ଓଡିଶା

odisha

By ETV Bharat Odisha Team

Published : May 13, 2024, 5:36 PM IST

ETV Bharat / politics

ଡାକ ପିଅନ ହୋଇ ଓଡ଼ିଶା କଥାକୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚାଇବି: ଧର୍ମେନ୍ଦ୍ର - BJP Press Meet

Dharmendra Pradhan Targets BJD: ଆଜି ରାଜ୍ୟ ବିଜେପିର ପ୍ରେସମିଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ ଅଦ୍ଭୂତପୂର୍ବ ପରିବର୍ତ୍ତନ ଆଡ଼କୁ ଯାଉଛି ଓଡ଼ିଶା । ଅଧିକ ପଢ଼ନ୍ତୁ

Dharmendra Pradhan Targets BJD
Dharmendra Pradhan Targets BJD (ETV Bharat Odisha)

Dharmendra Pradhan Targets BJD (ETV Bharat Odisha)

ଭୁବନେଶ୍ବର: ଆଜି ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ସରକାର ଉପରେ ବର୍ଷିଛି ରାଜ୍ୟ ବିଜେପି । ରାଜ୍ୟରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଥିବା ବେଳେ ରାଜ୍ୟ ବିଜେପିର ତମାମ ଶୀର୍ଷ ନେତା ଭୁବନେଶ୍ବରରେ ଏକ ପ୍ରେସମିଟ୍‌ କରି ବିଜେଡି ସରକାରକୁ ଘେରିଛନ୍ତି । ପ୍ରେସମିଟରେ ଦଳର 4 ସାଂସଦ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡଙ୍ଗୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଉପସ୍ଥିତ ରହି ବିଜେଡି ସରକାରକୁ ଘେରିଛନ୍ତି । ଓଡ଼ିଶା ରାଜନୀତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏଜେଣ୍ଡା ସେଟ୍‌ ହେବାକୁ ଯାଉଛି ଓ ଅଦ୍ଭୂତପୂର୍ବ ପରିବର୍ତ୍ତନ ଆଡ଼କୁ ଓଡ଼ିଶା ଯାଉଛି ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ଧର୍ମେନ୍ଦ୍ର ।

ଧର୍ମେନ୍ଦ୍ର କହିଛନ୍ତି, "ପ୍ରଧାନମନ୍ତ୍ରୀ ଏଜେଣ୍ଡା ସେଟ୍‌ କରିଛନ୍ତି । ଓଡ଼ିଶାରେ ସରକାର ପରିବର୍ତ୍ତନ ହେବା ଦରକାର । ୨୫ ବର୍ଷରେ ଓଡ଼ିଶା ଯେଉଁ ସ୍ଥାନରେ ପହଞ୍ଚିବା କଥା ତାହା ହୋଇପାରୁନାହିଁ । କିନ୍ତୁ ଅନେକ ରାଜ୍ୟ ଆମଠୁ ଉପରେ ଅଛନ୍ତି । ପ୍ରଧାନମନ୍ତ୍ରୀ ଗୁଜରାଟ କଥା କହିଲେ । ଓଡ଼ିଶାକୁ ଏକ ନମ୍ବର କରିବା ପାଇଁ ମୋଦି ସୁଯୋଗ ଦେଇଛନ୍ତି । ବିଗତ ୨୫ ବର୍ଷରେ ଓଡ଼ିଶାରେ ପିଇବା ପାଣି ନାହିଁ, ହଇଜା ହେଉଛି, ଜଳସେଚନର ଘୋର ଅଭାବ । ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟୟ, ସ୍ବାସ୍ଥ୍ୟସେବା ବିପର୍ଯ୍ୟୟ । ଏନ୍‌ସିଆର୍‌ବି ତଥ୍ୟ ଅନୁସାରେ ରାଜ୍ୟରେ ମହିଳା ଅତ୍ୟାଚାର ଅଧିକ । ଓଡିଶାରୁ ଏକ ତୃତୀୟାଂଶ ଲୋକ ବାହାର ରାଜ୍ୟକୁ ଯାଉଛନ୍ତି ଦାଦନ ଖଟିବାକୁ । ବିକାଶ ଓ ଓଡ଼ିଆ ଅସ୍ମିତା ଏବେ ପ୍ରସଙ୍ଗ । ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଜବାବ ଦେଇ ପୁରୁଣା ତଥ୍ୟ ରଖିଲେ । ଓଡ଼ିଶାରେ ଶିଶୁ ମୃତ୍ୟୁହାର 36 ଅଛି । ରାଷ୍ଟ୍ରୀୟ ସ୍ଥିତି 28 । ଗୁଜରାଟରେ 23 । ଶିଶୁ ମୃତ୍ୟୁହାର ଓଡ଼ିଶାରେ ତୃତୀୟ ସର୍ବାଧିକ । ଓଡ଼ିଶାରେ ମୁଣ୍ଡ ପିଛା ସ୍ବାସ୍ଥ୍ୟ ଖର୍ଚ୍ଚ କେତେ ହେଉଛି । ଜାତୀୟ ସ୍ତରରେ 2014 ଟଙ୍କା ହେଉଛି । 1861 ଟଙ୍କା ଗୁଜରାଟରେ, 1449 ଟଙ୍କା ଓଡ଼ିଶାରେ । ଓଡ଼ିଆ ଅସ୍ମିତା କେଉଁଠି ବନ୍ଧା ପଡ଼ୁଛି । ଓଡ଼ିଶା ପିଲାଙ୍କ ଶିକ୍ଷା, ସ୍ବାସ୍ଥ୍ୟ କେଉଁଠି ଥିବ । ମାଟ୍ରିକ୍‌ ପରୀକ୍ଷାରୁ 49.9 ପ୍ରତିଶତ ପିଲା ଡ୍ରପ ଆଉଟ୍ ହେଉଛନ୍ତି । ଗୁଜରାଟରେ 28 ପ୍ରତିଶତ । ଜାତୀୟସ୍ତରରେ 20 ପ୍ରତିଶତ । ଓଡ଼ିଶା 100 ବର୍ଷ ପୂରିଲା ବେଳକୁ ବିକାଶ କେତେ ହେବ ନା ନଅଙ୍କ ଦୁର୍ଭିକ୍ଷ ଆଡ଼କୁ ଯିବ ? ଗୁଜରାଟକୁ ହିଞ୍ଜିଳିରୁ କାହିଁକି ଅଧିକ ଲୋକ କାମ କରିବାକୁ ଯାଉଛନ୍ତି ? ମୁଖ୍ୟମନ୍ତ୍ରୀ ଶାସ୍ତ୍ରୀୟ ଭାଷା, ନୃତ୍ୟ ସଙ୍ଗୀତ କଣ ଜାଣିନାହାନ୍ତି । ଯିଏ ଯାହା ଲେଖିଲା କହି ଦେଉଛନ୍ତି ମୁଖ୍ୟମନ୍ତ୍ରୀ ।" ବିଜେଡି ହାତରେ ଓଡ଼ିଶା ଶାସନକୁ ମାଙ୍କଡ ହାତରେ ଶାଳଗ୍ରାମ ବୋଲି ତୁଳନା କରିଛନ୍ତି ଧର୍ମେନ୍ଦ୍ର ।

