ଭୁବନେଶ୍ୱର:ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବିବାଦୀୟ ବୟାନକୁ ନେଇ ଦେଶ ତମାମ ରାଜନୀତି ଜୋର ଧରିଛି । ଏହାମଧ୍ୟରେ ଜବାବ ରଖିଛି ରାଜ୍ୟ କଂଗ୍ରେସ । ସୋନିଆ ଗାନ୍ଧୀଙ୍କୁ ସମାଲୋଚନା ଯଥାର୍ଥ ନୁହେଁ କହି ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ ।
ସଂସଦ ବଜେଟ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣକୁ ନେଇ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଦେଇଥିବା ବିବାଦୀୟ ଟିପ୍ପଣୀକୁ ଦେଶ ତମାମ ସମାଲୋଚନା ଜାରି ରହିଛି । ଏପରିକି ଗୃହରେ ସୋନିଆ ଗାନ୍ଧୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛି ବିଜେପି । ଏହାମଧ୍ୟରେ ରାଜ୍ୟ କଂଗ୍ରେସ ପକ୍ଷରୁ ଏନେଇ ପ୍ରେସମିଟ କରାଯାଇ ସୋନିଆ ଗାନ୍ଧୀଙ୍କୁ ସମାଲୋଚନା ଯଥାର୍ଥ ନୁହେଁ ବୋଲି କୁହାଯାଇଛି । କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ ।
ସୋନିଆ ଗାନ୍ଧୀଙ୍କୁ ଅପମାନିତ କରିବା ପାଇଁ ଯୋଜନା:
ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ବିଜେପିକୁ କଡା ସମାଲୋଚନା କରିବା ସହ ସୋନିଆ ଗାନ୍ଧୀ କୌଣସି ସଭାସମିତି କିମ୍ବା ଗଣମାଧ୍ୟମରେ ଏଭଳି ମନ୍ତବ୍ୟ ଦେଇନଥିବା କହିଛନ୍ତି । ଚକ୍ରାନ୍ତ କରାଯାଇ ସୋନିଆ ଗାନ୍ଧୀଙ୍କୁ ଅପମାନିତ କରିବା ପାଇଁ ଏଭଳି ଯୋଜନା ହୋଇଛି ଓ କିଏ ଏଭଳି ହିନ କାର୍ଯ୍ୟ କରିଛି ତାହାର ତଦନ୍ତ ହେବା ଦରକାର ବୋଲି କହିଛନ୍ତି କଂଗ୍ରେସ ନେତା ।
ବିଜେପିକୁ କଡା ଟାର୍ଗେଟ:
ବିଭିନ୍ନ ପ୍ରସଙ୍ଗ ଉଠାଇ ବିଜେପିକୁ କଡା ସମାଲୋଚନା କରିଛନ୍ତି ଜୟଦେବ ଜେନା । କୁମ୍ଭମେଳାରେ ଦଳାଚକଟାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ବିଜେପି ସରକାର ସେମାନଙ୍କୁ ସୁରକ୍ଷା ଯୋଗାଇପାରିଲେ ନାହିଁ କହି ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା । ସେହିଭଳି ନୂଆ ସଂସଦ ଭବନ ଉଦଘାଟନ ସମୟରେ ଓ ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ସମୟରେ ମଧ୍ୟ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାନଯିବା ରାଷ୍ଟ୍ରପତିଙ୍କ ପ୍ରତି ଅପମାନ ନୁହେଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଜୟଦେବ ଜେନା ।