ନୂଆଦିଲ୍ଲୀ:ସାଧାରଣ ନିର୍ବାଚନ ସମୟରେ କଂଗ୍ରେସକୁ 1700 କୋଟି ଟଙ୍କାର ନୋଟିସ ପଠାଇଛି ଆୟକର ବିଭାଗ । ଯାହାକୁ ନେଇ ଗତକାଲି(ଶନିବାର) କଂଗ୍ରେସ ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ କରିଛି । 2017-18 ରୁ 2022-21 ବର୍ଷ ମଧ୍ୟରେ ଏହି କର ଦିଆଯାଇନଥିବା ଦର୍ଶାଯାଇ ଏହି ନୋଟିସ ପଠାଯାଇଥିବା ସୂଚନା ରହିଛି । ଏବେ ନୋଟିସରେ ଉଲ୍ଲେଖ ତଥ୍ୟ ଅନୁସାରେ, ଦଳକୁ 17ଶହ କୋଟିର ଜରିମାନା ଏବଂ ସୁଧ ଭରିବାକୁ ପଡିବ । ପୂର୍ବରୁ ଦଳର ଆକାଉଣ୍ଟକୁ ମଧ୍ୟ ଅଚଳ କରାଯାଇଥିଲା । ଯାହାକୁ ନେଇ କଂଗ୍ରେସ ସର୍ବୋଚ୍ଚକୋର୍ଟରେ ମଧ୍ୟ ଦ୍ବାରସ୍ଥ ହୋଇଛି । ଗତକାଲି ଦଳ ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ କରିବା ସହ ଏହାକୁ ବିଜେପି ସରକାରର “ଟ୍ୟାକ୍ସ ଆତଙ୍କବାଦ” ବୋଲି ଆଖ୍ୟା ଦେଇଛି ।
ଗତକାଲି ଦଳ କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁ ସମେତ ବିଭିନ୍ନ ସ୍ଥାନରେ ପ୍ରତିବାଦ ସଭା ଆୟୋଜିତ କରି ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛି । ଦଳ କହିଛି, ଏହା କରାଯିବା ଦ୍ବାରା ଦଳ ଭୟଭୀତ ହେବ ନାହିଁ । ବିଜେପି ବିରୋଧୀ ଦଳମାନଙ୍କୁ ଟ୍ୟାକ୍ସ ଠକେଇ ଅଭିଯୁକ୍ତ ଦର୍ଶାଇବା ସହ ଦେଶକୁ ବିଭ୍ରାନ୍ତ କରିବାରେ ଲାଗିଛି । କେହି ଆଇନ ଠାରୁ ଊର୍ଦ୍ଧ୍ୱରେ ନାହାଁନ୍ତି ବୋଲି ମଧ୍ୟ କଂଗ୍ରେସ କହିଛି ।