ଭୁବନେଶ୍ବର: 2024 ବିଧାନସଭା ନିର୍ବାଚନରେ ବିଜେଡିର ପରାଜୟ ପରେ ଧିରେ ଧିରେ ଦଳରୁ ଜଣଙ୍କ ପରେ ଜଣେ ନେତା ଭରସା ହରାଉଥିବା ଦେଖିବାକୁ ମିଳୁଛି । BJDର ଟାଣୁଆ ନେତାଙ୍କଠାରୁ ଆରମ୍ଭ କରି ତଳସ୍ତରର କର୍ମୀ ମଧ୍ୟ ଦଳ ଛାଡିବାରେ ଲାଗିଛନ୍ତି । ବିଜୁ ଜନତା ଦଳ କ୍ଷମତା ରାଜନୀତିରୁ ଅପସରି ଯିବା ପରେ ବର୍ତ୍ତମାନ ଏକ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରିବାରେ ଲାଗିଛି । ଫଳରେ ଆଗାମୀ ଦିନରେ ବିଜେଡିର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି ।
ଦଳର ଦୁଇ ଜଣ ରାଜ୍ୟସଭା ସାଂସଦ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇ ସାରିଛନ୍ତି । ସମାନ ଅବସ୍ଥା ବିଜେଡିର ତୃଣମୂଳ ସ୍ତରର ଦେଖିବାକୁ ମିଳୁଛି । କର୍ମୀଙ୍କୁ ଭାଙ୍ଗିବା ପାଇଁ ଅଧିକାରୀଙ୍କ ଜରିଆରେ ବିଜେପି ଚାପ ପକାଉଥିବା ବିଜେଡି ଅଭିଯୋଗ କରୁଛି । ହେଲେ କର୍ମୀଙ୍କୁ ବାନ୍ଧି ରଖିବାକୁ ବିଜେଡିର ଦୀର୍ଘ ମିଆଦି କାର୍ଯ୍ୟକ୍ରମ ହାତକୁ ନେଇ ନାହିଁ । ଦଳ ଉପରେ ନେତାଏ ଭରସା ତୁଟାଉଥିଲେ ମଧ୍ୟ ନବୀନଙ୍କ ଲୋକପ୍ରିୟତା ଉପରେ କିନ୍ତୁ କୌଣସି ପ୍ରଭାବ ପକାଇ ପାରିନାହିଁ । ଆଗାମୀ ଦିନରେ ଦଳକୁ ବଞ୍ଚାଇବାରେ ନବୀନଙ୍କ କ୍ରେଡ ସଞ୍ଜିବନୀ ସାଜିପାରେ ବୋଲି ବରିଷ୍ଠ ସାମ୍ବାଦିକଙ୍କ ରବି ଦାସ ମତ ଦେଇଛନ୍ତି ।
NAVEEN PATNAIK POPULARITY (ETV BHARAT ODISHA) ଦଳ ଛାଡୁଛନ୍ତି ବିଜେଡି ନେତା:
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏବଂ ପରେ ବିଜେଡି ଛାଡିବାରେ ଲାଗିଛନ୍ତି ଜଣକ ପରେ ଜଣେ ନେତା । ଯାହା ବିଜେଡି ଲାଗି ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଖାଲି ସେତିକି ନୁହେଁ ତୃଣମୂଳ ସ୍ତରରେ ଦଳ ଲାଗି କାର୍ଯ୍ୟ କରୁଥିବା ନେତା ଓ କର୍ମୀ ମଧ୍ୟ ବିଜେଡି ଛାଡିବାରେ ଲାଗିଛନ୍ତି । ଯାହା ବିଜେଡି ଓ ବିଜେଡି ସଭାପତି ନୀବନ ପଟ୍ଟନାୟକଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଗଞ୍ଜାମ, ଯାଜପୁର ଓ ଢେଙ୍କାନାଳ ଜିଲ୍ଲାରେ ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରିବା ଲାଗି କାମ କରିଥିବା ନେତା ଓ କର୍ମୀ ବିଜେଡି ଛାଡିଛନ୍ତି । ସେମାନଙ୍କୁ ଅଟକାଇ ଦଳ ସହ ରଖିବାରେ ବିଜେଡି ବିଫଳ ହୋଇଛି । ଜନ ସଂପର୍କ ପଦଯାତ୍ରା, ସଭ୍ୟ ସଂଗ୍ରହ କାର୍ଯ୍ୟ ଚାଲିଥିବାବେଳେ ଦଳର ସଦସ୍ୟ ଦଳ ଛାଡୁଛନ୍ତି ।
ବିଜେଡି ଛାଡ଼ି ଥିବା ରାଜ୍ୟସଭା ସାଂସଦ:
