ସିମଲା: ନିଜ ବିବାଦୀୟ ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ କଙ୍ଗନା ରଣାୱତ ଏବେ ହିମାଚଳ ପ୍ରଦେଶ ମଣ୍ଡି ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି । ନିର୍ବାଚନ ପାଖେଇ ଆସୁଥିବାରୁ ପ୍ରଚାର କାର୍ଯ୍ୟରେ ଲାଗିପଡ଼ିଛନ୍ତି ଅଭିନେତ୍ରୀ । ଏହାରି ମଧ୍ୟରେ ନିଜର ବୟାନକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି କଙ୍ଗନା । ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଶିବେସନା ଉଦ୍ଧବ ଗୋଷ୍ଠୀ ମୁଖ୍ୟ ଉଦ୍ଧବ ଠାକରେଙ୍କୁ ପପ୍ପୁ ବୋଲି କହିବା ସହ ଯୁବ କ୍ୟାବିନେଟ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂଙ୍କୁ କହିଛନ୍ତି ଛୋଟା ପପ୍ପୁ ।
ଆଜି ମନାଲିରେ କଙ୍ଗନା ରାଲି କରିବା ସମୟରେ ଏଭଳି ବୟାନବାଜି କରିଛନ୍ତି । ଯାହାକୁ ନେଇ ରାଜନୀତି ବେଶ ସରଗରମ ହୋଇଛି । ରାଜ୍ୟ ରାଜନୀତିରେ ଏଣିକି ବାକ୍ ଯୁଦ୍ଧ ଆରମ୍ଭ ହେବ ବୋଲି ଚର୍ଚ୍ଚା ହେଉଛି । ଯୁବ କ୍ୟାବିନେଟ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ ସର୍ବଦା କଙ୍ଗନାଙ୍କୁ ବଡ଼ ଭଉଣୀ ଭାବେ ସମ୍ବୋଧନ କରୁଥିବା ବେଳେ କଙ୍ଗନା ତାଙ୍କୁ ଛୋଟା ପପ୍ପୁ ବୋଲି କହିଛନ୍ତି । ଏପରିକି ରାହୁଲ ଗାନ୍ଧୀଙ୍କ ବିରୋଧରେ ମଧ୍ୟ ସେ ସମାନ ଶବ୍ବର ବ୍ୟବହାର କରିଛନ୍ତି । ନିକଟରେ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ କଙ୍ଗନାଙ୍କ ବିରୋଧରେ ଅତ୍ୟନ୍ତ ଆପତ୍ତିଜନକ ବୟାନ ଦେଇ ବିବାଦକୁ ଆସିଥିଲେ ।
ଏହା ବି ପଢନ୍ତୁ- ଗଣତନ୍ତ୍ରର ସଂଜ୍ଞା ଜାଣିନାହାନ୍ତି ରାହୁଲ ଗାନ୍ଧୀ: ବିଜେପି ଲୋକସଭା ପ୍ରାର୍ଥୀ କଙ୍ଗନା
କଙ୍ଗନା କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, "ଦିଲ୍ଲୀରେ ଜଣେ ବଡ ପପ୍ପୁ ଥିବା ବେଳେ ଆମର ଏଠି ମଧ୍ୟ ଜଣେ ଛୋଟ ପପ୍ପୁ ଅଛନ୍ତି । ସେ କୁହନ୍ତି ମୁଁ ଗୋମାଂସ ଭକ୍ଷଣ କରେ ଓ ତା ନିକଟରେ ଭିଡ଼ିଓ ଅଛି । ତାହେଲେ ସେ ଭିଡ଼ିଓ ଦେଖାଉ ନାହିଁ କାହିଁକି ? ଛୋଟ ପପ୍ପୁ ଜଣେ ମିଛୁଆ । ବଡ଼ ପପ୍ପୁ ଯେପରି ଛୋଟ ପପ୍ପୁ ମଧ୍ୟ ସେହିପରି ।" କଙ୍ଗନା ମଣ୍ଡି ଆସନରୁ ପ୍ରାର୍ଥୀ ହେବା ପରେ ଏହା ଏବେ ଚର୍ଚ୍ଚାରେ ରହିଛି । କଙ୍ଗନାଙ୍କ ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ନିର୍ବାଚନ ମଣ୍ଡଳୀରେ ଆରୋପ ପ୍ରତ୍ୟାରୋପ ରାଜନୀତି ଦେଖିବାକୁ ମିଳିଛି ।