ପୁରୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । କଡ଼ା ସୁରକ୍ଷା ମଧ୍ଯରେ ସକାଳ 7 ଟାରେ ପୁରୀ ତାଳବଣିଆ ହେଲିପ୍ୟାଡରେ ଅବତରଣ ପରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ମୋଦି ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ଗାଡ଼ିରୁ ଓହ୍ଲାଇ ପ୍ରଥମେ ଉପସ୍ଥିତ ଜନତାଙ୍କୁ ହାତ ହଲାଇ ଅଭିବାଦନ ଗ୍ରହଣ କରିଥିଲେ । ପରେ ସେବାୟତମାନେ ପ୍ରଧାନମନ୍ତ୍ରୀଙ୍କୁ ମହାପ୍ରଭୁଙ୍କ ଖଣ୍ଡୁଆ ଦେଇ ସ୍ଵାଗତ କରିଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀମନ୍ଦିରକୁ ପ୍ରଵେଶ ପୂର୍ବରୁ ଅରୁଣସ୍ତମ୍ଭ ନିକଟରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଦୀପ ଜାଳିଥିଲେ । ପରେ ଶ୍ରୀମନ୍ଦିର ଗର୍ଭ ଗୃହରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରିଥଲେ । ଶ୍ରୀମନ୍ଦିର ପାର୍ଶ୍ଵ ଦେବାଦେବୀ ମନ୍ଦିର ବୁଲି ଦର୍ଶନ କରିବା ସହ ଶ୍ରୀମନ୍ଦିରରେ ବେଢ଼ା ପରିକ୍ରମା କରିଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ କୌଳିକ ପଣ୍ଡା ରଘୁନାଥ ଗୋଛିକାର ପ୍ରଧାନମନ୍ତ୍ରୀଙ୍କୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ବସ୍ତ୍ର, ମହାପ୍ରସାଦ, ଜଗନ୍ନାଥଙ୍କ ଫଟୋ ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ତେବେ ସେ ଆଉ ଥରେ ଯଦି ମହାପ୍ରଭୁଙ୍କ କୃପାରୁ ପ୍ରଧାନମନ୍ତ୍ରୀ ହୁଅନ୍ତି ସେ ଖୁବ ଶୀଘ୍ର ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସିବେ ବୋଲି ପ୍ରଧାନମନ୍ତ୍ରୀ କହିଥିବା କହିଛନ୍ତି ରଘୁନାଥ ଗୋଛିକାର । ଅନ୍ୟପଟେ ଦଇତାପତି ସେବକ ଭବାନୀ ଦାସ ମହାପାତ୍ର କହିଛନ୍ତି,"ପ୍ରଧାନମନ୍ତ୍ରୀ ମହାପ୍ରଭୁଙ୍କୁ ଦର୍ଶନ କରିବା ସମୟରେ ବେଶ୍ ଭାବବିହ୍ଵଳ ହୋଇଯାଇଥିଲେ । ଦୀର୍ଘ 8 ବର୍ଷ ବ୍ୟବଧାନରେ ସେ ମହାପ୍ରଭୁଙ୍କ ନିକଟକୁ ଆସିଥିବାରୁ ନିଜକୁ ମୋଦି ବେଶ ଭାଗ୍ୟଶାଳୀ ମନେ କରିଥିଲେ ବୋଲି କହିଛନ୍ତି ଦଇତାପତି ।