ଓଡିଶା

odisha

ETV Bharat / politics

ବଢ଼ିଲା ସୁଖୁ ସରକାରଙ୍କ ଅଡୁଆ, ବିଜେପିରେ ମିଶିଲେ କଂଗ୍ରେସର 6 ଅଯୋଗ୍ୟ ଘୋଷିତ ବିଧାୟକ - HIMACHAL POLITICAL CRISIS - HIMACHAL POLITICAL CRISIS

Himachal Political Crisis: ସଙ୍କଟରେ ହିମାଚଳ କଂଗ୍ରେସ ସରକାର ! ଆଜି ବିଜେପିରେ ମିଶିଲେ କଂଗ୍ରେସର ୬ ବିଦ୍ରୋହୀ ବିଧାୟକ । ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ପାଇଁ ଏହି ବିଧାୟକମାନଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷିତ କରିଥିଲେ । ଅଧିକ ପଢନ୍ତୁ,

ବଢିଲା ସୁଖୁ ସରକାରଙ୍କ ସଙ୍କଟ, ବିଜେପିରେ ମିଶିଲେ ୬ ବିଦ୍ରୋହୀ ବିଧାୟକ
ବଢିଲା ସୁଖୁ ସରକାରଙ୍କ ସଙ୍କଟ, ବିଜେପିରେ ମିଶିଲେ ୬ ବିଦ୍ରୋହୀ ବିଧାୟକ

By ETV Bharat Odisha Team

Published : Mar 23, 2024, 1:30 PM IST

Updated : Mar 23, 2024, 4:43 PM IST

ଶିମଲା: ବଢିଲା ହିମାଚଳ ସୁଖୁ ସରକାରଙ୍କ ଅଡୁଆ । ପଦ୍ମ ଧରିଲେ କଂଗ୍ରେସର ୬ ବିଦ୍ରୋହୀ ବିଧାୟକ । ହିମାଚଳ ସରକାରରେ ବିଦ୍ରୋହ କରି ନିକଟରେ କଂଗ୍ରେସ ଛାଡିଥିବା ୬ ଜଣ ବିଧାୟକ ରାଜେନ୍ଦ୍ର ରାଣା, ସୁଧୀର ଶର୍ମା, ଦେବେନ୍ଦ୍ର ଭୁଟ୍ଟୋ, ଚୈତନ୍ୟ ଶର୍ମା, ରବି ଠାକୁର ଏବଂ ଇନ୍ଦ୍ରଦତ୍ତ ଲଖନପାଲଙ୍କ ସହିତ ଆଉ ୩ ଜଣ ନିର୍ଦଳୀୟ ବିଧାୟକ ଆଜି ବିଜେପିରେ ଯୋଗ ଦେଇଛନ୍ତି । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ହିମାଚଳ ବିଜେପି ରାଜ୍ୟ ସଭାପତି ରାଜୀବ ବିନ୍ଦଲ ଏବଂ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ସମସ୍ତେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ବିଜେପିରେ ମିଶିଥିବା ନିର୍ଦଳୀୟ ବିଧାୟକମାନେ ହେଲେ କେଏଲ ଠାକୁର, ହୋଶିଆର ସିଂହ ଓ ଆଶିଷ ଶର୍ମା ।

ସୂଚନା ଥାଉକି, ରାଜ୍ୟସଭା ନିର୍ବାଚନ ସମୟରେ କଂଗ୍ରେସର ସମ୍ପୃକ୍ତ ୬ ବିଧାୟକ କ୍ରସ ଭୋଟିଂ କରି ବିଜେପି ପ୍ରାର୍ଥୀ ହର୍ଷ ମହାଜନଙ୍କୁ ଭୋଟ ଦେଇଥିଲେ । ଏହାପରେ ବିଧାନସଭା ବାଚସ୍ପତି କୁଲଦୀପ ପଠାନିଆ ଏହି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ । ପରେ ସେହି ୬ଟି ଆସନରେ ଉପନିର୍ବାଚନ ପାଇଁ ଘୋଷଣା କରିଥିଲେ ନିର୍ବାଚନ କମିଶନ । କୁହାଯାଉଛି ଯେ, ଏବେ ଏହି ବିଧାୟକମାନେ ବିଜେପି ଟିକେଟରେ ଉପନିର୍ବାଚନ ଲଢିବେ । ତେବେ ଏହି ବିଦ୍ରୋହୀମାନେ ବିରୋଧୀ ଶିବିରରେ ମିଶିବା ଦ୍ବାରା ଯଦିଓ ବର୍ତ୍ତମାନ ସ୍ଥିତିରେ ସୁଖୁ ସରକାର ପ୍ରତି କୌଣସି ବିପଦ ନାହିଁ, ହେଲେ ବିଜେପି ଉପନିର୍ବାଚନ ଜିତି ସରକାର ଭାଙ୍ଗିବା ଲକ୍ଷ୍ୟରେ ରହିଛି ।

ଏହା ମଧ୍ୟ ପଢନ୍ତୁ:ମହଙ୍ଗା ପଡ଼ିଲା କ୍ରସ୍ ଭୋଟିଂ: ହିମାଚଳରେ 6 କଂଗ୍ରେସ ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ କଲେ ବାଚସ୍ପତି


ଏହାକୁ ନେଇ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଟ୍ବିଟ୍ କରି ବିଦ୍ରୋହୀ ବିଧାୟକମାନଙ୍କୁ ଟାର୍ଗେଟ କରିଛନ୍ତି । ସୁଖୁ କହିଛନ୍ତି ଯେ, ଆୟାରାମ-ଗୟାରାମ ଓ ଧନବଳ ରାଜନୀତି କରୁଥିବା ଲୋକ ଦେବଭୂମିର ଜନାଦ୍ଦେଶକୁ ଧୋକା ଦେଇ ଆଜି ନିଜର ଠିକଣା ବାଛିଛନ୍ତି । ଏମାନେ ଆଜି ସେହିମାନଙ୍କ ସହ ବସିଛନ୍ତି, ଯିଏ OPS ମାଗିବାରୁ କର୍ମଚାରୀଙ୍କ ପରିହାସ କରିଥିଲେ ଏବଂ ପେପର ଲିକ କରି ଯୁବକମାନଙ୍କ ରେଜଲ୍ଟ ଅଟକାଇ ଥିଲେ । ଏଇ ସେହିମାନେ ଯିଏ ନିଜ ଫାଇଦା ପାଇଁ ମହିଳାଙ୍କ ବିରୋଧରେ ଛାଡି ହୋଇଥିଲେ ଏବଂ ନିଜର ବେଇମାନୀ ଓ ଘୋଡା ବେପାର ରାଜନୀତିରେ ଦେବଭୂମିର ଆଦର୍ଶ ଓ ମୂଲ୍ୟବୋଧଙ୍କୁ ପାଦରେ ଦଳ ଦେଇଥିଲେ । କିନ୍ତୁ ଗଣତନ୍ତ୍ରରେ ଜନତା ଜନର୍ଦ୍ଦନ ଅଟନ୍ତି, ଅର୍ଥ ପାଇଁ ଯିଏ ନିଜର ସମ୍ମାନ ବିକି ଦେଉଥିବା ଲୋକେ କେବେହେଲେ ଟଙ୍କାରେ ଜନତାଙ୍କ ଭଲ ପାଇବା ଓ ସମର୍ଥନ କିଣିପାରିବେ ନାହିଁ । ଜନତା ଏହାର ଉଚିତ୍ ଜବାବ ଦେବେ ।

Last Updated : Mar 23, 2024, 4:43 PM IST

ABOUT THE AUTHOR

...view details