ଅନୁଗୁଳ: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ତେଣୁ ରାଜ୍ୟରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଚାଲିଛି ଅଙ୍କକଷା । କିନ୍ତୁ ଅନୁଗୁଳ ଜିଲ୍ଲାରେ ଶାସକ ଦଳ ବିଜେଡି ପାଇଁ ସୃଷ୍ଟି ହୋଇଛି ଏକ ନୂତନ ମୁଣ୍ଡ ବ୍ୟଥା । ଦିନକୁ ଦିନ ବିଗୁଡିଛି ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ବିଜେଡି ରାଜନୀତି । ଗୋଣ୍ଡ ସମାଜକୁ ନେଇ ଆରମ୍ଭ ରାଜନୀତି ଏବେ ଚରମ ରୂପ ନେଇଛି ।
ବିଜେଡ଼ି ନେତା ନଳିନୀ ପ୍ରଧାନଙ୍କୁ ପ୍ରଥମେ ଗୋଣ୍ଡ ସମ୍ପ୍ରଦାୟର ମହାପ୍ରଭୁ ଜଙ୍ଗା ଦେଓଙ୍କ ପେନଠାନା ସ୍ଥଳକୁ ଦଳବଳ ଧରି ଯିବାକୁ ନେଇ ବିରୋଧାଭାସ ପରେ ଏହା ନୂଆ ମୋଡ଼ ନେଉଛି । ନଳିନୀଙ୍କୁ ବିରୋଧ ପରେ ଗୋଣ୍ଡ ସମାଜକୁ ନିଜ ପକ୍ଷକୁ ଆଣିବା ପାଇଁ ନଳିନୀଙ୍କ ଗୋଷ୍ଠୀ ସବୁ କସରତ କରିଛନ୍ତି ବୋଲି ଅନୁଗୁଳ ଗୋଣ୍ଡ ସମାଜ ର ମୁଖ୍ୟ ସଦାଶିଵ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ନିକଟରେ ନଳିନୀଙ୍କ ଉପସ୍ଥିତିରେ ଆଠମଲ୍ଲିକ ଅଞ୍ଚଳର କିଛି ଗୋଣ୍ଡ ସମାଜର ସଦସ୍ୟ ଓ କର୍ମୀମାନେ ମୁଖ୍ୟମନ୍ତ୍ରୀ ଓ 5 ଟି ଅଧ୍ୟକ୍ଷଙ୍କୁ ଭେଟିଥିଲେ । ସେଠାରେ ମହାପ୍ରଭୁ ଜଙ୍ଗା ଦେଓଙ୍କ ପେନଠାନା ଉନ୍ନତି ପାଇଁ ସରକାର ପଦକ୍ଷେପ ନେବେ ବୋଲି ଆଲୋଚନା କରିଥିଲେ । ମାତ୍ର ଠିକ ତାର ପରଦିନ ଗୋଣ୍ଡ ସମାଜ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ନଳିନୀ ଙ୍କ ବିରୁଦ୍ଧରେ ବିଷୋଦଗାର କରିଛନ୍ତି ସମାଜର ସଭାପତି ।