ଭୁବନେଶ୍ବର: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧ ରେ କଂଗ୍ରେସର ଯୁଦ୍ଧଂ ଦେହି ଡାକରା । ରାଜଧାନୀରେ ଗର୍ଜିଲା କଂଗ୍ରେସ । ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ଲୋକସେବା ଭବନ ଘେରାଓ କରାଯାଇଛି । 2024 ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜର ଶକ୍ତି ପଦର୍ଶନ କରିଛି । ହଜାର ହଜାର କଂଗ୍ରେସ କର୍ମୀ ଓ ନେତା କଂଗ୍ରେସ ଭବନରୁ ବାହାରି ଲୋକସେବା ଭବନ ଆଡେ ଅଗ୍ରସର ହୋଇଥିଲେ । ଲୋଅର ପିଏମଜିରେ ପୋଲିସ ଓ କଂଗ୍ରେସ ନେତା ଓ କର୍ମୀ ମୁହାଁ ମୁହିଁ ହୋଇଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ଲୋକସେବା ଭବନ ଘେରିଛି କଂଗ୍ରେସ ।
ରାଜ୍ୟରେ ଦୀର୍ଘ 24 ବର୍ଷ ଧରି ବିଜେଡି ସରକାର ଏବଂ 10 ବର୍ଷ ଧରି କେନ୍ଦ୍ରରେ ମୋଦି ସରକାର ଜନସାଧାରଣଙ୍କ ସହ ପ୍ରବଞ୍ଚନା କରିଛନ୍ତି । ରାଜ୍ୟରେ ବେରୋଜଗାରୀ ଉତ୍କଟ ସମସ୍ୟା ଭାବେ ଉଭା ହୋଇଛି । ଚାକିରୀ ନପାଇ ହଜାର ହଜାର ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ଚାଷ ଆଉ ଚାଷୀ ଉଭୟ ହତାଶ, ଧାନ ର ଅଭାବୀ ବିକ୍ରି ,ମଣ୍ଡି ସମସ୍ୟା ରହିଥିବା ବେଳେ ମହିଳା ମାନେ ସୁରକ୍ଷିତ ନୁହଁନ୍ତି । ଖଣି ଦୁର୍ନୀତି ବ୍ୟାପକ ଭାବେ ଚାଲିଛି । ଶିକ୍ଷା କ୍ଷେତ୍ରରେ ବହୁ ପଛରେ ସରକାର, ଲକ୍ଷ ଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଛି ହେଲେ ସରକାର ଚୁପ ବସିଛନ୍ତି । ଡାକ୍ତରଖାନାରେ ଡାକ୍ତର ନାହାଁନ୍ତି ଏଭଳି ଅଭିଯୋଗ ଆଣି ଆଜି କଂଗ୍ରେସ ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିଛି । ଏହି ଘେରାଓ କାର୍ଯ୍ୟକ୍ରମରେ ପିସିସି ସଭାପତି ଶରତ ପଟ୍ଟନାୟକ,କଂଗ୍ରେସ ପ୍ରଭାରୀ ଅଜୟ କୁମାର , ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ମହିଳା ସଭନେତ୍ରୀ ମିନାକ୍ଷୀ ବାହିନୀପତି, ବିଧାୟକ ତାରା ବାହିନୀପତି, ବିଧାୟକ ସୁର ରାଉତରାୟ, ବିଧାୟକ ରମେଶ ଜେନା ଓ ସମସ୍ତ ସାଙ୍ଗଠନିକ ଜିଲ୍ଲା ସଭାପତି, ବ୍ଲକ ସଭାପତି, ଯୁବ ସଭାପତି ସାମିଲ ହୋଇଥିଲେ ।
ଏହା ମଧ୍ୟ ପଢନ୍ତୁ ...ମାର୍ଚ୍ଚରେ ପ୍ରକାଶ ପାଇବ କଂଗ୍ରେସ ପ୍ରାର୍ଥୀ ତାଲିକା: ଅଜୟ କୁମାର