ଗତ ଜୁଲାଇ 31 ତାରିଖରେ ବିଜୁ ଜନତା ଦଳ ସହ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ମମତା ମହନ୍ତ । ବିଜେପିରେ ସାମିଲ ହୋଇ ପୁନର୍ବାର ସେ ରାଜ୍ୟସଭା ଯାଇଛନ୍ତି । ସେହିପରି ସେପ୍ଟେମ୍ବର ପ୍ରଥମ ସପ୍ତାହରେ ବିଜେଡିରୁ ଇସ୍ତଫା ଦେଇ ଉପର ସଦନକୁ ନିର୍ବାଚିତ ହୋଇ ଯାଉଛନ୍ତି ସୁଜିତ କୁମାର । ଅକ୍ଟୋବର ମାସ 30 ତାରିଖରେ ବିଜେଡି ଛାଡି ବିଜେପି ଚାଲି ଯାଇଛନ୍ତି ଯାଜପୁର ବରୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଓ ତାଙ୍କ ଟିମ । ଦଳରେ ସାମିଲ ହୋଇ ବାରବାଟୀରୁ ନିର୍ବାଚନ ଲଢ଼ି ହାରିଥିବା ପ୍ରକାଶ ବେହେରା ଅକ୍ଟୋବର 10 ସେ ବିଜେଡି ସହ ସମ୍ପର୍କ ଛିନ୍ନ କରିଛନ୍ତି ।
ଶଙ୍ଖ ଛାଡ଼ି ପଦ୍ମ ଧରିଲେ ବିଜେଡି ନେତା:
କେବଳ ବିଜେଡିର ବଡ଼ ନେତା ଦଳ ଛାଡୁନାହାନ୍ତି ବରଂ ତୃଣମୂଳ ସ୍ତରର ନେତା ମଧ୍ୟ ବିଜେଡି ଛାଡିବାରେ ଲାଗିଛନ୍ତି । ଏକଦା ବିଜେଡି ଗଡ଼ ଥିବା ଗଞ୍ଜାମ ଜିଲ୍ଲା ସଂଗଠନ ଭାଙ୍ଗିବାରେ ଲାଗିଛି । ଗତ ସାଧାରଣ ନିର୍ବାଚନରେ ବିଜେଡି ସଭାପତି ବହୁ କଷ୍ଟରେ ହିଞ୍ଜିଳି ବିଧାନସଭା କ୍ଷେତ୍ରକୁ ବଞ୍ଚାଇବାରେ ସଫଳ ହୋଇଥିଲେ । ସାନଖେମୁଣ୍ଡିକୁ ଛାଡି ଦେଲେ ବାକି ସବୁ ଆସନ ବିଜେପି ଖାତାକୁ ଯାଇଛି । ଏହାରି ଭିତରେ ଜଣକ ପରେ ଜଣେ ତୃଣମୂଳ ନେତା ବିଜେଡି ଛାଡିବାରେ ଲାଗିଛନ୍ତି । ଡିସେମ୍ବର 10ରେ ଗଞ୍ଜାମ ଜିଲ୍ଲାର ସୋରଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଲଗୁଣ୍ଠା ପଞ୍ଚୟତ ସମିତି ଅଧ୍ୟକ୍ଷା ପ୍ରମିଳା କୁମାରୀ ପ୍ରଧାନ, ବେଲଗୁଣ୍ଠାର ପୂର୍ବତନ ସରପଞ୍ଚ ପ୍ରମୋଦ କୁମାର ପ୍ରଧାନ ସମେତ ବହୁ ତୃଣମୂଳ ନେତା ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଗଞ୍ଜାମ ତଥା ପୁରୁଷୋତ୍ତମପୁର ଅଞ୍ଚଳର ଯୁବ ନେତା ନିର୍ମଳ ସାହୁ ବିଜେଡ଼ି ଛାଡିଛନ୍ତି ।
ଅକ୍ଟୋବର 29 ତାରିଖରେ ଢେଙ୍କାନାଳ ଗନ୍ଦିଆ ବ୍ଲକର ଅଧ୍ୟକ୍ଷା ରିନାରାଣୀ ଖଟୁଆଙ୍କ ସମେତ 14 ସମିତି ସଭ୍ୟ, 15 ସରପଞ୍ଚ ବିଜେଡି ପରିତ୍ୟାଗ କରି ବିଜେପିରେ ଯୋଗ ଦେଇଛନ୍ତି । ଗତ 6 ସାଧାରଣ ନିର୍ବାଚନରେ ବଡ଼ମ୍ବାରୁ ବିଜେଡି ବିଜୟର ସ୍ୱାଦ ଚାଖିଛି । କିନ୍ତୁ ଗତ ନିର୍ବାଚନରେ ବିଜେଡି ହାତରୁ ଯାଇଛି ବଡ଼ମ୍ବା ଆସନ । ଏହା ପରେ ଏବେ ବିଜେଡିର ଚିନ୍ତା ବଢ଼େଇଛନ୍ତି ଦଳ ଛାଡୁଥିବା ନେତା । ବଡମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ମାଣିଆବନ୍ଧ 31 ନଂ ଜୋନ ଜିଲା ପରିଷଦ ସଭ୍ୟ ନୟନା ସାହୁଙ୍କ ସମେତ ବଡମ୍ବା ବ୍ଲକରୁ 24 ଜଣ ସମିତି ସଭ୍ୟ, 11 ଜଣ ସରପଞ୍ଚ ଏବଂ ନରସିଂହପୁର ବ୍ଲକର 9 ଜଣ ସରପଞ୍ଚ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ବଡ଼ମ୍ବା ବ୍ଲକ ଯୁବ ବିଜେଡି ସଭାପତି ଆଲୋକ ସାହୁ ବିଜେପିରେ ଯୋଗ ଦେଇଛନ୍ତି ।
