ଭୁବନେଶ୍ବର:କଣାସରେ ଡାଇରିଆରେ 4 ମୃତ୍ୟୁ ଘଟଣା । ପୁନର୍ବାର ରାଜ୍ୟ ସରକାରଙ୍କୁ ଘେରିଛି ବିଜେଡି । ନୂଆ ସରକାର ଆସିବା ପରେ ପାନୀୟ ଜଳ ପ୍ରକଳ୍ପ କାମ ବନ୍ଦ ବୋଲି ବିଜେଡି ଅଭିଯୋଗ କରିଛି । ପ୍ରଭାବିତ ଅଞ୍ଚଳରେ ଚିକିତ୍ସା ସୁବିଧା ଓ ପାନୀୟ ଜଳ ତୁରନ୍ତ ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି ବିଜେଡି ନେତା ସଞ୍ଜୟ କୁମାର ଦାସବର୍ମା ଓ ପୂର୍ବତନ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ । ଚିଲିକାର ଜୈବ ବିବିଧତା ବିପଦରେ ଥିବାବେଳେ 5 ଟି ନଦୀର ଜଳ ପ୍ରଦୂଷିତ ହେବା ସହିତ ଚିଲିକା ମଧ୍ୟ ପ୍ରଭାବିତ ବୋଲି କହିଛି ଦଳ ।
BJD Targets State Govt (ETV Bharat Odisha) ରାଜ୍ୟ ସରକାରଙ୍କୁ ବିଜେଡିର ଟାର୍ଗେଟ୍:
ସଞ୍ଜୟ ଦାସବର୍ମା କହିଛନ୍ତି, "ବର୍ଜ୍ୟ ଜଳ ମିଶି ୫ଟି ନଦୀର ଜଳ ପ୍ରଦୂଷିତ ହେବା ସହିତ ଚିଲିକା ହ୍ରଦର ଜଳ ମଧ୍ୟ ପ୍ରଦୂଷିତ ହେଉଛି । ପ୍ରଦୂଷିତ ଜଳ ମିଶିବା କାରଣରୁ ଚିଲିକାର ଜୈବ ବିବିଧତା ପ୍ରଭାବିତ ହେଉଛି । ଏହା ସହିତ ଚିଲିକା ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ମତ୍ସ୍ୟଜୀବୀ । ଚିଲିକାର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବା ଡଲଫିନ ଓ ବିଦେଶାଗତ ପକ୍ଷୀମାନଙ୍କ ଉପରେ ବିପଦ ସୃଷ୍ଟି ହୋଇଛି । ଭୁବନେଶ୍ୱର ଉପକଣ୍ଠରେ ଥିବା ବର୍ଜ୍ୟବସ୍ତୁ ପରିଚାଳନା ସ୍ଥଳରୁ ବର୍ଜ୍ୟ ଜଳ ଗଙ୍ଗୁଆ ନଦୀରେ ମିଶୁଛି । ଗଙ୍ଗୁଆର ପ୍ରଦୂଷିତ ଜଳ ପରେ ମକରା, ରାଜୁଆ, ଭାର୍ଗବୀ, ରତ୍ନଚିରା ଓ ଲୁଣା ନଦୀରେ ମିଶୁଛି । ଏହି ନଦୀର ଜଳ ଚିଲିକାରେ ମିଶୁଥିବାରୁ, ଚିଲିକାର ଜଳ ପ୍ରଦୂଷିତ ହେଉଛି ।
BJD Targets State Govt (ETV Bharat Odisha) ସେ ଆହୁରି କହିଛନ୍ତି, ‘ଦୟା ନଦୀର ପ୍ରଦୂଷିତ ଜଳକୁ ପିଇବା ଦ୍ୱାରା କଣାସ ଅଞ୍ଚଳରେ ଡାଇରିଆ ବ୍ୟାପିଛି । ଯେଉଁଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଦୁଇ ଜଣ ସଙ୍କଟାପନ୍ନ ସ୍ଥିତିରେ ଅଛନ୍ତି । ୨୫୦ ଲୋକ ଆକ୍ରାନ୍ତ ହୋଇଛନ୍ତି । ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ । ଘଟଣାକୁ ୧୦ ଦିନ ପରେ ଗତକାଲି ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏକ ବିଶେଷଜ୍ଞ ମେଡିକାଲ ଟିମ ପଠାଇବା ସହିତ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ । ଦୟା, ମକରା, ରାଜୁଆ, ଭାର୍ଗବୀ, ରତ୍ନଚିରା, ଲୁଣା ଓ ମଙ୍ଗଳା ନଦୀରେ ସୃଷ୍ଟି ହୋଇଥିବା ପ୍ରଦୂଷଣକୁ କିଭଳି ରୋକା ଯାଇପାରିବ, ସେଥିପାଇଁ ତୁରନ୍ତ ଅନୁଧ୍ୟାନ କରାଯାଉ ।"
ଜୈବ ବିବିଧତା ନଷ୍ଟ ଆଶଙ୍କା:
