ଅନୁଗୋଳ: ରାଜ୍ୟରେ ଏଥର ଡବଲ ଇଞ୍ଜିନ ସରକାର ଗଠନ ହେବାକୁ ଯାଉଛି । ଏଥର ବିଜେଡି ସରକାରର ପତନ ନିଶ୍ଚିତ । ଓଡିଶାରେ ପ୍ରାକୃତିକ ସମ୍ପଦ ଭରପୂର ରହିଛି, ତଥାପି ରାଜ୍ୟର ଏପରି ସ୍ଥିତି ପାଇଁ କେବଳ ବିଜେଡି ସରକାର ହିଁ ଦାୟୀ । କାମଧନ୍ଦା ପାଇଁ ଯୁବକମାନେ ବାହାର ରାଜ୍ୟକୁ ଯାଉଛନ୍ତି । ଏପରି କଷ୍ଟ ଦେଖି ଦୁଃଖ ଲାଗୁଛି । ଓଡିଶାରେ ଭ୍ରଷ୍ଟାଚାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଘେରି ରହିଛନ୍ତି । ଜଗନ୍ନାଥ ମନ୍ଦିର ମଧ୍ୟ ଏମାନଙ୍କ ଶାସନରେ ସୁରକ୍ଷିତ ନୁହେଁ । ରତ୍ନଭଣ୍ଡାର ଚାବି ହଜିଲା କେମିତି । ହେଲେ ଏଥର ବିଜେଡି ସରକାର ଯିବା ଥୟ । ବିଜେପି ରାଜ୍ୟରେ ସରକାରକୁ ଆସିବା ପରେ ରତ୍ନଭଣ୍ଡାର ରିପୋର୍ଟ ସାର୍ବଜନୀନ କରିବ । ଆଜି ଏପରି ଢଙ୍ଗରେ ବିଜେଡି ସରକାର ଉପରେ ଭୀଷଣ ବର୍ଷିିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଆଜି (ସୋମବାର) ସକାଳୁ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଓ ପରେ ବଡଦାଣ୍ଡରେ ବିଶାଳ ରୋଡ ସୋ’ କରିବା ପରେ ଅନୁଗୋଳରେ ବିଶାଳ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ । ପୂର୍ବଥର ପରି ରାଜ୍ୟର ଅସ୍ମିତା, ଜଗନ୍ନାଥ ସଂସ୍କୃତି, ରତ୍ନଭଣ୍ଡାର ଚାବି ପ୍ରସଙ୍ଗ, ଦୁର୍ନୀତି, ଗରିବୀ ପରି ଏକାଧିକ ସମ୍ବେଦନଶୀଳ ପ୍ରସଙ୍ଗରେ ନବୀନ ସରକାରକୁ ଆକ୍ରମଣାତ୍ମକ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ରାଜ୍ୟରେ ଏଥର ପରିବର୍ତ୍ତନ ନିଶ୍ଚିତ ବୋଲି କହି ପ୍ରଧାନମନ୍ତ୍ରୀ ପୁଣି ବ୍ରହ୍ମପୁର ସଭାରେ ଘୋଷଣା କରିଥିବା ଶପଥ ଗ୍ରହଣ ସମାରୋହ ତାରିଖକୁ ଦୋହରାଇଛନ୍ତି । ରାଜ୍ୟବାସୀଙ୍କୁ ବିଜେପି ସରକାର ଶପଥଗ୍ରହଣ ସମାରୋହକୁ ଆସିବାକୁ ନିମନ୍ତ୍ରଣ କରିଛନ୍ତି । 10 ତାରିଖରେ ଶପଥ ବିଧି ହେବା ନେଇ ପୁଣି ଥରେ ଦମ୍ଭୋକ୍ତି ସହ ମନେ ପକାଇଛନ୍ତି ମୋଦି ।