କଟକ: ଆଜି କଟକରେ କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଯାଇଛି କର୍ମୀ ସମ୍ମିଳନୀ । ଯେଉଁଥିରେ କଂଗ୍ରେସ ଲୋକସଭା ପ୍ରାର୍ଥୀ ସୁରେଶ ମହାପାତ୍ରଙ୍କ ସମେତ ବାରବାଟୀ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସୋଫିଆ ଫିରଦୋସ, ଚୌଦ୍ୱାର ବିଧାୟକ ପ୍ରାର୍ଥୀ ମିରା ମଲ୍ଲିକ, ସଦର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ଗୋଚ୍ଛାୟତ ଏହି ବୈଠକରେ ଯୋଗଦେଇଥିଲେ । ତେବେ ଏହି ସଭାରେ କଟକରେ କିପରି ଦଳ ବିଜୟୀ ହେବ ସେନେଇ ସମସ୍ତଙ୍କୁ ଗୁରୁମନ୍ତ୍ର ଦେଇଥିଲେ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ । ଏଥର ଉଭୟ ଲୋକସଭା ଓ ବିଧାନସଭା ଆସନରେ ବାଜିମାତ କରିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛି କଟକ କଂଗ୍ରେସ। ।
ଆୟୋଜିତ ବୈଠକରେ କଂଗ୍ରେସର କଟକ ସାଂସଦ ପ୍ରାର୍ଥୀ ସୁରେଶ ମହାପାତ୍ର କହିଛନ୍ତି, ‘ରାଜ୍ୟରେ ଦୀର୍ଘ ବର୍ଷ ଧରି ଚାଲିଛି ଏକ ଅପାରଗ ଶାସନ । ଯେଉଁଠି ବିକାଶ ନାଁରେ ବିନାଶ ହିଁ ହେଉଛି । ପ୍ରଗତି ନାଁରେ ସବୁଠୁ ପଛୁଆ ରାଜ୍ୟ ଭାବରେ ଆମ ରାଜ୍ୟକୁ ଗଢି ତୋଳି ସାରିଲେଣି ରାଜ୍ୟର ବିଜେଡି ସରକାର । ଏହା ବ୍ୟତୀତ ଓଡିଶାରେ ତାମିଲ ଶାସନ ଜାରି ରହିଛି । ନାଁ ମୁଖ୍ୟମନ୍ତ୍ରୀ ଓଡ଼ିଆ ଠିକ ସେ କହି ପାରିଲେ ନାଁ ଲେଖି ପାରିଲେ । ଏଠି ଅସ୍ମିତା ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ । ତେବେ କଟକବାସୀ ଏହାର ଉତ୍ତର ମେ 25 ତାରିଖରେ ଦେବେ । ଆଉ ଆସନ୍ତା ଜୁନ 4 ତାରିଖରେ କଟକ ସମେତ ଓଡିଶାରେ କଂଗ୍ରେସ ଶାସନ ଆରମ୍ଭ ହେବ ଏଥିରେ ଦ୍ବିମତ ନାହିଁ । ’