ଭୁବନେଶ୍ବର:ନିର୍ବାଚନୀ ପ୍ରଚାର ପାଇଁ ଆଜି ଓଡ଼ିଶା ଆସୁଛନ୍ତି ଦୁଇ ଶୀର୍ଷ ବିଜେପି ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାର୍ଟି ମୁଖ୍ୟ ଜେ.ପି ନଡ୍ଡା । ପ୍ରଧାନମନ୍ତ୍ରୀ ମୋଦି ଆଜି (ରବିବାର) ରାତି 9ଟା 30ରେ ଭୁବନେଶ୍ୱରରେ ପହଞ୍ଚିବେ ଓ ରାଜଭବନରେ ରାତ୍ରିଯାପନ କରିବେ । ଏଥିପାଇଁ ରାଜଭବନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାତିରେ ସେ ଦଳର ରାଜ୍ୟ ନେତୃତ୍ବଙ୍କ ସହ ମଧ୍ୟ ବୈଠକ କରିବେ । ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ବ୍ରହ୍ମପୁର ଓ ନବରଙ୍ଗପୁରରେ ଦୁଇଟି ବିଶାଳ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଉଭୟ ଲୋକସଭା ଆସନରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି । ସମାନ୍ତରଳ ଭାବେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଆଗକୁ ମଧ୍ୟ ଏକାଧିକ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ରହିଛି ।
ସେହିପରି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଆଜି ଅପରାହ୍ନରେ ଭୁବନେଶ୍ବରରେ ପହଞ୍ଚିବେ । ସନ୍ଧ୍ୟାରେ ସେ ପାର୍ଟି ରାଜ୍ୟ ମୁଖ୍ୟାଳୟରେ ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିବା ସହ ନିର୍ବାଚନ ପ୍ରସ୍ତୁତି ନେଇ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ । ନିର୍ବାଚନୀ ରଣନୀତି ଓ କାର୍ଯ୍ୟକର୍ତ୍ତାକୁ ନିର୍ବାଚନୀ ଟାକ୍ସ ଦେବେ ନଡ୍ଡା । ରାଜ୍ୟ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା ଓ କେନ୍ଦ୍ରୀୟ ନେତା ମଧ୍ୟ ରାଜ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ ।
ଓଡ଼ିଶାରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । 13 ତାରିଖରେ ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁରକୁ ମିଶାଇ 4 ଲୋକସଭା ଆସନ ଓ ଏହା ଅନ୍ତର୍ଗତ 28 ବିଧାନସଭା ଆସନରେ ଭୋଟିଂ ହେବ । ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିବା ପରେ ଉଭୟ ଦଳ ଏକାକୀ ଲଢୁଛନ୍ତି । ଓଡ଼ିଶାର ‘ଅସ୍ମିତା’ ବିପଦରେ କହି ନିଜେ ପ୍ରଧାନମନ୍ତ୍ରୀ ମୋଦି ଓ ତମାମ ବିଜେପି ଶୀର୍ଷ ନେତା ରାଜ୍ୟରେ ନବୀନ-ପାଣ୍ଡିଆନ କ୍ଷମତା ଯୁଗଳବନ୍ଦୀକୁ ପରୋକ୍ଷ ଟାର୍ଗେଟ କରିସାରିଲେଣି । ଏଥର ରାଜ୍ୟରେ ପରିବର୍ତ୍ତନ ଓ ମୋଦିଙ୍କ ନେତୃତ୍ବରେ ଡବଲ ଇଞ୍ଜିନ ସରକାର କଥା କହି ବିଜେପି ନିର୍ବାଚନ ଲଢୁଥିବା ବେଳେ ନବୀନଙ୍କ ବିକାଶଧାରାର ଉଦାହରଣ ଦେଇ ‘ଯୋଡିଶଙ୍ଖ’ରେ ଭୋଟ ମାଗିବାରେ ବ୍ୟସ୍ତ ବିଜେଡି ।