ଚଣ୍ଡିଗଡ/ନୂଆଦିଲ୍ଲୀ: 2014 ମସିହାରୁ ହରିୟାଣାରେ କ୍ରମାଗତ ଶାସନରେ ରହିଆସିଥିବା ଭାରତୀୟ ଜନତା ପାର୍ଟି ସାଧାରଣ ନିର୍ବାଚନ ପୂର୍ବରୁ କ୍ଷମତା ସମୀକରଣରେ ପରିବର୍ତ୍ତନ କରିଛି । ତେବେ କୌଣସି ସଂଖ୍ୟା ଅଭାବ ନୁହେଁ ବରଂ କ୍ଷମତା ବିରୋଧୀ ହାଓ୍ବା ବା ଆଣ୍ଟି ଇନକମ୍ବେନ୍ସିଂ ଫ୍ୟାକ୍ଟରକୁ ଏଡାଇବା ପାଇଁ ବିଜେପି ଏପରି କରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଲାଣି । ଦଳ ରାଜ୍ୟରେ କ୍ଷମତା ଅପରିବର୍ତ୍ତିତ ରଖିଥିବାବେଳେ, କେବଳ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ନୁହନ୍ତି ବରଂ ଅନ୍ୟ ଜଣେ ବରଷ୍ଠ ନେତା ତଥା ଗୃହମନ୍ତ୍ରୀ ଅନୀଲ ବିଜ ମଧ୍ୟ କ୍ୟାବିନେଟରୁ ବାଦ ପଡିଛନ୍ତି । ଖଟ୍ଟରଙ୍କ ଇସ୍ତଫା ପରେ ମନ୍ତ୍ରୀମଣ୍ଡଳ ଭଙ୍ଗ ହୋଇଥିଲା । ନ୍ୟାୟବ ସିଂ ସୈନି ମୁଖ୍ୟମନ୍ତ୍ରୀ ହେଲେ । ପୂର୍ବ ସରକାରରେ କ୍ଷମତା ନମ୍ବର 2 କୁହାଯାଉଥିବା ଗୃହମନ୍ତ୍ରୀ ଅନୀଲ ବିଜଙ୍କୁ କିନ୍ତୁ ନୂଆ କ୍ୟାବିନେଟରେ ମନ୍ତ୍ରୀପଦରୁ ଦୂରରେ ରଖିଛି ଦଳ ।
ବିଜେପିର ଏହି ବରିଷ୍ଠ ନେତା ଆମ୍ବାଲା ବିଧାନସଭା ଆସନରୁ 6ଥର ବିଧାୟକ ହୋଇଛନ୍ତି । 2009ରୁ ସେ କ୍ରମାଗତ ବିଜୟୀ ହୋଇଆସିଛନ୍ତି । ତେବେ ଆଜି ମନ୍ତ୍ରୀମଣ୍ଡଳ ଭଙ୍ଗ ହେବା ପରେ ଦୁଷ୍ୟନ୍ତ ଚୌଟାଲା ଉପମୁଖ୍ୟମନ୍ତ୍ରୀ ପଦ ଛାଡିଥିଲେ । ଏହି ପଦ ଗୃହମନ୍ତ୍ରୀ ଅନୀଲଙ୍କୁ ମିଳିବା ନେଇ ଅନୁମାନ କରାଯାଉଥିଲା । ପରେ ବସିଥିବା ଦଳର ବିଧାୟକ ଦଳ ବୈଠକରେ ସୈନିଙ୍କୁ ନେତା ନିର୍ବାଚିତ କରାଯିବା ପରେ ଅନୀଲ ନାରାଜ ହୋଇଥିଲେ ଓ ସଭା ମଝିରୁ ଉଠି ପଳାଇଥିଲେ । ଏହି ବୈଠକରେ ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା ଓ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ୍ ମଧ୍ୟ ଯୋଗ ଦେଇଥିଲେ । ଏହାପରେ ଅନୀଲଙ୍କୁ ନୂତନ ସରକାରର ଶପଥଗ୍ରହଣ ସମାରୋହରେ ମଧ୍ୟ ଦେଖିବାକୁ ମିଳିନଥିଲା ।