ଭୋପାଳ:ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଓ ତାଙ୍କର ପୁଅ ନକୁଳ ନାଥ କଂଗ୍ରେସ ଛାଡି ବିଜେପିରେ ମିଶିବେ ବୋଲି କିଛି ଦିନ ହେଲା ଜୋର୍ ଧରିଥିବା ଚର୍ଚ୍ଚାରେ ପଡିଛି ପୂର୍ଣ୍ଣଚ୍ଛେଦ । କମଲନାଥ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରାକୁ ପ୍ରଶଂସା କରି ନିଜେ ଏହି ଦ୍ବନ୍ଦ ଦୂର କରିଛନ୍ତି । ଆସନ୍ତା ମାସ କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା ମଧ୍ୟପ୍ରଦେଶରେ ପହଞ୍ଚିବାକୁ ଥିବାବେଳେ କମଲନାଥ ଏଥିରେ ସାମିଲ ହେବେ ଏବଂ ରାହୁଲଙ୍କୁ ସମର୍ଥନ କରିବେ । ନିଜର ଏକ ସୋସିଆଲ ମିଡିଆ ପୋଷ୍ଟରେ ସେ ରାହୁଲଙ୍କୁ ନିଜର ନେତା ବୋଲି କହିବା ସହ ନ୍ୟାୟ ଯାତ୍ରାରେ ସାମିଲ ହେବାକୁ ଲୋକଙ୍କୁ ଆହ୍ବାନ କରିଛନ୍ତି ।
ବରିଷ୍ଠ କଂଗ୍ରେସ ନେତା କମଲନାଥ ଏକ୍ସରେ ଲେଖିଛନ୍ତି, ''ମଧ୍ୟପ୍ରଦେଶର ଜନତା ଏବଂ କଂଗ୍ରେସ କାର୍ଯ୍ୟକର୍ତ୍ତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାକୁ ସ୍ବାଗତ କରିବାକୁ ଉତ୍ସାହିତ ଅଛନ୍ତି । ଅନ୍ୟାୟ, ଅତ୍ୟାଚାର ଓ ଶୋଷଣ ବିରୋଧରେ ଆମର ନେତା ରାହୁଲଜୀ ରାଜରାସ୍ତାକୁ ଓହ୍ଲାଇ ନିର୍ଣ୍ଣାୟକ ଲଢେଇ ଲଢୁଛନ୍ତି । ନ୍ୟାୟ ଯାତ୍ରାରେ ଅଧିକ ସଂଖ୍ୟାରେ ସାମିଲ ହୋଇ ତାଙ୍କର ଶକ୍ତି ଓ ସାହାସ ହେବାକୁ ମୁଁ ରାଜ୍ୟବାସୀ ଏବଂ କଂଗ୍ରେସ କାର୍ଯ୍ୟକର୍ତ୍ତମାନଙ୍କୁ ଅନୁରୋଧ କରୁଛି । ଆମକୁ ମିଳି ମିଶି ଅନ୍ୟାୟ ବିରୋଧରେ ଏହି ମହାଅଭିଯାନକୁ ଲକ୍ଷ୍ୟସ୍ଥଳରେ ପହଞ୍ଚିାଇବାକୁ ହେବ ।''