ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଲୋକସଭା ନିର୍ବାଚନ ଲାଗି ଆଜି (ଶୁକ୍ରବାର) ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । ଏଥିରେ ମୋଟ 16 ଜଣ ପ୍ରାର୍ଥୀଙ୍କ ନାମ ସାମିଲ ଅଛି । ସେମାନଙ୍କ ମଧ୍ୟରୁ ତାମିଲନାଡୁ ପାଇଁ ଦଳ 15 ପ୍ରାର୍ଥୀ ଦେଇଥିବା ବେଳେ ପୁଡୁଚେରୀ ପାଇଁ ଜଣେ ପ୍ରାର୍ଥୀ ଦେଇଛି । ଗତକାଲି ବିଜେପି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ମୋଟ 9 ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଟିକେଟ ପାଇଥିଲେ ତାମିଲସାହି ସୁନ୍ଦରରାଜନ ଓ ରାଜ୍ୟ ବିଜେପି ଅଧ୍ୟକ୍ଷ ଆନ୍ନାମଲାଇ ।
ପାର୍ଟି ପକ୍ଷରୁ ଜାରି ହୋଇଥିବା ଏହି ତାଲିକାରେ ଚେନ୍ନାଇ ଉତ୍ତରରୁ ପଲ କନଗରାଜ, ତିରୁବଲ୍ଲୁରରୁ ପନ ବି ବାଲଗଣପତି, ତିରବନ୍ନମଲାଇରୁ ଏ. ଅଶ୍ବଥାମନ, ନାମକ୍କଲରୁ ପି. ରାମାଲିଙ୍ଗମ. ତ୍ରିପୁରରୁ ଏ.ପି ମୁରୁଗନନ୍ଦମ, ପୋଲାଚିରୁ କେ ବସନ୍ତରାଜନ, କରୁରରୁ ବି.ବି ସେନ୍ଥିଲନାଥନ, ଚିଦମ୍ବରମରୁ ପି. କାର୍ତ୍ତିୟାୟନୀ, ନାଗାପତିନମରୁ ଏସ.ଜି ରମେଶ, ତିଞ୍ଜାବୁରରୁ ଏମ ମୁରୁଗାନନ୍ଦମ, ଶିବଗଙ୍ଗାରୁ ଦେବନାଥନ ଯାଦବ, ମଦୁରେରୁ ରାମ ଶ୍ରୀନିବାସନ, ବିରୁଦ୍ଧନଗରରୁ ରାଧିକା ଶରତ କୁମାର ଓ ଟିନକାସିରୁ ବି. ଜନ୍ ପାଣ୍ଡିଆନଙ୍କ ନାମ ସାମିଲ ରହିଛି ।
ଏହା ବି ପଢନ୍ତୁ- ତୃତୀୟ ପର୍ଯ୍ୟାୟରେ ତାମିଲନାଡୁ ପାଇଁ 9ଲୋକସଭା ପ୍ରାର୍ଥୀ ଦେଲା ବିଜେପି, ଲଢିବେ ସୁନ୍ଦରରାଜନ ଓ ଆନ୍ନାମଲାଇ
ପୁଡୁଚେରୀର ଗୋଟିଏ ମାତ୍ର ଲୋକସଭା ଆସନରୁ ବିଜେପି ଏ. ନମଶିବାୟମଙ୍କୁ ଟିକେଟ ଦେଇଛି । ଏହା ପୂର୍ବରୁ ଗତକାଲି ବିଜେପି ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲସାହି ସୁନ୍ଦରରାଜନ, ତାମିଲନାଡୁ ବିଜେପି ଅଧ୍ୟକ୍ଷ କେ. ଆନ୍ନାମଲାଇ ଓ କେନ୍ଦ୍ରମନ୍ତ୍ରୀ ଏଲ ମୁରୁଗନଙ୍କ ସମେତ ରାଜ୍ୟର 9 ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ଏହାସହିତ ତାମିଲନାଡୁ ପାଇଁ ବିଜେପି ଏଯାବତ 24 ଜଣ ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି । ସେହିପରି ମାର୍ଚ୍ଚ 2 ତାରିଖରେ ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିଲା। ଯେଉଁଥିରେ 195 ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିଲା । ହେଲେ ଏହି 195 ପ୍ରାର୍ଥୀଙ୍କ ମଧ୍ୟରୁ ଭୋଜପୁରି ଗାୟକ ତଥା ଅଭିନେତା ପବନ ସିଂ ଓ ଉତ୍ତର ପ୍ରଦେଶ ନେତା ଉପେନ୍ଦ୍ର ରାୱତ ନିର୍ବାଚନ ଲଢିବାକୁ ମନା କରିଦେଇଥିଲେ ।
ଏହାପରେ ବିଜେପି ମାର୍ଚ୍ଚ 13ରେ 72 ପ୍ରାର୍ଥୀଙ୍କ ନାମ ସହିତ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ଏଯାବତ ଦଳ ମୋଟ 290 ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି । ସୂଚନା ଥାଉ କି 39 ଲୋକସଭା ଆସନ ବିଶିଷ୍ଟ ତାମିଲନାଡୁରେ ଏପ୍ରିଲ 19 ତାରିଖରେ ମତଦାନ ଅନୁଷ୍ଠିତ ହେବ । ଗତ 2019 ସାଧାରଣ ନିର୍ବାଚନରେ ବିଜେପି ତାମିଲନାଡୁରୁ ଗୋଟିଏ ବି ଆସନ ଜିତି ପାରିନଥିଲା । ଅନ୍ୟପଟେ 18ତମ ଲୋକସଭା ପାଇଁ ଏପ୍ରିଲ 19 ତାରିଖରେ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ଯାହାକି ଜୁନ 1 ତାରିଖ ପର୍ଯ୍ୟନ୍ତ 7ଟି ପର୍ଯ୍ୟାୟରେ ମତଦାନ ହେବ। ଏହାପରେ ଜୁନ 4 ତାରିଖରେ ଭୋଟ ଗଣତି ହେବ ବୋଲି ଭାରତୀୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