ନୂଆଦିଲ୍ଲୀ/ଶିମଲା:ଆଜି ଲୋକସଭା ନିର୍ବାଚନ ସହ 4 ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଏହା ସହ ଦେଶର ବିଭିନ୍ନ ରାଜ୍ୟରେ 26 ବିଧାନସଭା ଆସନରେ ମଧ୍ୟ ଉପନିର୍ବାଚନ ଘୋଷଣା କରାଯାଇଛି । ଏହିକ୍ରମରେ ହିମାଚଳ ପ୍ରଦେଶରେ ଶାସନରେ ଥିବା ସୁଖବିନ୍ଦର ସିଂ ସୁଖୁଙ୍କ ସରକାରର ଅଡୁଆ ବଢିବାକୁ ଯାଉଛି । କାରଣ ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ବିପ ଉଲ୍ଲଙ୍ଘନ ସହ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ କ୍ରସଭୋଟିଂ କରି ସଭ୍ୟପଦ ହରାଇଥିବା 6 ବିଧାୟକଙ୍କ ଆସନରେ ମଧ୍ୟ ଉପନିର୍ବାଚନ ଘୋଷଣା ହୋଇଛି । ଯାହା ସୁଖୁ ସରକାର ପ୍ରତି ସଂଖ୍ୟା ବହୁମତର ସଙ୍କଟ ସୃଷ୍ଟି କରିପାରେ । ଜୁନ ପହିଲା ଅର୍ଥାତ ଶେଷ ପର୍ଯ୍ୟାୟରେ ହିମାଚଳ ପ୍ରଦେଶର 6 ଆସନରେ ଉପନିର୍ବାଚନ ମଧ୍ୟ ଘୋଷଣା କରାଯାଇଛି ।
ଦେଶରେ ମୋଟ 26 ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଥିବା ବେଳେ ହିମାଚଳ ପ୍ରଦେଶର 6 ଆସନ ରହିଛି । ଏହି ଆସନ ଗୁଡିକ ମଧ୍ୟରେ ଲାହଲ ଏବଂ ସ୍ପିଟି, ଧର୍ମଶାଳା, ସୁଜନପୁର, ବର୍ସର, ଗାଗ୍ରେଟ୍ ଏବଂ କୁଟଲେହାର ଆସନ ରହିଛି । ହିମାଚଳ ପ୍ରଦେଶ ବିଧାନସଭାରେ ମୋଟ 68 ଆସନ ଥିବା ବେଳେ 2022 ରେ କଂଗ୍ରେସ 40 ଆସନ ଜିତି ସରକାର ଗଠନ କରିଥିଲା । ରାଜ୍ୟରେ ସରକାର ଗଠନ ପାଇଂ ସଂଖ୍ୟାବହୁମତ ରହିଛି 34 । ଚଳିତ ରାଜ୍ୟସଭା ନିର୍ବାଚନରେ କଂଗ୍ରେସର 6 ବିଧାୟକ କ୍ରାସଭୋଟିଂ କରି ପଦରୁ ବହିସ୍କୃତ ହୋଇଛନ୍ତି । ଏହା ବିରୋଧରେ ସେମାନେ ସର୍ବୋଚ୍ଚ କୋର୍ଟରେ ମଧ୍ୟ ଦ୍ବାରସ୍ଥ ହୋଇଛନ୍ତି । ତେବେ ଏହି ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ ହେବା ପରେ ଶାସକ କଂଗ୍ରେସର ସଂଖ୍ୟା 34କୁ ଖସିଛି । ସରକାର ଜାରି ରହିଥିଲେ ସୁଦ୍ଧା ସଂଖ୍ୟା ହ୍ରାସ ପାଇଲେ ପତନ ହେବାର ଆଶଙ୍କା ମଧ୍ୟ ରହିଛି । ଅନ୍ୟପଟେ ବିରୋଧୀ ବିଜେପି ନିକଟରେ ଏବେ ମୋଟ 25 ବିଧାୟକ ରହିଛନ୍ତି । ଅନ୍ୟ କିଛି ସ୍ବାଧୀନ ବିଧାୟକଙ୍କ ସମର୍ଥନ ମଧ୍ୟ ବିଜେପି ସହ ଥିବା ମଧ୍ୟ ଜଣାପଡିଛି ।