ନବୀନ ଦଳର ସଂଗଠନକୁ ସଜାଡ଼ି ପାରିବେ : ରବି ଦାସ
ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି, "ତୃଣମୂଳ ସ୍ତରର ସଂଗଠନକୁ ସୁଦୃଢ କରିବା ଲାଗି ବିଜେପି ଉଦ୍ୟମ ଆରମ୍ଭ କରିଛି । ବିଭିନ୍ନ ଦଳର ତୃଣମୂଳ ନେତା ଓ କର୍ମୀଙ୍କୁ ନେଇ ଦଳରେ ସାମିଲ କରୁଛି । ବିଜେପି ଫୋକ୍ସ ଗଞ୍ଜାମ ଜିଲ୍ଲାରେ ରହିଛି । ଗଞ୍ଜାମ ଏକଦା ବିଜେଡିର ଦୁର୍ଗ ଥିଲା । ନବୀନ ପଟ୍ଟନାୟକଙ୍କ ଜିଲ୍ଲାରେ ବିଜେପିର ସେଠି ବଡ଼ ବିଜୟ ହୋଇଛି । 2027 ପଞ୍ଚାୟତ ନିର୍ବାଚନରେ ଏହାର ପ୍ରମାଣ ମିଳିବ । ବର୍ତ୍ତମାନ ମଧ୍ୟ ନବୀନ ପଟ୍ଟନାୟକ ଓଡ଼ିଶାର ଲୋକପ୍ରିୟ ନେତା । ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହୋଇଥାଇ ପାରନ୍ତି, କିନ୍ତୁ ନବୀନ ଲୋକପ୍ରିୟ ନେତା । ନବୀନ ଏହି ଲୋକପ୍ରିୟତା ଆଧାରରେ ଦଳର ସଂଗଠନକୁ ସଜାଡି ପାରିବେ । 51 ବିଧାୟକ ଅଛନ୍ତି, କମ ଶକ୍ତିଶାଳୀ ବିରୋଧୀ ଦଳ ନୁହେଁ । 30 ଜିଲ୍ଲା ପରିଷଦ ବିଜେଡିର ଅଛନ୍ତି । କିନ୍ତୁ ଏମାନଙ୍କ ଲାଗି କାର୍ଯ୍ୟକ୍ରମ କିଛି ନାହିଁ ।"
ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରକହିଛନ୍ତି, "ଜନସାଧାରଣଙ୍କ ମତ ଅନୁସାରେ ଓଡିଶାରେ ବିଜେଡିର ଭୋଟ ହାର ଅଧିକ । ଗଣିତ ଖେଳରେ ଆମେ ବିରୋଧୀ ଦଳରେ ଅଛୁ । ସାରା ରାଜ୍ୟରେ ଧାରାବାହିକ ଭାବେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ବାଧା ଦେବାକୁ ଉଦ୍ୟମ କରାଯାଉଛି । ଗାଁ ଗହଳିରେ ଲୋକଙ୍କ ଉପରେ ହାତବାରିସୀ ଅଧିକାରୀଙ୍କ ଜରିଆରେ ଚାପ ସୃଷ୍ଟି କରାଯାଉଛି । ଜନସାଧାରଣଙ୍କ ଆଶୀର୍ବାଦକୁ ଛାଡି କିଛି ଦଳ ବଦଳ କରିଛନ୍ତି । ଜନସାଧାରଣ ଏହାର ଉପଯୁକ୍ତ ଜବାବ ଦେବେ ।"
ବିଜେଡି ମୁଖପାତ୍ର ଲେନିନ ମହାନ୍ତିକହିଛନ୍ତି, "ବର୍ତ୍ତମାନର ସରକାରର ଲୋକମତ ବିଜେଡିଠୁ କମ । ଏ ସରକାର ଏକ ମିଛୁଆ ସରକାର । ଗନ୍ଦିଆ, ନୀଳଗିରି, ଖଣ୍ଡପଡା, ପୁରୁଷୋତ୍ତମପୁରରେ ନିର୍ବାଚିତ ସଂଗଠନକୁ ଜାଣିଶୁଣି ଭଙ୍ଗା ଯାଉଛି । ନିର୍ବାଚିତ ପ୍ରତିନିଧିଙ୍କୁ ବିଭିନ୍ନ ଆଳରେ ହଇରାଣ କରି ବିଜେପିରେ ସାମିଲ କରାଯାଉଛି । ବିଜେପିର ଏହି କଳ, ବଳ ଓ କୌଶଳ ବେଶୀ ଦିନ ଆଉ ନୁହେଁ । ବିଜେପିର ବ୍ଲକ ଦଖଲ ଭଙ୍ଗା ଯୋଜନାକୁ କଡା ଜବାବ ମିଳିବ ।"
ଇଟିଭି ଭାରତ, ଭୁବନେଶ୍ବର