ହିଞ୍ଜିଳି (ଗଞ୍ଜାମ): ରାଜ୍ୟର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି । ଏହି ନିର୍ବାଚନ ମଣ୍ଡଳୀରୁ ଗତ ୨୦୦୦ ମସିହାରୁ କ୍ରମାଗତ ଭାବରେ ନିର୍ବାଚିତ ହୋଇ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ୫ଟି ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଏଠାରେ ବିରୋଧୀଙ୍କୁ ମାତ ଦେବା ସହିତ ନିଜର ଅଭେଦ୍ୟ ଦୁର୍ଗ ଭାବରେ ଏହାକୁ ପରିଚିତ କରାଇବାରେ ବେଶ ସଫଳ ବିନ୍ଧାଣୀ ହୋଇପାରିଛନ୍ତି । ଚଳିତଥର ପୁଣିଥରେ ଏହି ଆସନରୁ ପ୍ରତିଦ୍ବନ୍ଦ୍ବିତା କରରିଥିଲେ ବିଜେଡି ସୁପ୍ରିମୋ । ରାଜ୍ୟରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇ ସାରା ଦେଶରେ ରେକର୍ଡ ସୃଷ୍ଟି କରିବା ଲକ୍ଷ୍ୟରେ ନବୀନ ରହିଥିବାବେଳେ ହିଞ୍ଜିଳି ଆସନରେ ଏଥର ବେଶ ସରଗରମ ରହିଥିଲା ରାଜନୀତି ପାଣିପାଗ ।
ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀ: ଗଞ୍ଜାମ ଜିଲ୍ଲାର ଏହି ବିଧାନସଭା ଆସନ ସାରା ଓଡ଼ିଶାରେ ବେଶ ଗୁରୁତ୍ବ ବହନ କରେ । ପୂର୍ବରୁ କଂଗ୍ରେସର ଗଡ଼ ଭାବେ ପରିଚିତ ଏହି ଆସନ ଏବେ ବିଜେଡି ଦଖଲରେ । ନବୀନ ପଟ୍ଟନାୟକ ଆସିବା ପରେ ୨୦୦୦ ମସିହାରୁ ଏହା ବିଜେଡି ଦୁର୍ଗରେ ପରିଣତ ହୋଇଛି । କ୍ରମାଗତ ୫ ଥର ଏହି ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କେବଳ ସେତିକି ନୁହେଁ, ପ୍ରତିବର୍ଷ ଏଠାରୁ ବିଜେଡି ତଥା ଏହାର ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କ ବିଜୟ ବ୍ୟବଧାନ ମଧ୍ୟ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି । ଏଥର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସମେତ ମଇଦାନରେ ରହିଥିଲେ ୧୦ ଜଣ ପ୍ରାର୍ଥୀ ।
ପ୍ରଚାର ଆରମ୍ଭ କରିଥିଲେ ନବୀନ: ଚଳିତ ସାଧାରଣ ନିର୍ବାଚନରେ କ୍ରମାଗତ ୬ଷ୍ଠ ଥର ପାଇଁ ହିଞ୍ଜିଳିରୁ ପ୍ରାର୍ଥୀ ହୋଇଥିଲେ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳି ସମେତ କଣ୍ଟାବାଞ୍ଜିରୁ ମଧ୍ୟ ପ୍ରାର୍ଥୀ ହୋଇଥିଲେ । ଏହାସତ୍ତ୍ବେ ରାଜ୍ୟରେ ବିଜୁ ଜନତା ଦଳର ପ୍ରଚାର ଶୁଭାରମ୍ଭ ହୋଇଥିଲା ହିଞ୍ଜିଳିରୁ । ନିଜେ ମୁଖ୍ୟମନ୍ତ୍ରୀ ଆସି ନିର୍ବାଚନ ମଣ୍ଡଳୀର ସମରଝୋଳ ଛକରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ସହିତ 5T ଓ ନବୀନ ଗ୍ୟାରେଣ୍ଟି ମନ୍ତ୍ରରେ ସମସ୍ତେ ସାମିଲ ହେବାକୁ ଆହ୍ବାନ କରିବା ସହିତ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଥିଲେ । ସେପଟେ ନିଜ ନର୍ବାଚନମଣ୍ଡଳୀ ହିଞ୍ଜିଳିକାଟୁରୁ ନାମାଙ୍କନ ଭରିବା ପାଇଁ ପ୍ରଥମେ ଗଞ୍ଜାମର ଆରାଧ୍ୟ ଦେବୀ ମା' ତାରାତାରିଣୀଙ୍କ ପୀଠରେ ପୂଜାର୍ଚ୍ଚନା କରିବା ପରେ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁରଠାରେ ହଜାର ହଜାର କର୍ମୀ ଓ ସମର୍ଥକଙ୍କ ଉପସ୍ଥିତିରେ ନାମାଙ୍କନ ଭରିଥିଲେ ମୁଖ୍ୟମନ୍ତ୍ରୀ ।
ପରିବର୍ତ୍ତନ ଆଶାରେ ବିଜେପି: ଚଳିତ ଥର ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବିରୋଧୀ ଦଳ ଗୁଡ଼ିକ ମଧ୍ୟ କଡ଼ା ରଣନୀତି ଆପଣାଇଥିଲେ । ଏଥର ସାଧାରଣ ନିର୍ବାଚନ ଆରମ୍ଭରୁ ହିଞ୍ଜିଳିରୁ ପରିବର୍ତ୍ତନ ଆରମ୍ଭ ହୋଇ ରାଜଧାନୀ ଭୁବନେଶ୍ବରରେ ଶେଷ କରିବାର ନାରା ଦେଉଥିଲା ବିଜେପି । ତେବେ ଭାରତୀୟ ଜନତା ପାର୍ଟି ଏଥର ଏହି ଆସନରୁ ଶିଶିର କୁମାର ମିଶ୍ରଙ୍କୁ ପ୍ରାର୍ଥୀ କରିଥିଲା । ଦଳ ଏହି ଆସନକୁ ମଧ୍ୟ ବେଶ ଗୁରୁତ୍ବ ଦେଉଥିବା ଦେଖିବାକୁ ମିଳିଛି । ଦଳ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏଠାକୁ ଆସି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ । ଅନ୍ୟପଟେ ବିଜେପି ପ୍ରାର୍ଥୀ କହିଥିଲେ, "ହିଞ୍ଜିଳିବାସୀ ଏବେ ପରିବର୍ତ୍ତନ ଚାହୁଁଛନ୍ତି । କାରଣ ସମସ୍ତେ ଜାଣିଛନ୍ତି ଯେ ଆମ ମୁଖିଆ ନବୀନ ବାବୁ ଆଉ ଶାସନରେ ନାହାନ୍ତି । ତାମିଲ ଶାସନ ଚାଲିଛି । ତେଣୁ ଏଥର ଏଥର ହିଞ୍ଜିଳି ସମେତ ସମଗ୍ର ଓଡ଼ିଶା ପରିବର୍ତ୍ତନ ହେବ ।"
ହାର ମାନିଛି କଂଗ୍ରେସ: କଂଗ୍ରେସ ଦଳରୁ ଏଠାରେ ରଜନୀକାନ୍ତ ପାଢୀ ପ୍ରାର୍ଥୀ ହୋଇଥିଲେ । ହେଲେ ଆରମ୍ଭରୁ ସେ ଦ୍ବିତୀୟରେ ରହିବେ ଫଳାଫଳ ଆସିବା ପୂର୍ବରୁ ମାନି ସାରିଥିଲେ । ରଜନୀକାନ୍ତ କହିଥିଲେ, "ବିଜେପି ଟିକଟ ବିଜେଡି କିଣି ଦେଇଛି । ସେଥିପାଇଁ ହିଞ୍ଜିଳି ବାହାରୁ ଜଣକୁ ଆଣି ପ୍ରାର୍ଥୀ କରିଛନ୍ତି । ବିଜେପି ଓ ବିଜେଡି ଉଭୟ ଦଳ ଏକ ହୋଇ ନବୀନ ପଟ୍ଟନାୟକଙ୍କ ପ୍ରାର୍ଥିତ୍ବକୁ ସମର୍ଥନ କରିବା ସହ ତାଙ୍କୁ ଜିତାଇବା ପାଇଁ ଲାଗିଛନ୍ତି । ତେଣୁ ମୁଁ ଏକାକୀ କଂଗ୍ରେସ ପ୍ରାର୍ଥୀ ଭାବେ ସଙ୍ଘର୍ଷ କରୁଛି ।" ସେ ଯାହା ବି ହେଉ ବିଜେଡି ସହ ଲଢ଼ି କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିବା ସହ ବିଜେପି ତୃତୀୟ କିମ୍ବା ୪ର୍ଥରେ ରହିବ ବୋଲି ସେ କହିଥିଲେ ।
ବିଗତ ନିର୍ବାଚନ ଫଳାଫଳ-