ଭୁବନେଶ୍ୱର: ଆଜି ଦିଲ୍ଲୀରେ ବସିବ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ବୈଠକ ସରିଲା ପରେ ଘୋଷଣା ହୋଇପାରେ ଓଡ଼ିଶାର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା । ପାଖାପାଖି ୧୦୦ ଆସନ ପାଇଁ ଯୋଦ୍ଧା ଘୋଷଣା କରିପାରେ ବିଜେପି । ବିଧାନସଭା ଓ ବାକି ଥିବା ଲୋକସଭା ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିବା ପାଇଁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି ଦିଲ୍ଲୀ ଯାଇଛନ୍ତି । ତାଙ୍କ ସହ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି ବି ଦିଲ୍ଲୀ ଯାଇଛନ୍ତି । ଆସନ୍ତାକାଲି (ଶୁକ୍ରବାର) ଭିତରେ ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଛି ।
ଏନେଇ ବରିଷ୍ଠ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ଦିନେ କି ଦୁଇ ଦିନ ଭିତରେ ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ । ସବୁ ଆସନ ଉପରେ ତର୍ଜନା ଓ ସମୀକ୍ଷା ସରିଛି । କେବଳ କେନ୍ଦ୍ରୀୟ ନିର୍ବାଚନ କମିଟିର ମୋହର ବାଜିବା ପରେ ବାକି ଅଛି । ସର୍ଭେ ରିପୋର୍ଟ, ଗ୍ରାଉଣ୍ଡ ସ୍ଥିତିକୁ ଆଧାର କରି ୧୦୦ ପ୍ରତିଶତ ବିଜୟ ସମ୍ଭାବନାକୁ ଆଖି ଆଗରେ ରଖି ପ୍ରାର୍ଥୀ ଘୋଷଣା କରିବ ବିଜେପି । ସବୁଠୁ ଭଲ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯିବ । ସେହି ଅନୁସାରେ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହେଉଛି । କେନ୍ଦ୍ରରେ ୪୦୦ ପାର୍ ଟାର୍ଗେଟ୍ ଏବଂ ଓଡ଼ିଶାରେ ସରକାର ଗଠନର ଟାର୍ଗେଟ ନେଇ ଭାରତୀୟ ଜନତା ପାର୍ଟି ଚାଲିବ ।