ପୁରୀ: ଲୋକସଭା ଓ ବିଧାନସଭା ଆସନରେ ବିଜେଡି ବିଜୟ ବାନା ଉଡ଼ାଇବାକୁ କଳବଳ ଓ ସବୁ କୌଶଳ ଖଟାଇ ଦେଇଛି । ଚଳିତ ନିର୍ବାଚନରେ କିଭଳି ଦଳ ବିପୁଳ ସଂଖ୍ୟାରେ ଭୋଟ ହାସଲ କରିବ, ସେନେଇ ଘନ ଘନ ବୈଠକ ସହ ରଣନୀତି ପ୍ରସ୍ତୁତ କରାଯାଉଛି । ଏହି କ୍ରମରେ ଗତକାଲି (ବୁଧବାର) ସଂଧ୍ୟାରେ ପୁରୀ ପୌରପାଳିକାର 20 ନମ୍ବର ୱାର୍ଡରେ ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଦଳର ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ, ସ୍ଥାନୀୟ ନେତା ତଥା ଦଳର ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ସହ ବହୁ ବରିଷ୍ଠ ଦଳୀୟ ନେତାଙ୍କ ଉପସ୍ଥିତିରେ ଏହି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଶତାଧିକ ବିଜେଡି କର୍ମୀ ଯୋଗଦେଇ ଚଳିତ ନିର୍ବାଚନରେ ଦଳ କିଭଳି ବିପୁଳ ଭୋଟରେ ଜିତିବ ସେନେଇ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ ।
ପୁରୀ ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ହୋଇଥିବା ଅରୂପ ପଟ୍ଟନାୟକ କହିଛନ୍ତି, ସେ ପୁରୀ ମାଟିର ପୁଅ । ନିଜ ମାଟି ମା’ର ସେବା ପାଇଁ ସେ ରାଜନୀତିକୁ ଆସିଛନ୍ତି । ପୁରୀ ସହରରେ ଅନେକ ବିକାଶ କାର୍ଯ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ହେଇଛି । ପୁରୀକୁ ‘ବିଶ୍ଵ ଐତିହ୍ୟ ନଗରୀ’ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଏଣୁ ଲୋକମାନେ ବିକାଶ କାର୍ଯ୍ୟକୁ ସମର୍ଥନ ଦେଇ ଚଳିତ ନିର୍ବାଚନରେ ‘ଶଙ୍ଖ’ ଚିହ୍ନକୁ ବିପୁଳ ଭୋଟରେ ଜିତାଇବାକୁ ଯାଉଛନ୍ତି । ଚଳିତ ମାସ 20 ତାରିଖରେ ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ଼ ଶୋ’ କାର୍ଯ୍ୟକ୍ରମ ଥିବାବେଳେ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି ଅରୂପ । ସେ କହିଛନ୍ତି, ସେ କେବଳ ନିଜ କାର୍ଯ୍ୟ ଉପରେ ଫୋକସ କରନ୍ତି । ଅନ୍ୟ କାହା ବିଷୟରେ ସେ କିଛି ମତାମତ ଦେବେନାହିଁ ।