ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଚାଲିଛି ଦଳ ଡିଆଁ ପର୍ବ । ସେହିକ୍ରମରେ ଆଜି ଟାଣ ହୋଇଛି ବିଜେପିର ହାତ ମୁଠା । ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ତ୍ରିଲୋଚନ ତରାଇ ଆଜି ବିଜେଡିରୁ ଇସ୍ତଫା ଦେଇଥିଲେ । ତେବେ ଶଙ୍ଖକୁ ବାଏ ବାଏ କହି ସେ ଆସି ପଦ୍ମ ଧରିଛନ୍ତି । ତେବେ ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଜଗତସିଂହପୁର ଅଞ୍ଚଳର ନେତା ତ୍ରିଲୋଚନ ତରାଇ ବିଜେପିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ଜଗତସିଂହପୁର ବିଜେପି ଲୋକସଭା ପ୍ରାର୍ଥୀ ବିଭୁ ତରାଇ ମଧ୍ୟ ଉପସ୍ଥିତ ଥିଲେ ।
ଜଗତସିଂହପୁର ବିଜେପି ସାଂସଦ ପ୍ରାର୍ଥୀ ବିଭୁ ତରାଇଙ୍କର ପରିବାର ସଦସ୍ୟ ହେଉଛନ୍ତି ତ୍ରିଲୋଚନ ତରାଇ । ଦୀର୍ଘ ଦିନ ଧରି ତ୍ରିଲୋଚନ ବିଜେଡିର ଥିଲେ । ସେ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ମଧ୍ୟ ରହିଥିଲେ । ତ୍ରିଲୋଚନଙ୍କ ସହିତ କୁଜଙ୍ଗ ବ୍ଲକ ମଙ୍ଗରାଜପୁର ପଞ୍ଚାୟତର ସରପଞ୍ଚ ପ୍ରମୋଦ ବେହେରା ମଧ୍ୟ ବିଜେଡ଼ି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ଦଳରେ ଯୋଗ ଦେଇ ନିଜ ପ୍ରତିକ୍ରିୟାରେ ତ୍ରିଲୋଚନ କହିଛନ୍ତି ଯେ, ବିଜୁ ଜନତା ଦଳ ସରକାର ଦୀର୍ଘ ୨୫ବର୍ଷ ଶାସନରେ ରହିବି ମଧ୍ୟ ଓଡ଼ିଶାରୁ ଗରିବ ହଟାଇ ପାରିନାହିଁ । ସାରା ଓଡିଶାରେ ବିଜେଡି ସରକାର ଉପରେ ଲୋକଙ୍କ ପ୍ରବଳ ଆକ୍ରୋଶ ରହିଛି । ଲୋକ କହୁଛନ୍ତି ଆଉ କେତେ ଦିନ ସହିବେ । ନବୀନ ଓଡ଼ିଶା ସରକାର ଅଣଓଡ଼ିଆ ଦ୍ୱାରା ପରିଚାଳିତ ହେଉଛି । ନବୀନଙ୍କ ଅତ୍ୟାଚାରୀ ଶାସନକୁ ଶେଷ କରିବା ପାଇଁ ପ୍ରତ୍ୟେକ ଦିନ ବିଭିନ୍ନ ଦଳରୁ ହଜାର ହଜାର ନେତା ଓ କର୍ମୀ ବିଜେପିରେ ସାମିଲ ହେଉଥିବା ତ୍ରିଲୋଚନ କହିଛନ୍ତି ।