ଓଡିଶା

odisha

By ETV Bharat Odisha Team

Published : Jun 24, 2024, 8:21 AM IST

ETV Bharat / politics

ଆରମ୍ଭରୁ ଲୋକସଭାରେ ହଲଚଲ, କାମଚଳା ବାଚସ୍ପତି ଭର୍ତ୍ତୃହରିଙ୍କ ସହୟତା ପାଇଁ ଚେୟାର ଗ୍ରହଣ କରିବନି ‘ଇଣ୍ଡିଆ’ ମେଣ୍ଟ - Protem Speaker controversy

LOK SABHA SESSION PROTEM SPEAKER COTROVERSY : ଆରମ୍ଭରୁ ଗୃହରେ ଶକ୍ତି ଦେଖାଇବା ମୁଡରେ ବିରୋଧୀ । କାମଚଳା ବାଚସ୍ପତିଙ୍କୁ ସହୟତା ପାଇଁ ଚେୟାର ଗ୍ରହଣ କରିବନି ‘ଇଣ୍ଡିଆ’ ମେଣ୍ଟ । ଗୃହରେ ଉଠିବ ନେଟ୍‌ ଓ ନିଟ୍‌ ପରୀକ୍ଷା ବିଭ୍ରାଟ ପ୍ରସଙ୍ଗ । ଅଧିକ ପଢନ୍ତୁ

ଆରମ୍ଭରୁ ଗରମ ହେବ ଗୃହ, କାମଚଳା ବାଚସ୍ପତିଙ୍କୁ ସହୟତା ପାଇଁ ଚେୟାର ଗ୍ରହଣ କରିବନି ‘ଇଣ୍ଡିଆ’ ମେଣ୍ଟ
ଆରମ୍ଭରୁ ଗରମ ହେବ ଗୃହ, କାମଚଳା ବାଚସ୍ପତିଙ୍କୁ ସହୟତା ପାଇଁ ଚେୟାର ଗ୍ରହଣ କରିବନି ‘ଇଣ୍ଡିଆ’ ମେଣ୍ଟ (ETV Bharat Odisha)

ନୂଆଦିଲ୍ଲୀ:ସାଧାରଣ ନିର୍ବାଚନ ଶେଷ ହେବା ପରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ନବଗଠିତ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ । ଏହି ଅଧିବେଶନର ପ୍ରାରମ୍ଭରେ ଏକାଧିକ ସଂସଦୀୟ ପ୍ରକ୍ରିୟା ଥିବା ବେଳେ ଆରମ୍ଭରୁ ଗୃହ ସରଗରମ ହେବା ନେଇ ସ୍ଥିତି ବାରିହୋଇ ପଡିଲାଣି । କୌଣସି ପ୍ରସଙ୍ଗ, ପ୍ରସ୍ତାବ କିମ୍ବା ବିଲ୍‌ ନୁହେଁ ବରଂ ସଂସଦୀୟ ପ୍ରକ୍ରିୟା ନେଇ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ ।

କାମଚଳା ବାଚସ୍ପତିଙ୍କ ନିଯୁକ୍ତି ପ୍ରକ୍ରିୟା ନେଇ ପ୍ରଶ୍ନ ଉଠାଇଥିବା ବିରୋଧୀ ‘ଇଣ୍ଡିଆ’ ମେଣ୍ଟର କୌଣସି ସାଂସଦ କାମଚଳା ବାଚସ୍ପତିଙ୍କୁ ସହାୟତା କରିବା ପାଇଁ ଉଦ୍ଦିଷ୍ଟ ଚେୟାରରେ ଅଂଶଗ୍ରହଣ କରିବେ ନାହିଁ । ବିଜେପିର ବରିଷ୍ଠ ନେତା ତଥା ଚଳିତଥର ନିମ୍ନସଦନକୁ କ୍ରମାଗତ 7ମ ଥର ନିର୍ବାଚିତ ହୋଇଥିବା ଭର୍ତ୍ତୃହରି ମହତାବଙ୍କୁ କାମଚଳା ବାଚସ୍ପତି ଭାବେ ଚୟନ କରାଯାଇଛି । କଂଗ୍ରେସ ସାଂସଦ କେ.ସୁରେଶ ଓ ଅନ୍ୟ କିଛି ବିରୋଧୀ ସାଂସଦଙ୍କୁ ଭର୍ତ୍ତୃହରିଙ୍କୁ ଗୃହ ପରିଚାଳନାରେ ସହଯୋଗ କରିବା ପାଇଁ ଉଦ୍ଦିଷ୍ଟ ପ୍ୟାନେଲରେ ମଧ୍ୟ ରାଷ୍ଟ୍ରପତି ଚୟନ କରିଥିଲେ । ହେଲେ ଏହି ପ୍ରକ୍ରିୟାରେ ‘ଇଣ୍ଡିଆ’ ମେଣ୍ଟର କୌଣସି ସଦସ୍ୟ ଅଂଶଗ୍ରହଣ କରିବେ ନାହିଁ ବୋଲି ଜଣାପଡିଛି ।

