ହାଇଦ୍ରାବାଦ:ଏଥର ସାଧାରଣ ଓ ବିଧାନସଭା ନିର୍ବାଚନ ଫଳାଫଳ ଓଡିଶାକୁ ଆଶ୍ଚର୍ଯ୍ୟ କରିଦେଇଛି । 24 ବର୍ଷ ପରେ ରାଜ୍ୟ କ୍ଷମତା ପରିବର୍ତ୍ତନ ଦେଖିଛି । ରାଜ୍ୟରେ ପ୍ରଥମ ଥର ବିଜେପି ଏକକ ସଂଖ୍ୟାଗରିଷ୍ଠତାର ସହ ସରକାର ଗଠନ କରିବାକୁ ଯାଉଥିବା ବେଳେ ଲୋକସଭାରେ ମଧ୍ୟ ଐତିହାସିକ ଓ ସରକାଳୀନ ରେକର୍ଡ ସଂଖ୍ୟକ ଜନାଦେଶ ପାଇଛି । ମୋଟ 21 ଆସନରୁ 20ଟି ବିଜେପି ଖାତାକୁ ଯାଇଥିବା ବେଳେ ଶାସକ ବିଜେଡି ଖାତା ଖୋଲିପାରିନି । ଗତଥର ମାତ୍ର ଗୋଟିଏ ଆସନରେ ଜିତିଥିବା କଂଗ୍ରେସ ଏଥର ମଧ୍ୟ ସେହି ଆସନରେ ବିଜୟ ପୁନରାବୃତ୍ତି କରି ସମ୍ମାନ ରକ୍ଷା କରିବାରେ ସଫଳ ହୋଇଛି । ମାତ୍ର ଦୀର୍ଘ ଅଢେଇ ଦଶନ୍ଧି ଧରି ଶାସନରେ ଥିବା ‘ବିଜୁ ଜନତା ଦଳ’ ଏଥର ସଂସଦରେ ପ୍ରତିନିଧିତ୍ବ ହରାଇଛି । ଦଳ ସମସ୍ତ ଆସନରେ ଲଜ୍ଜାଜନକ ଭାବେ ପରାଜିତ ହୋଇଛି । ରାଜ୍ୟରେ ଶାସନରେ ବିଜେଡି ରାଜ୍ୟରୁ ଶାସନରୁ ହଟିବା ସହ ଜାତୀୟ ସଦନରେ ମଧ୍ୟ ପ୍ରତିନିଧିତ୍ବ ହରାଇଛି ।
ଗତଥର ରାଜ୍ୟର 7ଜଣ ମହିଳା ସାଂସଦ ଭାବେ ନିର୍ବାଚିତ ହୋଇ ଦିଲ୍ଲୀରେ ରାଜ୍ୟକୁ ପ୍ରତିନିଧିତ୍ବ କରିଥିଲେ । ସେମାନଙ୍କ ମଧ୍ୟରୁ ଶାସକ ବିଜେଡିର 5ଜଣ ଓ ବିଜେପିର 2ଜଣ ସଦସ୍ୟା ଥିଲେ । ହେଲେ ଏଥର ବିଜେପିର 20 ଓ କଂଗ୍ରେସର ଜଣେ ସାଂସଦ ନିର୍ବାଚିତ ହୋଇଛନ୍ତି । 4ଜଣ ମହିଳା ବିଜେପି ଟିକଟରେ ସଂସଦ ପହଞ୍ଚିଛନ୍ତି । ଏମାନଙ୍କ ମଧ୍ୟରେ 2ଜଣ ପଶ୍ଚିମ-ଓଡିଶାର ରାଜପରିବାର ସଦସ୍ୟା ହୋଇଥିବା ବେଳେ ଅନ୍ୟଜଣେ ପୂର୍ବତନ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ । ସେହିପରି ଅନ୍ୟ ଚତୁର୍ଥ ମହିଳା ହେଉଛନ୍ତି ପ୍ରଥମ ଥରର ସାଂସଦ । ତେବେ ଏଥର 4ଜଣ ଓଡିଆ ମହିଳା ଦିଲ୍ଲୀ ଦରବାରରେ ରାଜ୍ୟକୁ ପ୍ରତିନିଧିତ୍ବ କରିବେ । ଭୁବନେଶ୍ବରରୁ ଅପରାଜିତା ଷଡଙ୍ଗୀ, ଆସିକାରୁ ଅନୀତା ଶୁଭଦର୍ଶିନୀ, ବଲାଙ୍ଗୀରରୁ ସଙ୍ଗୀତା ସିଂହଦେଓ ଓ କଳାହାଣ୍ଡିରୁ ମାଳବିକା ଦେବୀ ବିଜେପି ଟିକେଟରେ ସାଂସଦ ନିର୍ବାଚିତ ହୋଇଛନ୍ତି ।
ଅପରାଜିତା ଷଡଙ୍ଗୀ (ଭୁବନେଶ୍ବର) :-
ଭାରତୀୟ ପ୍ରଶାସନିକ ସେବାରୁ 11ବର୍ଷ ପୂର୍ବରୁ ସ୍ବେଚ୍ଛାକୃତ ଅବସର ନେଇ ଭାରତୀୟ ଜନତା ପାର୍ଟିରୁ ରାଜନୀତି ଆରମ୍ଭ କରିଥିବା ଅପରାଜିତା ଗତଥର (2019)ରେ ଭୁବନେଶ୍ବର ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏଥର ମଧ୍ୟ ଦଳ ତାଙ୍କୁ ପୁଣି ସେଠାରୁ ହିଁ ଟିକଟ ଦେଇଥିଲା । ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସହ କଡା ପ୍ରତିଦ୍ବନ୍ଦ୍ବିତା ସତ୍ତ୍ବେ ମଧ୍ୟ ଦ୍ବିତୀୟ ଥର ପାଇଁ ନିଜ ବିଜୟ ନିଶ୍ଚିତ କରିପାରିଛନ୍ତି ଅପରାଜିତା । ଅପରାଜିତା ମୋଟ 5,12,519 ଭୋଟ ପାଇଁ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ 35,152 ଖଣ୍ଡ ଭୋଟ ବ୍ୟବଧାନର ପରାସ୍ତ କରିଛନ୍ତି । ଏଥର ତାଙ୍କୁ ମୋଦି କ୍ୟାବିନେଟରେ ସ୍ଥାନ ମିଳିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ପ୍ରଶାସନିକ ଅଧିକାରୀ ଭାବେ ବେଶ ଚର୍ଚ୍ଚାରେ ରହିଥିବା ଅପରାଜିତା ରାଜନୀତିରେ ମଧ୍ୟ ଆରମ୍ଭରୁ ଚର୍ଚ୍ଚାରେ ଅଛନ୍ତି । ଏବେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା ନେଇ ବିଜେପି କ୍ୟାମ୍ପରେ ଚର୍ଚ୍ଚା ଜାରି ରହିଥିବା ବେଳେ ଏଥିରେ ମଧ୍ୟ ଅପରାଜିତାଙ୍କୁ ଗଣାଯାଉଛି ।
ଅନୀତା ସୁଭଦର୍ଶିନୀ: (ଆସିକା)
1998 ମସିହାରୁ କ୍ରମାଗତ ବିଜେଡିର ଗଡ଼ ଭାବେ ରହିଆସିଥିବା ଗଞ୍ଜାମ ଜିଲ୍ଲାର ଏହି ଆସନରେ ବିଜେପି ପ୍ରାର୍ଥୀ ଅନୀତା ଶୁଭଦର୍ଶିନୀ ନିର୍ବାଚିତ ହୋଇଛନ୍ତି । ସେ ବିଜେଡି ପ୍ରାର୍ଥୀ ରଞ୍ଜିତା ସାହୁଙ୍କୁ ପ୍ରାୟ 1 ଲକ୍ଷ (99,974) ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି । ଦକ୍ଷିଣ ଓଡିଶାର ଏକ ବିଶିଷ୍ଟ ରାଜନୈତିକ ପରିବାରରୁ ଆସନ୍ତି ଅନୀତା । ସେ ହେଉଛନ୍ତି, 90 ଦଶକରେ ରାଜ୍ୟର ଆଗଧାଡିର ରାଜନେତା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ କନ୍ୟା । ବୃତ୍ତିରେ ଶିକ୍ଷାବିତ ଓ ଆଇନଜୀବୀ ଥିବା ଅନୀତା ଏଥର ବିଜେଡି ଗଡରୁ ବିଜେପି ଟିକଟରେ ଦିଲ୍ଲୀ ଦରବାର ପହଞ୍ଚିଛନ୍ତି ।
ମାଳବିକା ଦେବୀ (କଳାହାଣ୍ଡି):-
ଦକ୍ଷିଣ ଓଡିଶାର ଅନ୍ୟତମ ଚର୍ଚ୍ଚିତ ଆସନ କଳାହାଣ୍ଡିରେ ବିଜୟୀ ହୋଇଛନ୍ତି ସ୍ଥାନୀୟ ରାଜପରିବାର ସଦସ୍ୟା ମାଳବିକା ଦେବୀ ବିଜେପି । ମାଳବିକା 5,44,303 ଖଣ୍ଡ ଭୋଟ ପାଇ 1,33,813 ବ୍ୟବଧାନରେ ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କୁ ପରାସ୍ତ କରିଛନ୍ତି । ମାଳବିକା ହେଉଛନ୍ତି କଳାହାଣ୍ଡିର ରାଜା ଅର୍କକେଶରୀ ଦେଓଙ୍କ ପତ୍ନୀ । ସ୍ବାମୀ ଅର୍କ କେଶରୀ ମଧ୍ୟ 2014ରେ ଏହି ଆସନରୁ ଭାରତୀୟ ଜନତା ପାର୍ଟି ଟିକଟରେ କଂଗ୍ରେସ ଭେଟେରାନ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସଙ୍କୁ ପରାସ୍ତ କରି ସାଂସଦ ନିର୍ବାଚିତ ହୋଇଥିଲେ । 2019ରେ ଏହି ଆସନରୁ ବିଜେପି ବସନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏଥର ଟିକେଟ ପୁଣି ରାଜପରିବାରକୁ ଫେରିଥିଲା ।