ରାଇରଙ୍ଗପୁର: ମୌଳିକ ଆବଶ୍ୟକତା ପୂରଣ ନ ହେବାରୁ ଗ୍ରାମବାସୀଙ୍କ ଭୋଟ ବର୍ଜନ । ଦିନକୁ ଦିନ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସମସ୍ୟା ଘେରରେ ଥିବା କିଛି ଗ୍ରାମ ଗୁଡିକରେ ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି ଜୋର୍ ଧରିଛି । ତେବେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଚମ୍ପାଝର ଗ୍ରାମପଞ୍ଚାୟତର ଅଶନବଣୀ ଗାଁ ରେ । ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମର ବାସିନ୍ଦା ଚଳିତ ନିର୍ବାଚନରେ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି । ଏପରି କି ସମସ୍ତ ରାଜନୈତିକ ଦଳ ମାନଙ୍କର ପ୍ରଚାର ଉପରେ ଅଙ୍କୁଶ ଲଗାଇଛନ୍ତି । ଅସନବଣୀ ଗାଁ କୁ ଗମନାଗମନ ପାଇଁ ଭଲ ରାସ୍ତା ଟିଏ ନାହିଁ । ଫଳରେ ସବୁଦିନେ ଗାଁ ବାସିନ୍ଦା ହଇରାଣ ହେଉଛନ୍ତି । ବର୍ଷା ଦିନର କଥା ନକହିଲେ ଭଲ । କାଦୁଅଭରା ରାସ୍ତାରେ ଯା ଆସ କରିବା ନେଇ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ ।
ଏଭଳି ଅବସ୍ଥା ସମ୍ପର୍କରେ ଗାଁ ଲୋକେ ପୂର୍ବରୁ ଜିଲ୍ଲାପାଳ ସମେତ ବିଭିନ୍ନ ଅଧିକାରୀଙ୍କୁ ଏ ବିଷୟରେ ଅବଗତ କରାଇଥିଲେ । ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କୁ ମଧ୍ୟ ବାରମ୍ବାର ଜଣାଇ ଥିଲେ, ମାତ୍ର କେହି ଏ ଦିଗରେ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଶେଷରେ ବାଧ୍ୟ ହୋଇ ଗ୍ରାମର ସମସ୍ତ ୨୩୦ ଜଣ ଭୋଟର ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି । ପ୍ରଶାସନିକ ଅବହେଳା କାରଣରୁ ସେମାନେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଜଣାଇଥିଲେ । ଏଥି ସହିତ ଗାଁକୁ କୌଣସି ରାଜନୈତିକ ଦଳକୁ ପୁରାଇ ନ ଦେବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।