଦଳରୁ ଓ ପରେ ବିଜୁ ଜନତା ଦଳରୁ ଟିକଟ ପାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେହିପରି ଏଠୁ କଂଗ୍ରେସ ପ୍ରାର୍ଥୀ ମଧ୍ୟ ପୂର୍ବରୁ ଚାରିଥର ବିଜୟ ବାନା ଉଡାଇ ସାରିଛନ୍ତି । ହେଲେ ବିଗତ ଦୁଇ ଥର ବିଧାନସଭା ନିର୍ବାଚନରେ ବିଜେଡି ଏଠି ବହୁମତରେ ଜିତି ଆସିଛି । ବିଜେଡି ନେତ୍ରୀ ଟୁକୁନି ସାହୁ ଏହି ଆସନରୁ ନିର୍ବାଚିତ ହୋଇ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ।
ରାଜ୍ୟରେ ବିଧାନସଭା ନିର୍ବାଚନ ବିଗୁଲ ନ ବାଜୁଣୁ ଆଶାୟୀଙ୍କ ଭିଡ଼ ବଢିଲାଣି । କଂଗ୍ରେସ ଦଳରୁ ମୁକେଶ ଜୈନ ଟିଟିଲାଗଡ ଟିକେଟ ଆଶା ରଖିଛନ୍ତି । ଏନେଇ ମୁକେଶ କହିଛନ୍ତି, ''ଟିକେଟ୍ ପାଇ ଲୋକଙ୍କ ଲାଗି କାମ କରିବେ । ବିଜେଡିର ବର୍ତ୍ତମାନର ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁଙ୍କ ପ୍ରତି ଲୋକଙ୍କ ଭରସା କମିଛି । ତେଣୁ ଚଳିତ ନିର୍ବାଚନରେ ଟିଟିଲାଗଡରେ କଂଗ୍ରେସ ଓ ବିଜେପି ମଧ୍ୟରେ ଜୋରଦାର ଲଢେଇ ହେବ । ସ୍ୱାସ୍ଥ୍ୟ, ଶିକ୍ଷା, ରାସ୍ତାଘାଟ ତଥା ଟିଟିଲାଗଡ଼ ଜିଲ୍ଲା ଦାବି ଏଥର ମୁଖ୍ୟ ମୁଦ୍ଦା ହେବ ଓ ଏଥିପାଇଁ ଲୋକେ କଂଗ୍ରେସକୁ ଭୋଟ ଦେଇ ଜିତାଇବେ ।'' ସେହିପରି କଂଗ୍ରେସର ଆଉ ଜଣଏ ପୁରୁଖା ନେତା ସୁରେନ୍ଦ୍ର ସିଂହ ଭୋଇ ଟିଟାଲଗଡରୁ ଟିକେଟ ଆଶାୟୀ ରହିଛନ୍ତି । ଏମିତିର ଦଳ କାହାକୁ ବାଛିବ ତା' ଉପରେ ନଜର ରହିଛି ।
କଂଗ୍ରେସ ପରେ ବିଜେପି ଦଳରେ ମଧ୍ୟ ଦୁଇ ଜଣ ଦାବିଦାର ଟିକଟ ଆଶାୟୀ ଅଛନ୍ତି । ପୂର୍ବରୁ ଏଠି ବିଜେପି ଟିକେଟ ଦେବା ପାଇଁ ପ୍ରାର୍ଥୀ ଖୋଜୁଥିଲା । ବିଜେପିରୁ ଟିକେଟ ନେଇ ଲଢେଇ କରିବାକୁ ପ୍ରାର୍ଥୀ ମିଳୁନଥିଲେ । ହେଲେ ଏବେ ବିଜେପି ସ୍ଥିତିରେ ସୁଧାର ଆସିଛି । ପ୍ରଥମ କରି ଏଠି ବିଜେପିର ଦୁଇ ଜଣ ଆଶାୟୀ ସାମ୍ନାକୁ ଆସିଛନ୍ତି । ଜଣେ ହେଲେ ପୂର୍ବତନ ନଗରପାଳ ତଥା ବିଜେପି ନେତା ଶୁଭ୍ରା ଦାସ ଏବଂ ଆଉ ଜଣେ ନବୀନ ଜୈନ ।
ଆସନ୍ତା ନିର୍ବାଚନକୁ ନେଇ ଶୁଭ୍ରା ଦାସ କହିଛନ୍ତି ଯେ, ବିଜେପି ଏଠି ଲୋକପ୍ରିୟ ତଥା ଉଚିତ ପ୍ରାର୍ଥୀ ଦେଲେ ନିଶ୍ଚୟ ବିଜୟ ହେବ । ଏହାର କାରଣ ଏଠି ଏବେ ଶାସକ ଦଳ ସ୍ଥାନୀୟ ବିଧାୟିକା ଟୁକୁନି ସାହଙ୍କ ବିରୋଧ ଲହର ଚାଲିଛି । ବିଧାୟିକାଙ୍କ ଉପରୁ ଲୋକଙ୍କ ଭରସା ତୁଟିଯାଇଛି । ସେ ଦୁଇ ଥର ବିଧାୟିକା ହେବା ସହ ମନ୍ତ୍ରୀ ଅଛନ୍ତି ହେଲେ ଏଠିକାର ବିକାଶ ଆଜି ବି ହୋଇପାରି ନାହିଁ । ସ୍ବାସ୍ଥ୍ୟ, ଶିକ୍ଷା ସବୁକ୍ଷେତ୍ରରେ ଅଞ୍ଚଳରେ ପଛରେ ପଡିଛି । ଏଠିକାର ଜମି ମାଲିକ ଦାଦନ ଖଟି ଯାଉଛନ୍ତି । ସେହିପରି ୧୯୯୨ରୁ ଟିଟିଲାଗଡକୁ ଜିଲ୍ଲା ଦାବି ହୋଇଆସୁଛି । ଏହିସବୁ କାରଣରୁ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି । ସେ ଆହୁରିମଧ୍ୟ କହିଛନ୍ତି ଯେ, ସେ ନଗରପାଳ ଥିବାବେଳେ ସହରକୁ ଟ୍ରେନ ଯୋଗେ ପ୍ରଥମେ ପାଣି ଆଣିଥିଲେ । ସହରରେ ପିଇବା ପାଣି ବ୍ୟବସ୍ଥା, ରକ୍ତ ଭଣ୍ଡାର, ଓଭର ବ୍ରିଜ, ରୋଡ଼ ରାସ୍ତା ଓ ବିଦ୍ୟୁତିକରଣ ଭଳି ଅନେକ ଲୋକଭିମୁଖୀ କାର୍ଯ୍ୟ କରିଥିଲେ । ତେଣୁ ଟିକଟ ପାଇଲେ ଏଠି ନିଶ୍ଚୟ ଜିତିବେ ବୋଲି ସେ ଆଶାବାଦୀ ଅଛନ୍ତି ।