BJD Targets State Govt (ETV Bharat Odisha) ସେ ଆହୁରି ମଧ୍ୟ କହିଛନ୍ତି, "ଚିଲିକାର ଜଳ ପ୍ରଦୂଷିତ ହୋଇ ଜୈବ ବିବିଧତା ନଷ୍ଟ ହେବାର ଆଶଙ୍କା ଉପୁଜିଛି । ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଏହାର ତୁରନ୍ତ ସମୀକ୍ଷା କରି ଉପଯୁକ୍ତ ପଦକ୍ଷେପ ନିଅନ୍ତୁ । ଚିଲିକାକୁ ସୁରକ୍ଷିତ ରଖିବା ପାଇଁ ତୁରନ୍ତ ଗୋଟିଏ ମାଷ୍ଟରପ୍ଲାନ ପ୍ରସ୍ତୁତ କରି ରାଜ୍ୟ ଜଳସମ୍ପଦ ବିଭାଗ, ନଗର ଉନ୍ନୟନ ବିଭାଗ ଓ ଜଙ୍ଗଲ ପରିବେଶ ବିଭାଗକୁ ସମ୍ମିଳିତ କରି ଏକ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ସ୍ଥିର କରାଯାଉ । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ଜଙ୍ଗଲ ପରିବେଶ ବିଭାଗ ଚିଲିକାର ପର୍ଯ୍ୟାବରଣର ସୁରକ୍ଷା ସହିତ କ୍ଷତିଗ୍ରସ୍ତ ହେବାକୁ ଯାଉଥିବା ଲକ୍ଷ ଲକ୍ଷ ମତ୍ସ୍ୟଜୀବୀ, ଇକୋ ସେନସିଟିଭ ଏରୱାରଡି ଡଲଫିନର ସୁରକ୍ଷା, ମତ୍ସ୍ୟ ସମ୍ପଦର ସୁରକ୍ଷା, ଚିଲିକାର ପରିବେଶ ସନ୍ତୁଳନ ସମ୍ପର୍କରେ ଗୁରୁତର ସହିତ ଏକ ଟାସ୍କଫୋର୍ସ ଗଠନ କରି ଏ ଦିଗରେ ପଦକ୍ଷେପ ନିଅନ୍ତୁ ।
ଏହା ବି ପଢନ୍ତୁ...କଣାସ ଝାଡ଼ାବାନ୍ତି ବ୍ୟାପିବା ପଛରେ ଦୟା ନଦୀ ! ଖୋଲା ଚେତାବନୀ ଦେଲେ ଗାଁଲୋକେ
ଏହା ବି ପଢନ୍ତୁ...କଣାସରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା: ସରକାରଙ୍କୁ BJDର ଟାର୍ଗେଟ୍, କାଉଣ୍ଟର କଲା BJP
BJD Targets State Govt (ETV Bharat Odisha)
'ଗଙ୍ଗୁଆ ନଦୀ ଗଙ୍ଗୁଆ ନାଳରେ ପରିଣତ'
BJD Targets State Govt (ETV Bharat Odisha) ସେହିପରି ପୂର୍ବତନ ବିଧାୟକ ରୁଦ୍ର ପ୍ରତାପ ମହାରଥୀ କହିଛନ୍ତି, "ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ମେଗା ପାନୀୟ ଜଳ ପ୍ରକଳ୍ପ । ପ୍ରକଳ୍ପ ମାଧ୍ୟମରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପୁରୀ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ପ୍ରାୟ ୮୦ ପ୍ରତିଶତ କାମ ଶେଷ ହୋଇଯାଇଥିଲା । ନୂଆ ସରକାର ଆସିବା ପରେ ଏହି କାମ ଗୁଡିକ ବନ୍ଦ ରହିଛି । ଏହି କାମ ଗୁଡିକୁ ତୁରନ୍ତ ଆରମ୍ଭ କରି ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଆରମ୍ଭ କରାଯାଉ । ପିପିଲି, ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରେ ଥିବା ୧୫ଟି ପଞ୍ଚାୟତ ଦୟା ନଦୀ ଉପରେ ନିର୍ଭର କରନ୍ତି । ଦୁଃଖର ବିଷୟ ଗଙ୍ଗୁଆ ନଦୀ ବର୍ତ୍ତମାନ ଗଙ୍ଗୁଆ ନାଳରେ ପରିଣତ ହୋଇଛି । ଗଙ୍ଗୁଆର ପ୍ରଦୂଷିତ ଜଳ ଦୟା ଓ ଅନ୍ୟ ନଦୀ ଗୁଡିକୁ ପ୍ରଦୂଷିତ କରୁଛି । ଲୋକଙ୍କ ସମସ୍ୟା ପ୍ରତି ନୂଆ ସରକାର ଉଦାସୀନ ରହିଛନ୍ତି ।"
ଇଟିଭି ଭାରତ, ଭୁବନେଶ୍ବର