ଭୁବନେଶ୍ବର: ରାଜ୍ୟରେ ଆଗାମୀ ୨୫ ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ଜୁନ୍ ପହିଲାରେ ହେବ ଶେଷ ପର୍ଯ୍ୟାୟ ନିର୍ବାଚନ । ଏହା ପୂର୍ବରୁ ପ୍ରକାଶ ପାଇଛି ୬ ଲୋକସଭା ଆସନର ଏଡିଆର ରିପୋର୍ଟ । ତେବେ ରାଜ୍ୟର ୬ଟି ଲୋକସଭା ଆସନ ପାଇଁ ଏହି ନିର୍ବାଚନରେ ମତଦାନ ହେବାକୁ ଥିବା ବେଳେ ପ୍ରତିଦ୍ବନ୍ଦିତା କରୁଥିବା ୬୬ ଜଣ ସାଂସଦ ପ୍ରାର୍ଥୀଙ୍କ ମଧ୍ୟରୁ ୨୦ ଜଣ କୋଟିପତି ଅଟନ୍ତି । ଶେଷ ପର୍ଯ୍ୟାୟର ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ହେଉଛି ୩.୮୩ କୋଟି ଟଙ୍କା ।
ଓଡ଼ିଶା ଇଲେକ୍ସନ ୱାଚ୍ ଏବଂ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ ବା ଏଡିଆର ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ବନ୍ଦିତା କରୁଥିବା ସମସ୍ତ ୬୬ ଜଣ ପ୍ରାର୍ଥୀଙ୍କ ସତ୍ୟପାଠକୁ ବିଶ୍ଳେଷଣ କରି ଏହି ରିପୋର୍ଟ ଦେଇଛନ୍ତି । ରିପୋର୍ଟ ଆଧାରରେ ୬୬ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୦ ଜଣ ଅର୍ଥାତ ୩୦ ପ୍ରତିଶତ ପ୍ରାର୍ଥୀଙ୍କ ସମ୍ପତ୍ତି ୧ କୋଟିଟଙ୍କାରୁ ଅଧିକ ରହିଛି । ପ୍ରମୁଖ ଦଳଗୁଡ଼ିକ ମଧ୍ୟରେ ପ୍ରତି ବିଜେପି ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୨୭.୧୨ କୋଟି ଟଙ୍କା ଥିବା ବେଳେ ବିଜେଡିର ୬ ଜଣ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୬.୬୧ କୋଟି ଟଙ୍କା, ୫ ଜଣ କଂଗ୍ରେସ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୨.୩୭ କୋଟି ଟଙ୍କା ରହିଛି । ତେବେ ଶେଷ ପର୍ଯ୍ୟାୟ ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ୧୪୮.୦୮ କୋଟି ଟଙ୍କାର ସମ୍ପତ୍ତି ସହ ସବୁଠାରୁ ଧନୀ ପ୍ରାର୍ଥୀ ହୋଇଥିବା ବେଳେ କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀର ସ୍ବାଧୀନ ପ୍ରାର୍ଥୀ ଶ୍ରୀରାମ ପାଣ୍ଡେ (୧୮.୨୩ କୋଟି) ଏବଂ ଭଦ୍ରକରୁ ବର୍ତ୍ତମାନର ବିଜେପି ସାଂସଦ ମଞ୍ଜୁଲତା ମଣ୍ଡଳ (୧୪.୮୬ କୋଟି) ତୃତୀୟ ସ୍ଥାନରେ ରହିଛନ୍ତି ।
ଏହା ମଧ୍ୟ ପଢନ୍ତୁ ...ଓଡିଶା ନିର୍ବାଚନ 2024: ତୃତୀୟ ପର୍ଯ୍ୟାୟରେ କେତେ କୋଟିପତି ପ୍ରାର୍ଥୀ ? ସ୍କୁଲ ହତା ମାଡ଼ି ନାହାନ୍ତି 2 ପ୍ରାର୍ଥୀ - ADR Report