ଭୁବନେଶ୍ବର:ପରଲୋକରେ ପୋଲସରାର ପୂର୍ବତନ ବିଧାୟକ ତଥା ବିଜେପି ନେତା ନିରଞ୍ଜନ ପ୍ରଧାନ । ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ । ଚିକିତ୍ସାଧିନ ଅବସ୍ଥାରେ ଗତକାଲି (ଗୁରୁବାର) ରାତିରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ସେ ନିଶ୍ବସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ 65 ବର୍ଷ ହୋଇଥିଲା । ତାଙ୍କ ଦେହାନ୍ତ ଖବର ପ୍ରକାଶ ପାଇବା ପରେ ଓଡ଼ିଶା ରାଜନୀତିରେ ଶୋକରଛାୟା ଖେଳିଯାଇଛି । ବିଜେଡି ଟିକେଟରେ 2004 ଓ 2009ରେ ବିଧାୟକ ହୋଇଥିଲେ ନିରଞ୍ଜନ । 2019ରେ ଟିକେଟରୁ ବଞ୍ଚିତ ନିରଞ୍ଜନ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ଆଜି ବିଧାନସଭା ଯିବ ନିରଞ୍ଜନଙ୍କ ମରଶରୀର । ସେଠାରେ ଦଳର ସମସ୍ତ ନେତା ଓ ମନ୍ତ୍ରୀ ତାଙ୍କର ଶେଷଦର୍ଶନ କରିବେ ।
2019ରେ ଶଙ୍ଖ ଛାଡି ପଦ୍ମ ଧରିଥିଲେ ନିରଞ୍ଜନ:
2004 ବିଧାନସଭା ନିର୍ବାଚରେ ବିଜେଡି ଟିକେଟରେ କୋଦଳା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ଲଢି ବିଜୟୀ ହୋଇଥିଲେ ନିରଞ୍ଜନ ପ୍ରଧାନ । ଏହାପରେ 2009ରେ ପୋଲସରା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ଟିକେଟରେ ବିଧାୟକ ଭାବେ ଲଡି ବିଜୟୀ ହୋଇଥିଲେ । କିନ୍ତୁ 2019 ନିର୍ବାଚନ ସମୟରେ ଦଳ ତାଙ୍କୁ ଟିକେଟ ଦେଇନଥିଲା । ଏଥିରେ ଅସନ୍ତୋଷ ବ୍ୟକ୍ତ କରି ବିଜେଡି ଛାଡି ସେ ବିଜେପିରେ ସାମିଲ ହୋଇଥିଲେ ।