ଭୁବନେଶ୍ବର:କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଦାୟିତ୍ବରେ ଥିବା ଅଂଶୁମାନ ଦଳରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ସେ ଇସ୍ତଫାପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି । ରାଜନଗରର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନଳିନୀକାନ୍ତ ମହାନ୍ତିଙ୍କ ପୁଅ ଅଂଶୁମାନ, କଂଗ୍ରେସରେ ଜଣେ ସକ୍ରିୟ କର୍ମୀ ଥିଲେ । ସେ ହଠାତ୍ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଚର୍ଚ୍ଚା ଜୋର ଧରିଛି । ହେଲେ ସେ କେଉଁ କାରଣରୁ ଦଳ ଛାଡିଲେ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।
2014 ମସିହାରେ ଅଂଶୁମାନ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରର ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେବେ 2019ରେ ସେ କଂଗ୍ରେସ ପ୍ରାର୍ଥୀ ଭାବେ ଛିଡ଼ା ହୋଇ ପରାସ୍ତ ହୋଇଥିଲେ । ନିକଟରେ ତାଙ୍କୁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଦେଖିବାକୁ ମିଳିଥିଲା । ଅଂଶୁମାନ ଥିଲେ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ଟାଣୁଆ ନେତା। ଏହାସହ ସେ ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା ନଳିନୀ ମହାନ୍ତିଙ୍କ ପୁଅ। ସାଧାରଣ ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ ବର୍ତ୍ତମାନ ଜାରି ରହିଛି ଦଳ ଡିଆଁ ପର୍ବ। ଏହାରି ଭିତରେ କଂଗ୍ରେସର ନେତୃତ୍ବ ଦଳ ଛାଡୁଥିବା ଦେଖିବାକୁ ମିଳିଛି। ତେବେ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଝଟକା ଲାଗିଛି।