କେନ୍ଦ୍ରାପଡ଼ା:ରାଜ୍ୟ ରାଜନୀତିର ଚର୍ଚ୍ଚିତ ଆସନ କେନ୍ଦ୍ରାପଡା । ଶେଷ ପର୍ଯ୍ୟାୟରେ କେନ୍ଦ୍ରାପଡାରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ସରଗରମ ହୋଇଛି ରାଜନୈତିକ ମାହୋଲ । ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡିର ଗଡ଼ ଭାବେ ପରିଚିତ ଥିବାବେଳେ ଭେଦ କରିବାକୁ ଜୋରଦାର କସରତ କରୁଛନ୍ତି ବିରୋଧୀ । ପରିସ୍ଥିତି ଏପରି ହେଲାଣି ଯେ ବିଜେଡି-ବିଜେପି ମଧ୍ୟରେ ବ୍ୟକ୍ତିଗତ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଛି । ଯାହା ରାଜ୍ୟ ରାଜନୀତିକୁ ଆହୁରି ଉଷ୍ଣ କରିଛି । ଦଳ ପାଇଁ ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ାରେ ଜୋରଦାର ପ୍ରଚାର କରିଥିଲେ । ବିରୋଧୀଙ୍କ ଆପେକ୍ଷର କଡା ଜବାବ ଦେଇଥିଲେ ନବୀନ । ଏପରିକି କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ନିଜ ସମ୍ପତ୍ତି ବଢାଉଥିବା କହି ଟାର୍ଗେଟ କରିଥିଲା ବିଜେଡି ।
ସେପଟେ କେନ୍ଦ୍ରାପଡାକୁ ଅକ୍ତିଆର କରିବାକୁ ବୈଜୟନ୍ତ କସରତ ଜାରି ରଖିଥିବା ବେଳେ ବିଜେଡିକୁ କଡ଼ା ପ୍ରତିକ୍ରିୟା ଦେଇଥିଲେ । ବୈଜୟନ୍ତ ପାଇଁ ପ୍ରଚାର ମୈଦାନକୁ ବହୁ ହେଭିୱେଟ ଓହ୍ଲାଇଥିବା ବେଳେ ପ୍ରଧାନମନ୍ତ୍ରୀ ନିଜେ ଭୋଟ ମାଗିଛନ୍ତି । ବୁଧବାର କେନ୍ଦ୍ରାପଡା ଆସି ବିଭିନ୍ନ ପ୍ରସଙ୍ଗରେ ବିଜେଡି ସରକାରକୁ ଆକ୍ରମଣ କରିବା ସହ ଭୋଟ ମାଗିଥିଲେ ମୋଦି । ସେହିପରି ଦଳର ଷ୍ଟାର ପ୍ରଚାରକ ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କେନ୍ଦ୍ରାପଡାରେ ଭୋଟ ମାଗିବା ସହ ପାଣ୍ଡିଆନ ରତ୍ନଭଣ୍ଡାର ଚାବି ଲୁଚାଇଥିବା କଥା କହିଥିଲେ ।
କେନ୍ଦ୍ରାପଡାର ଏକ ସଭାରେ ବୈଜୟନ୍ତଙ୍କୁ ଟାର୍ଗେଟ କରି କହିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଥିଲେ," କେନ୍ଦ୍ରାପଡ଼ାରୁ ଜଣଙ୍କୁ ମୁଁ ୧୦ ବର୍ଷ ପାଇଁ ସଂସଦ ପଠାଇଲି । ସେ କେବଳ ନିଜ ପାଇଁ ଓ ତାଙ୍କର କମ୍ପାନୀର ପ୍ରଫିଟ୍ ପାଇଁ କାମ କଲେ ।" ସେହିପରି ଭିକେ ପାଣ୍ଡିଆନ ମଧ୍ୟ କହିଥିଲେ," ମୁଖ୍ୟମନ୍ତ୍ରୀ ଜଣଙ୍କୁ ୧୦ ବର୍ଷ ପାଇଁ କେନ୍ଦ୍ରାପଡ଼ାରୁ ସଂସଦ ପଠାଇଥିଲେ । ସେ କେନ୍ଦ୍ରାପଡ଼ାକୁ ପୁଞ୍ଜି ନିବେଶ, ଶିଳ୍ପ ଆଣିବା ପାଇଁ କିଛି କାମ କରିଲେ ନାହିଁ । ନିଜ କମ୍ପାନୀକୁ ବୃଦ୍ଧି କଲେ । କେନ୍ଦ୍ରାପଡ଼ାକୁବାସୀଙ୍କୁ ବିଶ୍ବାସ ଘାତକତା କଲେ । ଏହା ଆମ ମୁଖ୍ୟମନ୍ତ୍ରୀଙ୍କୁ ବହୁତ ଦୁଃଖ ଦେଇଥିଲା । "