ବରଗଡ଼: ଜିଲ୍ଲା ରାଜନୀତିରେ 'ଅତାବିରା ନିର୍ବାଚନ ମଣ୍ଡଳୀ'ର ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ୨୦୦୯ ମସିହାରେ ଗଠନ ହୋଇଥିବା ଏହି ନିର୍ବାଚନ ମଣ୍ଡଳୀଟି ପ୍ରଥମ ଥର କଂଗ୍ରେସ ହାତକୁ ଯାଇଥିଲା । କିନ୍ତୁ ୨୦୧୪ରେ କଂଗ୍ରେସ ହାତରୁ ଛଡାଇ ଆଣିଥିଲା ବିଜେଡି । ଲଗାତାର ଭାବେ ସ୍ନେହାଙ୍ଗିନୀ ଛୁରିଆ ଦୁଇ ଥର ନିର୍ବାଚିତ ହୋଇଛନ୍ତି । ଏବେ ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ହେବା ସହ ବିଜେଡିର ରାଜ୍ୟ ମହିଳା ସଭାନେତ୍ରୀ ଭାବେ ସେ କାର୍ଯ୍ୟ କରୁଛନ୍ତି । ଅତାବିରା ନିର୍ବାଚନ ମଣ୍ଡଳୀଟି ଅତାବିରା ସହର, ଅତାବିରା ବ୍ଲକ ଏବଂ ଭେଡେନ ବ୍ଲକକୁ ନେଇ ଗଠିତ । ଏଠାକାର ମୋଟ ଭୋଟର ସଂଖ୍ୟା ୨ ଲକ୍ଷ ୨୧ ହଜାର ୪୬୯ ରହିଛି । ଅନୁସୂଚିତ ଜାତି ପାଇଁ ଏହି ଆସନ ସଂରକ୍ଷିତ ରହିଛି । ଦେଶ ସ୍ବାଧୀନ ହେବା ପରେ ପ୍ରଥମେ ୧୯୫୧ ମହିହାରେ ଥରେ ଏହି ଆସନରେ ନିର୍ବାଚନ ହୋଇଥିଲା । ପରବର୍ତ୍ତୀ ସମୟରେ ଡିଲି ମେଟସନ ଯୋଗୁଁ ସତ୍ତା ହରାଇଥିଲା ଏହି ଆସନ । ପୁଣି ୨୦୦୯ ମସିହାରେ ପୁନଃ ଗଠିତ ହୋଇଥିଲା ଏହି ବିଧାନସଭା ଆସନ । କଂଗ୍ରେସ ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦ ବିଜୟୀ ହୋଇଥିବାବେଳେ ୨୦୧୪ରୁ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଜିତି ଆସୁଛନ୍ତି ।
୨୦୦୯ ସାଧାରଣ ନିର୍ବାଚନର ଫଳାଫଳ:
୨୦୦୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦଙ୍କୁ ବିଜୟୀ କରାଇଥିଲେ ଅତାବିରା ଭୋଟର । ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ସ୍ନେହାଙ୍ଗିନୀ ଛୁରିଆଙ୍କ ଠାରୁ ୧୩ ହଜାର ୩ ଶହ ୨୯ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ ନିହାର । ନିହାର ରଞ୍ଜନ ମହାନନ୍ଦଙ୍କୁ ମିଳିଥିଲା ୪୯ହଜାର ୩୯୬ ଭୋଟ । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଥିଲା ୩୬ହଜାର ୬୭ ଖଣ୍ଡ ଭୋଟ । ସ୍ବାଧୀନ ଭାବେ ଛିଡ଼ା ହୋଇଥିବା ମିଲନ ସେଠଙ୍କୁ ମିଳିଥିଲା ୧୬ ହଜାର ୩୦୬ଖଣ୍ଡ ଭୋଟ ।
୨୦୧୪ ମସିହା ନିର୍ବାଚନର ଫଳାଫଳ:
୨୦୧୪ରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିଥିଲା । କଂଗ୍ରେସ ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦଙ୍କ ଠାରୁ ୨୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହେଲେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ । ସ୍ନେହାଙ୍ଗିନୀଙ୍କୁ ୬୯ ହଜାର ୬୦୨ଖଣ୍ଡ ଭୋଟ ମିଳିଥିଲା । ନିହାରଙ୍କୁ ୪୪ହଜାର ୧୨୮ ଏବଂ ବିଜେପି ପ୍ରାର୍ଥୀ ମିଲନ ସେଠଙ୍କୁ ୩୩ହଜାର ୭୩୫ଖଣ୍ଡ ଭୋଟ ମିଳିଥିଲା ।