ଏହା ମଧ୍ୟ ପଢ଼ନ୍ତୁ...ବିଜେପି ଶୀର୍ଷ ନେତାଙ୍କ ପ୍ରେସମିଟ: ‘ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ପାଇଁ ନବୀନ ଦାୟୀ, ଜାରି ହେଉଛି ନବୀନଙ୍କ ଡିପଫେକ ଭିଡିଓ ’ - BJP Target CM Naveen

ସେ ଆହୁରି କହିଛନ୍ତି, "ଓଡ଼ିଶାକୁ ମୁଁ କେବେ ଅପବାଦ ଆଣିନାହିଁ । ରାଜମିସ୍ତ୍ରୀ ହେବି ବୋଲି କହିଲା ବିଜେଡି । ଡାକ ପିଅନ ହେବି ବୋଲି କହିଲେ । ସେଥିପାଇଁ କୃତଜ୍ଞତା ଜଣାଉଛି । କାରଣ ମୁଁ ଡାକ ପିଅନ ହୋଇ ଓଡ଼ିଶାର କଥାକୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚାଇବାକୁ ଗୌରବ ଅନୁଭବ କରେ । ସେହିଭଳି ବିଜେଡି ମୋତେ ରାଜମିସ୍ତ୍ରୀର ଆଖ୍ୟା ଦେଲା, ସେଥିରେ ବି ମୁଁ ଖୁସି । ଆମେ ସବୁ ରାଜମିସ୍ତ୍ରୀ ମିଶି ଓଡ଼ିଶାକୁ ଏକ ନମ୍ବର କରିବୁ । ଓଡିଶା ନିର୍ମାଣରେ ଆମେ ସବୁ ସାମିଲ ହେବା ଉଚିତ । ବିଜେଡି ଏଠି ଗୋଟେ ନେତା ସୃଷ୍ଟି କରିପାରିଲେ ନାହିଁ, ଏଠି ଆଉଟସୋର୍ସରୁ ଆଣି ସରକାର କରିବାକୁ ଯାଉଛନ୍ତି । ୨୫ ବର୍ଷରେ ଗୋଟେ ପୀଢି ପରିବର୍ତ୍ତନ ହେବା କଥା ।" ବିଜେଡିକୁ ୨୫ ବର୍ଷ ଧରି ସୁଯୋଗ ଦେଲେ, ଏଥର ଆମକୁ ସେବା କରିବାକୁ ସୁଯୋଗ ଦିଅନ୍ତୁ ବୋଲି ଧର୍ମେନ୍ଦ୍ର ଓଡ଼ିଶାବାସୀଙ୍କୁ ଅନୁରୋଧ କରିଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details