ଆଜି ଅଧିବେଶର ଉଦଘାଟନୀ କାର୍ଯ୍ୟ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅନ୍ୟ ମନ୍ତ୍ରୀ ଓ ସମସ୍ତ ସାଂସଦମାନେ ଶପଥ ଗ୍ରହଣ କରିବେ । ପୂର୍ବାହ୍ନ ପ୍ରାୟ 10ଟାରେ ଭର୍ତ୍ତୃହରି ମହତାବଙ୍କୁ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ କାମଚଳା ବାଚସ୍ପତି ଭାବେ ଶପଥ ପାଠ କରାଇବେ । କିନ୍ତୁ ଏହି ନିଷ୍ପତ୍ତିରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିବା ବିରୋଧୀ ଆଜି ଗୃହରେ ହଟ୍ଟଗୋଳ କରିପାରନ୍ତି । ଏବେ ଦେଶରେ ନିଟ୍‌ ଓ ନେଟ୍‌ ପରୀକ୍ଷାରେ ଅନିୟମିତତା ପ୍ରସଙ୍ଗ ଗଣମାଧ୍ୟମର ଶିରୋନାମାରେ ରହିଛି । ତେଣୁ ଏହି ପ୍ରସଙ୍ଗରେ ମଧ୍ୟ ବିରୋଧୀ ଗୃହରେ ସରକାରକୁ ଘେରିପାରନ୍ତି । ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟ କେନ୍ଦ୍ରରେ ତୃତୀୟ ଥର ସରକାର ଗଠନ କରିବାରେ ସଫଳ ହୋଇଥିଲେ ସୁଦ୍ଧା ପୂର୍ବପେକ୍ଷା ଦୁର୍ବଳ ସ୍ଥିତିକୁ ଖସିଛି । ଅନୁରୂପ ଭାବେ ବିରୋଧୀ ମଧ୍ୟ ପୂର୍ବାପେକ୍ଷା ଶକ୍ତିଶାଳୀ ଭୂମିକାକୁ ଆସିଛନ୍ତି । ତେଣୁ ଆରମ୍ଭରୁ ବିଭିନ୍ନ ଚର୍ଚ୍ଚାରେ ବିରୋଧୀ ପ୍ରଭାବୀ ଭାବେ ଅଂଶଗ୍ରହଣ କରିବା ସହ ସରକାରକୁ ଘେରିବା ନେଇ ଅନୁମାନ କରାଯାଉଛି ।

କାମଚଳା ବାଚସ୍ପତିଙ୍କୁ ସହୟତା ପାଇଁ ଚେୟାର ଗ୍ରହଣ କରିବନି ‘ଇଣ୍ଡିଆ’ ମେଣ୍ଟ (ETV Bharat Odisha)

