ନୂଆଦିଲ୍ଲୀ:ଆଜି ଜାତୀୟ କଂଗ୍ରେସ ଲୋକସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟରେ 57ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଆଜି ଦଳର ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବରେ ପାର୍ଟି ମୁଖ୍ୟାଳୟରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଶେଷ ହେବା ପରେ ସଂଧ୍ୟାରେ ପ୍ରାର୍ଥୀ ଘୋଷଣା କରିଛି ଦଳ ।
ଆଜି ତାଲିକାରେ ଅରୁଣାଚଳ ପ୍ରଦେଶରୁ 2, ଗୁଜୁରାଟରୁ 11,କର୍ଣ୍ଣାଟକରେ 17, ମହାରାଷ୍ଟ୍ରରେ 7, ରାଜସ୍ଥାନରେ 5, ତେଲେଙ୍ଗାନାରେ 5, ପଶ୍ଚିମବଙ୍ଗରେ 8, କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଗୋଟିଏ ଆସନ ରହିଛି । ତେବେ ପଶ୍ଚିମବଙ୍ଗରେ ଦଳର ପ୍ରଦେଶ କମିଟି ସଭାପତି ତଥା ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ନିଜ ପାରମ୍ପରିକ ଆସନ ବରହମପୁରରୁ ନିର୍ବାଚନ ଲଢିବେ । ଏହି ଆସନରେ ରାଜ୍ୟରେ ଶାସନରେ ଥିବା ମମତାଙ୍କ ଦଳ ତୃଣମୂଳ କଂଗ୍ରେସ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ୟୁସୁଫ ପଠାନଙ୍କୁ ଟିକେଟ ଦେଇଛି । ଏଥର ରାଜନୀତିରେ ନବାଗତ ୟୁସୁଫ ଓ ଅନୁଭବୀ ଅଧୀରଙ୍କ ମଧ୍ୟରେ ହାଇଭୋଲଟେଜ ଟକ୍କର ଦେଖିବାକୁ ମିଳିବ ।
ଆଜି ଘୋଷିତ ତାଲିକାରେ କିଛି ଚର୍ଚ୍ଚିତ ଚେହେରାଙ୍କ ମଧ୍ୟରେ ପାର୍ଟି ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେଙ୍କ ଜ୍ବାଇଁ ରାଧାକ୍ରିଷ୍ଣା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଶିଲ କୁମାର ସିନ୍ଦେଙ୍କ ଝିଅ ପ୍ରଣତି ସିନ୍ଦେ ପ୍ରମୁଖ ମଧ୍ୟ ରହିଛନ୍ତି । ଏକାଧିକ ରାଜ୍ୟରେ ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନି । ‘ଇଣ୍ଡିଆ’ ମେଣ୍ଟ ସହଯୋଗୀ ଦଳଙ୍କ ସହ ଆସନ ବୁଝାମଣା କାରଣରୁ ଏହି ଘୋଷଣା ବିଳମ୍ବ ହେଉଛି ।