ଭୁବନେଶ୍ବର: ଭଦ୍ରକ ବରପଦା ଇଂଜିନିୟରିଂ କଲେଜ ଜମି ଓ ଟଙ୍କା ଜାଲିଆତି ଘଟଣାରେ ଖୋଲତାଡ଼ । ବଢିଲା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଡୁଆ । ପ୍ରଫୁଲ୍ଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ସମନ ଜାରି କରିଛି ଇଡି । ୧୫ ଦିନ ମଧ୍ୟରେ ନିଜର ପକ୍ଷ ରଖିବାକୁ ସମନ ଦିଆଯାଇଥିବା ନେଇ ସୂଚନା ମିଳିଛି । ବରପଦା ଜମି ଓ ଟଙ୍କା ଜାଲିଆତି ସମ୍ପର୍କରେ କ'ଣ ତଥ୍ୟ ରହିଛି ସେନେଇ ନିଜର ପକ୍ଷ ରଖିବେ ବାପ ପୁଅ । ଏଥିସହ ଇଡି ରେଡ୍ ସମୟରେ ମିଳିଥିବା ଆର୍ଥିକ କାରବାର ଓ ସମ୍ପତ୍ତିର ହିସାବ ନିକାଶ ହେବ । ସେସବୁ ସମ୍ପତ୍ତିର ଉତ୍ସ କ'ଣ ଥିଲା ସେନେଇ ମଧ୍ୟ ତଥ୍ୟ ରଖିବେ। ଏଥିସହ ଘରୁ ଜବତ ହୋଇଥିବା ୪୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଗାଡି ସମ୍ପର୍କରେ ମଧ୍ୟ ପକ୍ଷ ରଖିବେ ।
ଏଭଳି ଭାବେ ରେଡ୍ ସମୟରେ ଯେଉଁ ସମ୍ପତ୍ତିର ତାଲିକା ଇଡି ପାଇଛି ସେନେଇ ପ୍ରଫୁଲ୍ଲ ସାମଲ ଏବଂ ତାଙ୍କ ପୁଅ ପ୍ରୟାସକାନ୍ତି ସନ୍ତୋଷଜନକ ଉତ୍ତର ରଖିପାରୁଛନ୍ତି କି ନାହିଁ ତା ଉପରେ ସମସ୍ତଙ୍କ ନଜର ରହିଛି । ପୁଅ ପ୍ରୟାସକାନ୍ତି ସାମଲ ଓରଫ ଲୁଲୁଙ୍କୁ ମଧ୍ୟ ନୋଟିସ ହୋଇଛି । ବାପାଙ୍କ ସହ ପୁଅ ମଧ୍ୟ ନିଜର ଆର୍ଥିକ କାରବାର ନେଇ ତଥ୍ୟ ରଖିବେ । ଏହାସହ ବ୍ୟାବସାୟିକ କାରବାର, ଆକାଉଣ୍ଟରେ ଟଙ୍କା ନେଣ ଦେଣ , ରାଜନୈତିକ ଉଦ୍ଦେଶ୍ୟରେ ହୋଇଥିବା ଟଙ୍କା କାରବାର ସହ ଘର, ଗାଡି଼ ଓ ବ୍ୟାଙ୍କ ବାଲାନ୍ସଠାରୁ ଆରମ୍ଭ କରି ଫିକ୍ସ ଡିପୋଜିଟ ସମେତ, ସବୁ କିଛି ତଥ୍ୟ ଟିକିନିକ୍ ସେମାନେ ପାଖରେ ରଖିବେ। ଏନେଇ ୧୫ଦିନ ସମୟ ଦିଆଯାଇଛି।