ଜଗତସିଂହପୁର: ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ପାରାଦ୍ବୀପର କୁଜଙ୍ଗ ବ୍ଲକ ପଡ଼ିଆରେ ଆଜି ବିଜେପିର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଛି । ଏହି ସଭାରେ ବିଜେପିର ବରିଷ୍ଠ ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଯୋଗ ଦେଇ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରର ବିକାଶମୁଖୀ ଯୋଜନା ଉପରେ ଆଲୋକପାତ କରିଥିଲେ । ଗୋଟିଏ ପଟେ କେନ୍ଦ୍ରର ମୋଦି ସରକାର ବିକାଶ ପାଇଁ ଅହରହ ଉଦ୍ୟମ କରୁଥିବାବେଳେ ଅନ୍ୟପଟେ ରାଜ୍ୟ ସରକାର ପାଣି, ଖଣି ଓ ଚିଟଫଣ୍ଡ ଟଙ୍କା ଲୁଟ୍ ପାଇଁ ଅହରହ ଉଦ୍ୟମ କରୁଥିବା କହି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ।
ଓଡ଼ିଶାରେ ତାମିଲନାଡ଼ୁର ରିମୋଟ କଣ୍ଟ୍ରୋଲ ସରକାର ଚାଲିଥିବା କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଡବଲ ଇଞ୍ଜିନ ସରକାର ଆସିଲେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ । ଏହି ସମାବେଶରେ ବିଜେପିର ଜଗତସିଂହପୁର ଲୋକସଭା ପ୍ରାର୍ଥୀ ବିଭୁପ୍ରସାଦ ତରାଇ, ପାରାଦ୍ବୀପ ବିଜେପି ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ବାଇଁ ଜଗତସିଂହପୁର ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।