ଓଡିଶା

odisha

ETV Bharat / politics

ବୋହୂ ପାଇଁ ରାଜନୀତି କରୁଛନ୍ତି ରାଜ୍ୟପାଳ ! ନିର୍ବାଚନ ଆୟୋଗଙ୍କୁ କଂଗ୍ରେସର ଅଭିଯୋଗ

ରାଜ୍ୟପାଳ ରଘୁବର ଦାସ ଝାଡଖଣ୍ଡ ନିର୍ବାଚନୀ ରାଜନୀତିରେ ସକ୍ରିୟ । ବୋହୂ ପାଇଁ କରୁଛନ୍ତି ପ୍ରଚାର । ସଙ୍ଗୀନ ଅଭିଯୋଗ ସହ ECIଙ୍କ ଦୃଷ୍ଟି ଆକର୍ଷଣ କଲା କଂଗ୍ରେସ ।

ବୋହୂ ପାଇଁ ଝାଡଖଣ୍ଡରେ ରାଜନୀତି କରୁଛନ୍ତି ରାଜ୍ୟପାଳ ! ନିର୍ବାଚନ ଆୟୋଗଙ୍କୁ କଂଗ୍ରେସର ଅଭିଯୋଗ
ବୋହୂ ପାଇଁ ଝାଡଖଣ୍ଡରେ ରାଜନୀତି କରୁଛନ୍ତି ରାଜ୍ୟପାଳ ! ନିର୍ବାଚନ ଆୟୋଗଙ୍କୁ କଂଗ୍ରେସର ଅଭିଯୋଗ (ETV Bharat Odisha)

By ETV Bharat Odisha Team

Published : 5 hours ago

ଭୁବନେଶ୍ବର: ଗୃହରାଜ୍ୟ ଝାଡଖଣ୍ଡର ବିଧାନସଭା ନିର୍ବାଚନୀ ରାଜନୀତିରେ ପ୍ରତ୍ୟେକ୍ଷ ଭାବେ ସମ୍ପୃକ୍ତ ଅଛନ୍ତି ରାଜ୍ୟପାଳ ରଘୁବର ଦାଶ । ଏଥର ପ୍ରାର୍ଥୀ ହୋଇଥିବା ନିଜ ବୋହୂ ପୂର୍ଣ୍ଣିମା ଦାସ ସାହୁଙ୍କ ପାଇଁ ପ୍ରଚାର ମଧ୍ୟ କରୁଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓଡିଶା ଗସ୍ତ ସମୟରେ ରାଜଭବନରେ ରାଜ୍ୟପାଳଙ୍କ ସହ ହୋଇଥିବା ସାକ୍ଷାତ ଓ ଆଲୋଚନା ଏହି ଝାଡଖଣ୍ଡ ବିଧାନସଭା ନିର୍ବାଚନ ସମ୍ପର୍କିତ ଥିଲା । ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଅତିଥି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ମଧ୍ୟରେ ରାଜଭବନରେ ହୋଇଥିବା ଆଲୋଚନା କେବଳ ରାଜନୈତିକ ଉଦ୍ଦେଶ୍ୟମୂଳକ ଥିଲା ବୋଲି ସାଙ୍ଘାତିକ ଅଭିଯୋଗ ଆଣିଛି କଂଗ୍ରେସ । ରାଜ୍ୟପାଳ ରଘୁବରଙ୍କ ବିରୋଧରେ ଏପରି ଅଭିଯୋଗ ଆଣି ଦଳର ରାଜ୍ୟ ପ୍ରଭାରୀ ଅଜୟ କୁମାର ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖିଛନ୍ତି ।

  • ବୋହୂ ପାଇଁ ପ୍ରଚାର କରୁଛନ୍ତି ରାଜ୍ୟପାଳ !

ରାଜ୍ୟପାଳଙ୍କ ନାମରେ ଝାଡଖଣ୍ଡ ଜାମେସଦପୁର-ପୂର୍ବ ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ତଥା ଓଡିଶା ପ୍ରଭାରୀ ଡ଼ଃ ଅଜୟ କୁମାର କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କ ହସ୍ତକ୍ଷେପ ଲୋଡି ଏହି ଚିଠି ଲଖିଛନ୍ତି । ରାଜ୍ୟପାଳ ରଘୁବର ଝାଡ଼ଖଣ୍ଡ ନିର୍ବାଚନରେ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି । ଯାହା ତାଙ୍କର ସାମ୍ବିଧାନିକ ପଦ-ମର୍ଯ୍ୟାଦାକୁ କ୍ଷୂର୍ଣ୍ଣ କରୁଛି । ରାଜ୍ୟପାଳ ରଘୁବର ଦାସ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଛନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଅଜୟ । ସେପଟେ ପ୍ରଦେଶ କଂଗ୍ରେସ ରାଜ୍ୟପାଳଙ୍କୁ ସମାଲୋଚନା କରିବା ସହ ସେ ରାଜନୀତିରୁ ଦୂରେଇ ରୁହନ୍ତୁ ବୋଲି ଦାବି କରିଛି । ନହେଲେ ଏହା ବିରୋଧରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ।

ରାଜ୍ୟପାଳଙ୍କ ନାଁରେ ଅଭିଯୋଗ ଆଣିଲା କଂଗ୍ରେସ (ETV Bharat Odisha)
  • ହିମନ୍ତ ବିଶ୍ବଶର୍ମାଙ୍କ ଓଡିଶା ଗସ୍ତ ରାଜନୈତିକ ଥିଲା: ଜୟଦେବ

କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ ‘ପିସିସି’ ସଭାପତି ଜୟଦେବ ଜେନା, ପ୍ରଭାରୀ ଅଜୟ କୁମାରଙ୍କ ଅଭିଯୋଗର ୪୮ ଘଣ୍ଟା ପରେ ରାଜ୍ୟପାଳ ରଘୁବର ଦାସଙ୍କୁ ଝାଡ଼ଖଣ୍ଡ ନିର୍ବାଚନୀ ପ୍ରଚାରରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଛନ୍ତି । ରାଜଭବନ ଓ ରାଜ୍ୟପାଳଙ୍କ ରାଜନୈତିକ କାର୍ଯ୍ୟକାଳର ଅଭିଯୋଗ ଆଣି ବର୍ଷିଛନ୍ତି ଜୟଦେବ । ସେ ଅଭିଯୋଗ ଆଣିଛନ୍ତି ଯେ, ଓଡ଼ିଶା ରାଜଭବନରୁ ଝାଡ଼ଖଣ୍ଡ ନିର୍ବାଚନ ପାଇଁ ରଣନୀତି ଓ ନିର୍ବାଚନୀ ପରିଚାଳନା କରୁଛନ୍ତି ଓଡ଼ିଶାର ରାଜ୍ୟପାଳ । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଝାଡ଼ଖଣ୍ଡ ବିଜେପି ଦାୟିତ୍ବରେ ଥିବା ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ବସି ରାଜ୍ୟପାଳ ନିର୍ବାଚନ ରଣନୀତି ପ୍ରସ୍ତୁତ କରିଥିଲେ ।

ରାଜ୍ୟପାଳଙ୍କ ନାଁରେ ଅଭିଯୋଗ ଆଣିଲା କଂଗ୍ରେସ (ETV Bharat Odisha)
  • ଝାଡଖଣ୍ଡ ବିଜେପି ଷ୍ଟାର ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ମୋହନ

ସୂଚନା ଥାଉ କି, ଶୁକ୍ରବାର ବିଜେପି ଷ୍ଟାର-ପ୍ରଚାରକ ତାଲିକାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ସାମିଲ କରାଯାଇଛି । ଚଳିତ ନିର୍ବାଚନରେ ଜାମସେଦପୁର-ପୂର୍ବ ଆସନରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ,ବିଜେପିର ବରିଷ୍ଠ ନେତା ତଥା ଓଡ଼ିଶାର ରାଜ୍ୟପାଳ ରଘୁବର ଦାଶଙ୍କ ବୋହୁ ପୂର୍ଣ୍ଣିମା ଦାସ ସାହୁ । ସେପଟେ ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ତଥା ଦଳର ଓଡ଼ିଶା ପ୍ରଭାରୀ ଡ଼ଃ ଅଜୟ କୁମାର ପୂର୍ଣ୍ଣିମାଙ୍କ ପ୍ରତିଦ୍ବନ୍ଦ୍ବୀ ଭାବେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ହିମନ୍ତ, ରଘୁବର ଏବଂ ମୋହନଙ୍କ ଭେଟଘାଟ, ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କି ? - Assam CM Meets Odisha Governor

ଏହା ମଧ୍ୟ ପଢନ୍ତୁ:-24 ବର୍ଷରେ ଝାଡ଼ଖଣ୍ଡରେ 13 ମୁଖ୍ୟମନ୍ତ୍ରୀ; କେବଳ ରଘୁବର ଦାସ ପୂର୍ଣ୍ଣକାଳୀନ ମୁଖ୍ୟମନ୍ତ୍ରୀ - Jharkhand see 13 CM in 24 yrs

ଏହା ମଧ୍ୟ ପଢନ୍ତୁ:- ପୁଅ ପାଇଁ ଅଡ଼ୁଆରେ ରାଜ୍ୟପାଳ ! ତେଜିଲା ରାଜନୀତି, ଜବାବ ରଖିଲା ବିଜେପି - BJD Congress on Governor Son Case

  • ଝାଡଖଣ୍ଡ ନିର୍ବାଚନ ଦାୟିତ୍ବରେ ଅଛନ୍ତି ହିମନ୍ତ:-

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସେପ୍ଟମ୍ବର ୨୭ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ସେ ରାଜଭବନ ଅଭିମୁଖେ ଯାଇଥିଲେ । ସେଠାରେ ରାଜ୍ୟପାଳ ରଘୁବର ଦାସ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ତେବେ ଏହାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଥିଲା ।

ନିର୍ବାଚନ ଆୟୋଗଙ୍କୁ କଂଗ୍ରେସର ଅଭିଯୋଗ (ETV Bharat Odisha)
  • ଝାଡଖଣ୍ଡ ବିଧାନସଭା ନିର୍ବାଚନ

ସୂଚନାଥାଉ କି ଆସନ୍ତାମାସ (ନଭେମ୍ବର)ରେ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ୧୩ ଓ ୨୦ ତାରିଖରେ ଦୁଇଟି ପର୍ଯ୍ୟାୟରେ ଭୋଟିଂ ହେବ । ୮୧ ବିଶିଷ୍ଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନଭେମ୍ବର ୨୩ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା ହେବ । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ), ଜାତୀୟ କଂଗ୍ରେସ ,ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏବଂ କମ୍ୟୁନିଷ୍ଟ ପାର୍ଟି ଗଠବନ୍ଧନ ସହ ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟର ମୁକାବିଲା ହେବାକୁ ଯାଉଛି । ଅନ୍ୟପଟେ ରାଜ୍ୟପାଳଙ୍କ ବିରୋଧରେ କଂଗ୍ରେସର ଏହି ସଙ୍ଗୀନ ଅଭିଯୋଗ ସମ୍ପର୍କରେ ବିଜେପିର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details