ବିଜେଡି ବିଗତ ୫ ବର୍ଷରେ କ'ଣ କରିଛି ତାର ହିସାବ ନାହିଁ, ବିଜେଡି ନେତାଙ୍କ ବଦଳରେ ଗୁମାସ୍ତା ପ୍ରଚାର କରୁଛନ୍ତି : ସଜ୍ଜନ ଶର୍ମା (ETV Bharat Odisha) ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୀତି ମୈଦାନରେ ଚାଲିଛି ବଳକଷା । ଦଳ ଦଳ ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପ । ମୁଖ୍ୟତଃ ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ କଡ଼ା ଟିକ୍କର ହେଉଥିବା ବେଳେ ଦୁଇ ଦଳ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି । ବିଜେପିର ଇସ୍ତାହାର ନେଇ ବିଜେଡିର ପ୍ରେସମିଟ୍ ପରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକରାଙ୍କ ଶାସନ ଉପରେ ପ୍ରଶ୍ନ କରିବା ସହ ପରୋକ୍ଷରେ ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା ।
ତେବେ ଆଜି ବିଜେପିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, "ରାଜ୍ୟରେ ଯେଉଁ ସରକାର ବିଗତ 25 ବର୍ଷ ଧରି ଚାଲିଛି । ଯାହାଙ୍କ ନେତୃତ୍ବରେ ସରକାର ଚାଲିଛି, ସେ ହିସାବ ଦେଇ ପାରୁନାହାନ୍ତି ଯେ, ବିଗତ 5 ବର୍ଷ ଭିତରେ କ'ଣ କରିଛନ୍ତି ଏବଂ ଆଗାମୀ ଦିନରେ କ'ଣ କରିବେ ତାହାର କୌଣସି ରୋଡ୍ମ୍ୟାପ କିମ୍ବା ମେନିଫେଷ୍ଟୋ ନେଇ ସେ ଆସିନାହାନ୍ତି । କେବଳ ମିଛ ଅଭିଯୋଗ ଉପରେ ଚାଲିଛନ୍ତି । ବର୍ତ୍ତମାନ ଭୋଟ ଯାହାଙ୍କ ନାଁରେ ମଗାଯାଉଛି, ସେ ସରକାର ଚଲାଉନାହାନ୍ତି । ସରକରା ଆଉ ଜଣେ ଚଲାଉଛନ୍ତି । ବିଜୁ ଜନତା ଦଳର ନେତା ପ୍ରଚାର କରୁନାହାନ୍ତି । ଏଠି ଗୁମାସ୍ତା ପ୍ରଚାର କରୁଛନ୍ତି । ତାଙ୍କ ଅନୁଚରମାନେ ପ୍ରତି ଦିନ ମିଛ କହୁଛନ୍ତି । ମିଛର ଫ୍ୟାକ୍ଟ୍ରି ସାଜିଛନ୍ତି ।"
ସଜ୍ଜନ ଶର୍ମା ଆହୁରି ମଧ୍ୟ କହିଛନ୍ତି, "ଓଡ଼ିଶାବାସୀ ଜାଣିବାକୁ ଚାହାନ୍ତି, ଯେଉଁ ବିଜୁ ବାବୁଙ୍କ ନାଁରେ ବିଜେଡି ତିଆରି ହୋଇଥିଲା, ସେ ଯେଉଁ ଓଡ଼ିଶା ଟେକ୍ସଟାଇଲ ମିଲ (ଓଟିଏମ) କାରଖାନା ପ୍ରତିଷ୍ଠା କରିଥିଲେ, ତାଙ୍କ ପୁଅ ଜବାବ ଦେବା କଥା ସେ ଓଟିଏମ କେଉଁଛି ଅଛି । ବିଜୁ ବାବୁ କରିଥିବା କଳିଙ୍ଗ ଆଇରନ ମିଲ, ବାରଙ୍ଗ କାଚ କାରଖାନା, ଭାସ୍କର ଟେକ୍ସଟାଇଲ ଓ ସୁତାକଳ ସବୁ କେଉଁଠି ଅଛି । ବିଜେଡି ଏହାର ଉତ୍ତର ଦେବା ଦରକାର । ଏ ଦଳ କେବଳ ଚୋରି କରିଜାଣିଛି । କେନ୍ଦ୍ରରୁ ଆସୁଥିବା ଯୋଜନାକୁ କିପରି ନିଜ ନାଁରେ କରି ଲୋକଙ୍କ ପ୍ରତାରିତ କରିବେ ବିଜେଡି ସେ କଥା କରୁଛି ।"
ଏହା ମଧ୍ୟ ପଢ଼ନ୍ତୁ...'ବିଜେଡି ଓ ବିଜେପିର ଶପଥ ଗ୍ରହଣ ନିମନ୍ତ୍ରଣ ପତ୍ର ନୁହଁ ବରଂ ସେମାନଙ୍କର ଫେୟାରୱେଲ ଉତ୍ସବର କାର୍ଡ' - CONGRESS CRITICIZED BJP AND BJD
ସେପଟେ ବିଜେପିର ସଙ୍କଳ୍ପପତ୍ର ଘୋଷଣା ପରେ ଏହାକୁ କାଉଣ୍ଟର ଆଟାକ୍ କରିଛି ବିଜେଡି । ରାଜ୍ୟ ବିଜେପିର ସଙ୍କଳ୍ପପତ୍ରକୁ ‘ମିଛ ମାନିଫେଷ୍ଟୋ’ ବୋଲି କହିବା ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ନେତା । ‘ନା କାମ କରିବି, ନା କାମ କରେଇ ଦେବି’ ବୋଲି କହି ବିଜେଡି ମୁଖପାତ୍ର ସ୍ୱଂୟପ୍ରକାଶ ମହାପାତ୍ର ଏବଂ ସାଂସଦ ସସ୍ମିତ ପାତ୍ର ବିଜେପି ଉପରେ ବର୍ଷିଥିଲେ । ବିଜେପି ପୂର୍ବରୁ ଭୂଆଁ ବୁଲେଇ ଆସିଛି, ଆଜି ବି ଭୂଆଁ ବୁଲାଉଛି । ସଙ୍କଳ୍ପ ପତ୍ରରେ ବିଜେପି ଯାହା ଯାହା ସବୁ ପ୍ରତିଶ୍ରୁତି ଦେଇଛି, ସେ ସବୁ ମିଛ ପ୍ରତିଶ୍ରୁତି ବୋଲି କହିଛି ବିଜେଡି ।
ଇଟିଭି ଭାରତ, ଭୁବନେଶ୍ବର