କାମଚଳା ବାଚସ୍ପତି ଚୟନକୁ ନେଇ ଦ୍ବନ୍ଦ୍ବ କାହିଁକି:-

ଭାରତୀୟ ସମ୍ବିଧାନର ମୂଳଖଣ୍ଡରେ କାମଚଳା ବାସସ୍ପତି ପଦ, ଏହାର ଚୟନ ପ୍ରକ୍ରିୟା ଓ କ୍ଷମତା ନେଇ କୌଣସି ସ୍ପଷ୍ଟ ଉଲ୍ଲେଖ ନାହିଁ । ମାତ୍ର ସଂସଦୀୟ ପ୍ରକ୍ରିୟା ଆଧାରରେ ଏହା ପରବର୍ତ୍ତୀ ସମୟରେ ସୃଷ୍ଟି ହୋଇଥିବା ଏକ ବ୍ୟବସ୍ଥା । ନୂତନ ଲୋକସଭା କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପୂର୍ବତନ ବାଚସ୍ପତିଙ୍କୁ ଇସ୍ତଫା ଦେବାକୁ ହୋଇଥାଏ । ନୂଆ ବାଚସ୍ପତି ନିର୍ବାଚିତ ହେବା ପୂର୍ବରୁ ସ୍ବଳ୍ପକାଳୀନ ଅବଧି ଓ କିଛି ନିର୍ଦ୍ଦିଷ୍ଟ ଗୃହକାର୍ଯ୍ୟ ପାଇଁ କାମଚଳା ବାଚସ୍ପତି ନିଯୁକ୍ତ ହୁଅନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଓ ପ୍ରଧାନମନ୍ତ୍ରୀଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତି ଲୋକସଭାର ଜଣେ ବରିଷ୍ଠ ସଦସ୍ୟଙ୍କୁ ଏହି ପଦବୀରେ ନିଯୁକ୍ତି ଦିଅନ୍ତି ।

ବାଚସ୍ପତି ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ କାମଚଳା ବାଚସ୍ପତି ହିଁ ଗୃହ ପରିଚାଳନା କରନ୍ତି ଓ ପରେ ବାଚସ୍ପତିଙ୍କୁ ଦାୟିତ୍ବ ହସ୍ତାନ୍ତର କରନ୍ତି । ବର୍ତ୍ତମାନ ଏହି ପଦବୀ ପାଇଁ ଚୟନ ହୋଇଥିବା ଭର୍ତ୍ତୃହରି ମହତାବ 7ଥର ନିର୍ବାଚିତ ହୋଇଛନ୍ତି । କଂଗ୍ରେସ ଓ ‘ଏନଡିଏ’ ମେଣ୍ଟ ଦାବି ଅନୁସାରେ, କେ.ସୁରେଶ 8ଥ ନିର୍ବାଚିତ ହୋଇଛନ୍ତି ଓ ସେ ବରିଷ୍ଠତା ଭିତ୍ତିରେ ଏହି ପଦବୀ ପାଇଁ ଯୋଗ୍ୟ । ଏହାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜଜୁ ଖଣ୍ଡନ କରିବା ସହ ସୁରେଶ 1998 ଓ 2004 ରେ ନିର୍ବାଚନ ହାରିଥିବା ବେଳେ ଭର୍ତ୍ତୃହରି କ୍ରମାଗତ 7ଥର ସଦନକୁ ନିର୍ବାଚିତ ହୋଇଛନ୍ତି ବୋଲି କହି ସରକାରଙ୍କ ନିଷ୍ପତ୍ତିକୁ ସଠିକ ବୋଲି ଦର୍ଶାଇଛନ୍ତି ।

ପ୍ରଥମ ଦିନରେ କିପରି ରହିବ ସଂସଦୀୟ ପ୍ରକ୍ରିୟା:-

  • 1. ପୂର୍ବାହ୍ନରେ ବିଜେପି ସାଂସଦ ଭର୍ତ୍ତୃହରି ମହତାବ ରାଷ୍ଟ୍ରପତି ଭବନରେ କାମଚଳା ବାଚସ୍ପତି ପଦର ଶପଥ ନେବେ
  • 2. 11ଟା ସମୟରେ ସମସ୍ତ ନିର୍ବାଚିତ ସଦସ୍ୟ ଗୃହରେ ପହଞ୍ଚିବେ ।
  • 3. ଲୋକସଭା ମହାସଚିବ ନିର୍ବାଚିତ ସଦସ୍ୟଙ୍କ ବିବରଣୀ ଗୃହରେ ଆଗତ କରିବେ
  • 4. ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଓ ନୀରବ ପ୍ରାର୍ଥନା ହେବ
  • 5. ପ୍ରଧାନମନ୍ତ୍ରୀ ମୋଦି ସାଂସଦ ପଦର ଶପଥ ଗ୍ରହଣ କରିବେ
  • 6. କେନ୍ଦ୍ର ମନ୍ତ୍ରୀମାନେ ଓ ପରେ ସାଂସଦମାନେ ଶପଥ ଗ୍ରହଣ କରିବେ ।

ଏହା ମଧ୍ୟ ପଢନ୍ତୁ :- ଆଜିଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ, ପ୍ରଧାନମନ୍ତ୍ରୀ ଓ ଅନ୍ୟ ସାଂସଦ ନେବେ ଶପଥ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details